କେବଳ ଭାରତ ନୁହେଁ; ୧୮ ଦେଶ ସହ ଚୀନର ସୀମା ବିବାଦ

କେବଳ ଭାରତ କିମ୍ବା ଭୁଟାନ ନୁହେଁ । ନିଜ ସୀମାକୁ ଲାଗିଥିବା ୧୮ ଦେଶ ସହ ଚୀନର ସୀମା ବିବାଦ ଲାଗି ରହିଛି । ଆନ୍ତର୍ଜାତିକ ଅଦାଲତ (ଆଇସିଜେ)ରେ କେତେକ ମାମଲା ବିଚାରାଧୀନ ମଧ୍ୟ ରହିଛି । ସ୍ପାର୍ଟଲୀ ଦ୍ବୀପ ବିବାଦରେ ଆନ୍ତର୍ଜାତିକ ଅଦାଲତ ଫିଲପାଇନ୍ସ ସପକ୍ଷରେ ରାୟ ଦେଇଛି ।  ଏହା ସତ୍ତ୍ବେ ଚୀନ ବାରମ୍ବାର ନିଜ ପଡ଼ୋଶୀମାନଙ୍କ ସହ ବିବାଦ ଘଟାଇବାକୁ ପଛଘୁଞ୍ଚା ଦେଉନାହିଁ । ବିଡ଼ମ୍ବନା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୋକ୍ଷରେ ଚୀନର ବିସ୍ତାରବାଦୀ ନୀତିକୁ ସମାଲୋଚନା କରିବା ପରେ ଚୀନ ପକ୍ଷରୁ ଏକ ବିବୃତି ଜାରି କରାଯାଇ ୧୪ ପଡ଼ୋଶୀ ଦେଶ ସହ ଶାନ୍ତିରେ ସୀମା ବିବାଦ ସମାଧାନ କରାଯାଇଛି ବୋଲି କୁହାଯାଇଛି ।

ଭାରତ-ଚୀନ ସୀମା ବିବାଦ ପ୍ରାୟ ୩୫ କିଲୋମିଟର ଏଲଏସିରେ ରହିଛି । ଚୀନ ଲାଦାଖରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବିବାଦ ସୃଷ୍ଟି କରିଛି । ସାମ୍ପ୍ରତିକ ବିବାଦ ପୂର୍ବ ଲାଦାଖର ୪ ସ୍ଥାନକୁ ନେଇ ହୋଇଛି । ଏହାବ୍ୟତୀତ ଚୀନ ଭାରତର ୩୮୦୦୦ ବର୍ଗ କିଲୋମିଟର ଅକ୍ସାଇ ଚୀନ ଉପରେ ନିଜର ଅଧିକାର ସାବ୍ୟସ୍ତ କରି ବସିଛି । ଭାରତ ଯେତେବେଳେ ଏହି ପ୍ରସଙ୍ଗ ଉଠାଇଛି ସେତେବେଳେ ଚୀନ ବିଳିବିଳେଇବା ଆରମ୍ଭ କରିଛି । ବାସ୍ତବରେ ଲାଦାଖରେ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ସ୍ଥିତି ପଛରେ ଅକସାଇ ଚୀନ ହିଁ ରହିଛି । କେବଳ ସେତିକି ନୁହେଁ ଚୀନ୍ ଲାଦାଖ ଓ ଅରୁଣାଚଳ ପ୍ରଦେଶକୁ ତିବ୍ଦତର ଅଂଶ ବୋଲି ଉଲ୍ଲେଖ କରି ନିଜର ଦାବି ଦୋହରାଉଥିବା ଦେଖାଯାଉଛି ।

ଭୁଟାନ: ଦୁଇଦିନ ତଳେ ଭୁଟାନର ପୂର୍ବ ଅଞ୍ଚଳରେ ପ୍ରଥମକରି ଚୀନ ନିଜର ଦାବିଦାରୀ ସାବ୍ୟସ୍ତ କରି ନୂଆ ବିବାଦ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଭୁଟାନର ଉତ୍ତର ଓ ପଶ୍ଚିମ ଭାଗରେ ମଧ୍ୟ ନିଜର ଅଧିକାର ସାବ୍ୟସ୍ତ କରୁଛି । ସୂତ୍ର ଅନୁସାରେ ଭୁଟାନର ପୂର୍ବ ଭାଗ ଅରୁଣାଚଳ ପ୍ରଦେଶକୁ ସଂଯୋଗ କରିଛି । ଏକ ସମୟରେ ଭାରତ ଓ ଭୁଟାନ ସହ ଚୀନ ବିବାଦ ଆରମ୍ଭ କରିଛି ।

