ଚନ୍ଦ୍ର ପୃଷ୍ଠକୁ ଯାଇଥିବା ଧାନରୁ ବିହନ ଉତ୍ପାଦନ କଲା ଚାଇନା

ବେଜିଂ: ୨୦୨୦ରେ ଚେଞ୍ଜ-୫ ମହାକାଶ ଅଭିଯାନ ସମୟରେ ଚନ୍ଦ୍ର ପୃଷ୍ଠରେ ୨୩ ଦିନ ରହିଥିବା ଧାନରୁ ବିହନ ଉତ୍ପାଦନ କରିଛି ଚାଇନା । ଦେଶର ସରକାରୀ ସୂତ୍ରରୁ କୁହାଯାଇଛି ଯେ ୪୦ ଗ୍ରାମ ଓଜନର ଧାନକୁ ସେହିବର୍ଷ ମହାକାଶ ଅଭିଯାନରେ ସାମିଲ କରାଯାଇଥିଲା ଏବଂ ତାହାକୁ ଶୂନ୍ୟ ମାଧ୍ୟାକର୍ଷଣ ଶକ୍ତି ଏବଂ ମହାକାଶରେ ହେଉଥିବା ବିକିରଣରେ ଉନ୍ମୁକ୍ତ ରଖାଯାଇଥିଲା । ୨୩ ଦିନ ମହାକାଶ ଯାତ୍ରା କରିବା ପରେ ଉକ୍ତ ବିହନକୁ ଅଣାଯାଇ ଗ୍ୱାଙ୍ଗଡଙ୍ଗ ପ୍ରଦେଶରେ ଥିବା ଦକ୍ଷିଣ ଚାଇନା କୃଷି ବିଶ୍ୱବିଦ୍ୟାଳୟରେ ରୋପଣ କରାଯାଇଥିଲା । ସେଥିରୁ ୧ ସେଣ୍ଟିମିଟର ଲମ୍ବ ତିନିଟି ବଡ ବ୍ୟାଗ ଭର୍ତ୍ତି ଧାନ ବିହନ ଉତ୍ପାଦନ କରାଯାଇଛି । ସେଥିମଧ୍ୟରୁ ସର୍ବୋତ୍ତମ ବିହନକୁ ଖୁବଶୀଘ୍ର ଲାବୋରେଟୋରୀରେ ଗଜା କରାଯିବା ପରେ ତାହାକୁ କ୍ଷେତରେ ଲଗାଯିବ ।
ଗ୍ଲୋବାଲ ଟାଇମ୍ସରେ କୁହାଯାଇଛି ଯେ ଉକ୍ତ ଧାନରୁ ନୂଆ କିସମର ଚାଉଳ ଉତ୍ପାଦିତ ହେବା ଆଶା କରାଯାଉଛି, ଯାହା ଚାଇନାର ନୂଆ ନୂଆ ବିହନ ଉତ୍ପାଦନ ସାମର୍ଥ୍ୟ ବୃଦ୍ଧି କରିବ । ତେବେ ଏହା ବଜାରକୁ ଆସିବା ପାଇଁ ତିନିରୁ ଚାରିବର୍ଷ ଲାଗିବ ବୋଲି ବିଶ୍ୱବିଦ୍ୟାଳୟରେ ଥିବା ଗବେଷଣା କେନ୍ଦ୍ରର ଉପ ନିର୍ଦ୍ଦେଶକ ଗୁଓ ତାଓ କହିଛନ୍ତି । ଏହି ବିହନକୁ ଆଉ କେତେକ ପର୍ଯ୍ୟାୟ ପରୀକ୍ଷା ନିରୀକ୍ଷା କରାଯିବା ପରେ ତାହା ମଣିଷଙ୍କ ଖାଦ୍ୟ ଭାବରେ ବ୍ୟବହାର ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଏହି ଧରଣର ମହାକାଶ ଚାଉଳ ଚାଇନା ପାଇଁ କିଛି ନୂଆ ନୁହେଁ । ୧୯୮୭ରୁ ଚାଇନା ମହାକାଶକୁ କପା, ବିଲାତିବାଇଗଣ ସମେତ ଧାନ ବିହନ ମଧ୍ୟ ପଠାଉଛି । ବୈଜ୍ଞାନିକମାନେ କହିଛନ୍ତି ଯେ ମହାକାଶ ପରିବେଶରେ ଉନ୍ମୁକ୍ତ ହୋଇଥିବା ଧାନ ବିହନକୁ ପୃଥିବୀ ପୃଷ୍ଠରେ ଚାଷକଲେ ସେଥିରୁ ଅଧିକ ଅମଳ ମିଳିବା ସାମର୍ଥ୍ୟ ରଖୁଥିବା ବିହନ ପ୍ରସ୍ତୁତ କରାଯିବା ସମ୍ଭାବନା ରହିଛ । ଏକ ରିପୋର୍ଟ ଅନୁଯାୟୀ ମହାକାଶକୁ ନିଆଯାଇଥିବା ପ୍ରାୟ ୨୦୦ ପ୍ରଜାତିର ଉଦ୍ଭିଦକୁ ପୃଥିବୀରେ ଲଗାଇବାକୁ ଅନୁମତି ଦିଆଯାଇଛି ।

Comments are closed.