କରୋନାର ଉତ୍ପତ୍ତିକୁ ନେଇ ଚୀନ ସମଗ୍ର ବିଶ୍ଵର ବୈଜ୍ଞାନିକମାନଙ୍କ ସହ ବିଶ୍ଵାସଘାତ କରିଛି: ବିଶେଷଜ୍ଞ

କରୋନା ଭୂତାଣୁ ପୂରା ଦୁନିଆରେ ଆତଙ୍କ ଖେଳାଇଛି। କରୋନାର ନୂଆ ନୂଆ ରୂପ ସାମ୍ନାକୁ ଆସୁଛି, ଯାହା ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ତେବେ କରୋନା ମହାମାରୀର ଆରମ୍ଭ ଯେଉଁ ଚୀନରୁ ହୋଇଥିଲା, ସେହି ଦେଶ ଅନ୍ତର୍ଜାତୀୟ ସ୍ତରରେ ଏବେ ପୁଣି ଥରେ ଟାର୍ଗେଟକୁ ଆସିଥିବା ସ୍ପଷ୍ଟ ଦେଖାଯାଉଛି। ବିଶ୍ଵବ୍ୟାପୀ ବୈଜ୍ଞାନିକମାନେ କରୋନା ମହାମାରୀର ଉତ୍ପତ୍ତି ସ୍ଥଳକୁ ଖୋଜିବା ଲାଗି ଅଧିକ ସ୍ପଷ୍ଟ ତଥ୍ୟ ଦାବି କରୁଛନ୍ତି।

କରୋନା ଭୂତାଣୁର ଉତ୍ପତ୍ତିର ତଦନ୍ତକୁ ନେଇ ଚୀନ ଉପରେ ଚାପ ବଢ଼ିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁଇନ୍ଦା ବିଭାଗକୁ ୯୦ ଦିନ ମଧ୍ୟରେ କରୋନାର ଉତ୍ପତ୍ତି ସମ୍ପର୍କିତ ତଦନ୍ତର ରିପୋର୍ଟ ଦେବାକୁ କହିଛନ୍ତି। ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ବି ସଙ୍କେତ ଦେଇଛି ଯେ, କରୋନାର ଉତ୍ପତ୍ତିକୁ ନେଇ ପୁନର୍ବାର ତଦନ୍ତ ଆରମ୍ଭ ହୋଇପାରେ। ଅନ୍ୟପଟେ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆର ସ୍କାଏ ନ୍ୟୁଜ ଉପସ୍ଥାପକ ଆଣ୍ଡ୍ର୍ୟୁ ବୋଲ୍ଟ ନିଜର ଶୋ’ ‘ଦ ବୋଲ୍ଟ ରିପୋର୍ଟ’ରେ ଫ୍ଲିଣ୍ଡର୍ସ ମେଡିକାଲ ସେଣ୍ଟରରେ ଏଣ୍ଡୋକ୍ରାଏନୋଲୋଜି ନିର୍ଦେଶକ ପ୍ରଫେସର ନିକୋଲାଇ ପେତ୍ରୋଭସ୍କୀଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରଫେସର ପେତ୍ରୋଭସ୍କି ଶୋ’ରେ କହିଛନ୍ତି ଯେ, ଚୀନ ସାରା ବିଶ୍ଵର ବୈଜ୍ଞାନିକମାନଙ୍କ ସହିତ ବିଶ୍ଵାସଘାତ କରିଛି। ଶୋ’ର ଉପସ୍ଥାପକ ବୋଲ୍ଟ କହିଛନ୍ତି ଯେ, ଏବେ ବାସ୍ତବରେ ଏଭଳି ଲାଗୁଛି ଯେ ଏହି ଭୂତାଣୁ ବୋଧହୁଏ ଚୀନର ସେହି ପରୀକ୍ଷାଗାରରୁ ଅନ୍ୟତ୍ର ବ୍ୟାପିଛି ଏବଂ ଏବେ ଚୀନ ଏହାକୁ ନେଇ ହରଡ଼ଘଣାରେ ପଡ଼ିଛି।

ପ୍ରଫେସର ପେତ୍ରୋଭସ୍କିଙ୍କ କଥାକୁ ଆଧାର କରି ନ୍ୟୁୟର୍କ ଟାଇମ୍ସ ଲେଖିଛି ଯେ, କେତେଜଣ ଚୀନ ବୈଜ୍ଞାନିକ କହିଛନ୍ତି ଯେ, କରୋନାର ଉତ୍ପତ୍ତି ପେନ୍‌ଗୋଲିନରୁ ହୋଇଛି। କିନ୍ତୁ ଏପରି ହେବାର ସମ୍ଭାବନା ଆଦୌ ନାହିଁ। ପେତ୍ରୋଭସ୍କି କହିଛନ୍ତି ଯେ, ସମସ୍ତେ ପେନ୍‌ଗୋଲିନ ଉପରେ ଅଙ୍ଗୁଳି ଉଠାଇବାକୁ ଉଦ୍ୟମ କରୁଛନ୍ତି, କିନ୍ତୁ ପେନ୍‌ଗୋଲିନରୁ ଏହି ଭୂତାଣୁ ଆସିବାର ସମ୍ଭାବନା ନାହିଁ। ଅଧିକାଂଶ ଭାଇରୋଲୋଜିଷ୍ଟ ଏହାକୁ ସ୍ବୀକାର କରୁଛନ୍ତି।

Comments are closed.