ବ୍ରୁନେଇ: ବ୍ରୁନେଇର ଏକ୍ଲୁସିଭ୍ ଇକୋନୋମିକ ଜୋନ (ଇଇଜେଡ଼) ଦକ୍ଷିଣ ଚୀନ ସାଗର ମଧ୍ୟରେ ଆସୁଛି । ଏଠାରେ ଚୀନ ନିଜର ଦାଦାଗିରି ଦେଖାଇ ଇଇଜେଡ଼୍ ଅଂଶକୁ ନିଜର ବୋଲି ଘୋଷଣା କରିଛି ।

ମାଲେସିଆ: ମାଲେସିଆକୁ ସଂଯୋଗ କରୁଥିବା ଚୀନ ସାଗର ଓ ଇଇଜେଡ଼ରେ ନିଜର ଅଧିକାର ସାବ୍ୟସ୍ତ କରି ମାଲେସିଆ ସହ ଚୀନ ବିବାଦ ସୃଷ୍ଟି କରିଛି ।

ଲାଓସ: ଚୀନ ଲାଓସକୁ ୧୨୭୧ରୁ ୧୩୬୮ ପର୍ଯ୍ୟନ୍ତ ଅଧିକାର କରିଥିଲା । ଏଠାରେ ୟୁହାନ ବଂଶର ଉଦାହରଣ ଦେଇ ପୁରା ଲାଓସକୁ ନିଜର ଦେଶରେ ସାମିଲ କରିଛି ।

କାମ୍ବୋଡ଼ିଆ: ଲାଓସ ପରି କାମ୍ବୋଡ଼ିଆକୁ ମଧ୍ୟ ଚୀନ୍ ଶାସକମାନେ ୧୩୬୮ରୁ ୧୬୪୪ ପର୍ଯ୍ୟନ୍ତ ଶାସନ କରୁଥିଲେ । ଚୀନ ଦଲିଲ ଅନୁସାରେ ତତ୍କାଳୀନ ରାଜବଂଶ ଶାସନ ଅନୁସାରେ କାମ୍ବୋଡ଼ିଆର ବିଶାଳ ଅଞ୍ଚଳକୁ ଚୀନ ନିଜ ଦଖଲକୁ ନେଇ ଯାଇଛି।

ଥାଇଲାଣ୍ଡ: ଥାଇଲାଣ୍ଡରେ ମିକାଂ ନଦୀରେ ଚୀନ ବଳପୂର୍ବକ ନିଜ ମାଲବାହୀ ଜାହାଜ ଚଳାଚଳ କରାଉଛି । ଚୀନ ୟୁନାନର ଦକ୍ଷିଣ ପୂର୍ବ ଏସିଆ ପର୍ଯ୍ୟନ୍ତ ନିଜର ମାଲ ପରିବହନ ନିମନ୍ତେ ଏହି ପଥକୁ ବ୍ୟବହାର କରୁଛି । ଥାଇଲାଣ୍ଡର ଅଭିଯୋଗ ହେଉଛି ଯେ ଚୀନ ଏହି ନଦୀରେ ବନ୍ଧ ବାନ୍ଧି ପ୍ରାକୃତିକ ଜଳଧାରାକୁ ରୋକିଛି ।

ଜାପାନ: ଜାପାନ ସହ ଚୀନର ବିବାଦ ବି ନୂଆ ନୁହେଁ । ଦକ୍ଷିଣ ଚୀନ୍ ସାଗର, ସୈଫାଫୁ ଓ ରିୟୁକେୟୁ ଦ୍ବୀପ ଉପରେ ବିବାଦ ବହୁ ପୁରୁଣା । ଜାପାନର ବାୟୁ ସୀମା ଓ ଇଇଜେଡ଼କୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି ।

