ନେପାଳ ସୀମାରେ ଚୀନର ଜବରଦଖଲ; ହୁମଲାର ଲାପଚା-ଲିମିରେ ତିଆରି କରିଛି ୯ଟି କୋଠା

ବେଜିଂ : ବିସ୍ତାରବାଦ ନୀତି କ୍ରମରେ ଚୀନ ଏହାର ପଡୋଶୀ ଦେଶର ସୀମାକୁ ବେଆଇନ ଭାବେ ଦଖଲ କରିଚାଲିଛି। ଚୀନର ଏହି ବିସ୍ତାରବାଦ ନୀତିର ଶିକାର ହୋଇଛି ସର୍ବକାଳୀନ ବନ୍ଧୁ ରାଷ୍ଟ୍ର ନେପାଳ। ନେପାଳର ଗୋଟିଏ ଅଂଶକୁ ଚୀନ ନିଜ ଦଖଲକୁ ନେଇଥିବା ଜଣାଯାଇଛି। ନେପାଳର ବିନା ଅନୁମତିରେ ଚୀନ ଏହାର ସୀମାରେ ୯ଟି କୋଠା ନିର୍ମାଣ କରିଛି। ନେପାଳର ହୁମଲା ଜିଲାରେ ଅତ୍ୟନ୍ତ ଗୋପନୀୟ ଭାବେ ଏହି କୋଠା ନିର୍ମାଣ କରିଛି ଚୀନ। ଏପରିକି ଏହି ଅଞ୍ଚଳକୁ ନେପାଳବାସୀଙ୍କ ଆତଯାତକୁ ବାରଣ କରିଛି। ସ୍ଥାନୀୟ ଗ୍ରାମ ପରିଷଦ ମୁଖ୍ୟ ଏହି ଅଞ୍ଚଳକୁ ଗସ୍ତ କରିଥିବାବେଳେ ଚୀନର ବେଆଇନ ନିର୍ମାଣ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଚୀନର ନିର୍ମାଣ ସ୍ଥଳରେ ମୁତୟନ ସୈନିକଙ୍କୁ ସେ ପ୍ରଶ୍ନ କରିଥିବାବେଳେ କୌଣସି ଉତ୍ତର ପାଇ ନଥିଲେ। ନୂଆ ନିର୍ମାଣସ୍ଥଳ ନେପାଳ ସୀମା ଠାରୁ ପ୍ରାୟ ୨ କିମି ଭିତରକୁ ରହିଛି। ନେପାଳର ଜିଲା ମୁଖ୍ୟ ଅଧିକାରୀ ଏହା ଉପରେ ତଦନ୍ତ କରି ଚୀନର ଜବରଦଖଲ ସମ୍ପର୍କରେ ରିପୋର୍ଟ କରିଛନ୍ତି। ଜିଲା ଅଧିକାରୀ ଘଟଣା ସମ୍ପର୍କରେ ନେପାଳ ଗୃହ ମନ୍ତ୍ରଣାଳୟ ଓ ବୈଦେଶିକ ମନ୍ତ୍ରଣାଳୟକୁ ଅବଗତ କରାଇଛନ୍ତି। ନେପାଳର ସୀମାକୁ ଦଖଲ କରିବା ଚୀନ ପାଇଁ ଏହା ପ୍ରଥମ ଘଟଣା ନୁହେଁ। ଦୁଇମାସ ପୂର୍ବେ ନେପାଳର ଗୋର୍ଖା ଜିଲାର ରୁୟି ଗ୍ରାମକୁ ଚୀନ ଅଞ୍ଚଳରେ ମିଶାଇ ଦେଇଥିଲା। ସେହିପରି ଜୁନ୍ ମାସରେ ନେପାଳର କୃଷି ମନ୍ତ୍ରଣାଳୟର ସର୍ଭେ ବିଭାଗର ଯାଞ୍ଚ ବେଳେ ଜଣାଯାଇଥିଲା ଯେ ନେପାଳର ୧୧ଟି ସ୍ଥାନରେ ୩୩ ହେକ୍ଟର ଜମିକୁ ଚୀନ ମାଡିବସିଛି। ଦୁଇଦେଶ ମଧ୍ୟରେ ପ୍ରାକୃତିକ ସୀମା ଭାବେ ରହିଥିବା ଏକ ଛୋଟ ନଦୀର ଗତିପଥ ପରିବର୍ତ୍ତନ ପୂର୍ବକ ଚୀନ ନେପାଳର ସୀମାକୁ ମାଡିବସିଥିବା ଜଣାପଡ଼ିଛି। ଚୀନ ସରକାର ତିବ୍ବତ ସ୍ୱୟଂଶାସିତ ଅଞ୍ଚଳକୁ ସଡକ ଯୋଗାଯୋଗ ବିସ୍ତାର କରୁଥିବାବେଳେ ଅନେକ ଛୋଟ ନଦୀ ଓ ନାଳର ଗତିପଥ ପରିବର୍ତ୍ତନ ହୋଇଛି।