ଭାରତ ସୀମାରେ ପୁଣି ପଶିଲା ଚୀନ୍ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତ ସୀମା ମଧ୍ୟରେ ଆଜି ପଶିଛି ଚୀନା ହେଲିକପ୍ଟର । ହିମାଚଳ ପ୍ରଦେଶ ପୁଲିସ ଏ ସମ୍ପର୍କରେ ସାମରିକ ଗୁଇନ୍ଦା ସଂସ୍ଥା, ଆଇଟିବିପି ଓ ଇଣ୍ଟେଲିଜେନ୍ସ ବ୍ୟୁରୋକୁ ସୂଚନା ଦେଇଛି । ହିମାଚଳ ପ୍ରଦେଶ ପୁଲିସ ପକ୍ଷରୁ କୁହାଯାଇଛି ଯେ ଗତ ଦେଢ଼ ମାସ ମଧ୍ୟରେ ଚୀନ୍ ସେନା ଲାହୋଲ୍ ଅଞ୍ଚଳରେ ଦୁଇଥର ଅନୁପ୍ରବେଶ କରିଛି । ଚୀନା ହେଲିକପ୍ଟର ଭାରତର ବାୟୁ ସୀମାର ପ୍ରାୟ ୧୦ରୁ ୧୨ କିଲୋମିଟର ପର୍ଯ୍ୟନ୍ତ ପଶି ଆସିଥିଲା ବୋଲି କୁହାଯାଉଛି । ହିମାଚଳ ପ୍ରଦେଶର ଲାହୋଲ ସୀମା ନିକଟରେ ଏପରି ଘଟଣା ଘଟିଛି ।

ବିଶ୍ବ କରୋନା ସଙ୍କଟ ମଧ୍ୟରେ ଗତି କରୁଥିବାବେଳେ ଚୀନ ବାରମ୍ବାର ଭାରତ ସୀମା ନିକଟରେ ଉତ୍ତେଜନା ସୃଷ୍ଟି କରି ଉସୁକେଇବାକୁ ଚେଷ୍ଟା କରୁଛି । ଗତ ୩ ମାସ ମଧ୍ୟରେ ଏପରି ଘଟଣା ପ୍ରାୟ ୫ଥର ଘଟିଲାଣି । ଗତ ସପ୍ତାହରେ ଚୀନ ହେଲିକପ୍ଟର ସୀମା ନିକଟରେ ଉଡ଼ୁଥିବା ଦେଖାଯାଇଥିଲା ଓ ଏହାର ଜବାବ ଦେବାକୁ ଭାରତର ଯୁଦ୍ଧ ବିମାନଗୁଡ଼ିକ ପହଞ୍ଚିଯିବାରୁ ହେଲିକପଟର ଗୁଡ଼ିକ ଫେରି ଯାଇଥିଲା । ସେତେବେଳେ ଏହି ହେଲିକପ୍ଟର ଭାରତ ବାୟୁ ସୀମା ଅତିକ୍ରମ କରି ନ ଥିଲା । ମାତ୍ର ଆଜି ଚୀନା ହେଲିକପ୍ଟର ଭାରତୀୟ ବାୟୁ ସୀମା ଅତିକ୍ରମ କରିଥିବା ସୂଚନା ମିଳିଛି । ହିମାଚଳ ପ୍ରଦେଶ ପୋଲିସର ସୂଚନାନୁସାରେ, ଚାଇନାର ହେଲିକପ୍ଟରଗୁଡ଼ିକ ମେ’ ମାସର ପ୍ରଥମ ସପ୍ତାହରେ ଏବଂ ଏପ୍ରିଲର ଶେଷ ସପ୍ତାହରେ ଭାରତ ସୀମାରେ ପ୍ରବେଶ କରିଥିଲା । ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ଲାହୋଲ ଜିଲ୍ଲା ସାମଦୋହ ପୋଷ୍ଟରୁ ଚାଇନାର ହେଲିକପ୍ଟରଗୁଡିକ ଦେଖିବାକୁ ମିଳିଥିଲା । ଏହି ହେଲିକପ୍ଟରଗୁଡ଼ିକ କମ୍‌ ଉଚ୍ଚତାରେ ଉଡ଼ୁଥିଲା ବୋଲି ଏହି ଅଧିକାରୀ କହିଛନ୍ତି ।

Comments are closed.