ଭିଏତନାମ: ମେକାଲେସ ଫିଲ୍ଡ଼ ନଟ, ପାରାସୋଲ ଓ ଇସ୍ପାର୍ଟଲ ଦ୍ବୀପକୁ ନେଇ ଭିଏତନାମ ସହ ଚୀନର ବିବାଦ ରହିଛି । ଏହା ସହ ଦକ୍ଷିଣ ଚୀନ ସାଗରରେ ଚୀନର ବଳପୂର୍ବକ ଦଖଲକୁ ମଧ୍ୟ ଭିଏତନାମ ବିରୋଧ କରୁଛି ।

ନେପାଳ: ଦୋଲାଖାରେ ତିନ ପିଲର ଓ ମାଉଣ୍ଟ ଏଭେରେଷ୍ଟ ଅଞ୍ଚଳରେ ଦୁଇ ପିଲାରକୁ ନେଇ ନେପାଳ ସହ ଚୀନର ପୁରୁଣା ବିବାଦ ରହିଛି । ଚୀନ ନେପାଳର କିଛି ଅଂଶକୁ ତିବ୍ଦତର ବୋଲି ମାନୁଥିବାରୁ ନେପାଳ-ଚୀନ ସୀମା ବିବାଦ ମଧ୍ୟ ରହିଛି ।

କାଜକିସ୍ତାନ: କାଗାଜିସ୍ତାନର ପ୍ରାୟ ୧୪ ହଜାର ବର୍ଗ କିଲୋମିଟର ଜମି ଉପରେ ଚୀନ ନିଜର ଅଧିକାର ସାବ୍ୟସ୍ତ କରୁଛି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ରହିଛି ।

ତାଇୱାନ: ଲାଓସ ପରି ୟୁହାନ ବଂଶ ଏକଦା ତାଇୱାନରେ ଶାସନ କରୁଥିଲେ । ତେଣୁ ତାଇୱାନକୁ ଚୀନ ନିଜ ଦେଶର ଅଂଶ ରୂପେ ଦାବି କରୁଥିବାରୁ ଏଠାରେ ବିବାଦ ସୃଷ୍ଟି ହୋଇଛି ।

ଉତ୍ତରକୋରିଆ: ଉତ୍ତର କୋରିଆର ମାଉଣ୍ଟ ପିକଟୁ, ୟୁଏତୁମେରୀ ନଦୀକୁ ନେଇ ବିବାଦ ରହିଛି । ସେହିପରି ଚୀନ ଏକଦା ପୁରା ଉତ୍ତର କୋରିଆକୁନିଜର ବୋଲି ଦାବି କରୁଥିଲା । ମାତ୍ର ଏବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ରହିଛି ।

ଦକ୍ଷିଣ କୋରିଆ: ପୂର୍ବ ଚୀନ ସାଗରରେ ଲି ଅଡ଼ିଓକୁ ନେଇ ଦକ୍ଷିଣ କୋରିଆ ସହ ଚୀନର ବିବାଦ ରହିଛି । ସେହିପରି ଜାପାନ ପରି ଦକ୍ଷିଣ କୋରିଆର ବାୟୁ ସୀମା ଓ ଇଇଜେଡ଼କୁ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ।

ତାଜିକିସ୍ତାନ: ଚୀନ ତାଜିକିସ୍ତାନ ସୀମାରେ ଉତ୍ତେଜନା ସୃଷ୍ଟି କରି ୧୯୯୯ରେ ୨୦୦ ବର୍ଗ କିଲୋମିଟର ଓ ୨୦୦୨ରେ ୧୧୨୨ ବର୍ଗ କିଲୋମିଟର ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି । ଏହି ଅଞ୍ଚଳରେ ଏବେ ବି ଦୁଇ ଦେଶ ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି ।

କିର୍ଗିସ୍ତାନ: ଚୀନ ପୁରା କିର୍ଗିସ୍ତାନ ଉପରେ ନିଜର ଅଧିକାର ଦାବି କରି ଆସୁଛି । ମାତ୍ର ବର୍ତମାନ ବିବାଦ ୭୨୫୦ ବର୍ଗ କିଲୋମିଟର ଜମିକୁ ନେଇ ସୃଷ୍ଟି ହୋଇଛି ।

Comments are closed.