ଚୀନ୍‌ର ହାୱିଜର କମାଣ ମୁତୟନ

ବେଜିଂ/ନୂଆଦିଲ୍ଲୀ : ଚୀନ୍‌ ଭାରତକୁ ସବୁ ଦିଗରୁ ଘେରିବା ଉଦ୍ୟମ ଅବ୍ୟାହତ ରଖିଛି। ପ୍ରାୟ ଦେଢ଼ ମାସ ଧରି ଲଦାଖ ସୀମାରେ ଉତ୍ତେଜନାମୂଳକ ସ୍ଥିତି ଜାରି ରହିଥିବାବେଳେ ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲଏ)ର ଗ୍ରୁପ୍‌-୭୫ ଅତ୍ୟାଧୁନିକ ପିସିଏଲ-୧୮୧ ହାୱିଜର କମାଣକୁ ନେଇ ଉତ୍ତର-ପଶ୍ଚିମ ସୀମାନ୍ତର ମରୁଭୂମି ଅଞ୍ଚଳ ନାନ୍‌ଜିଆଙ୍ଗ ହାଓଜିଆଠାରେ ଯୁଦ୍ଧାଭ୍ୟାସ ଚଳାଇଛି। ଚୀନ୍‌ ସରକାରଙ୍କ ମୁଖପତ୍ର ‘ଗ୍ଲୋବାଲ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଯେ ‘ହର୍ଣ୍ଣ ଅଫ୍‌ ଦି ସାଉଥ୍‌ ବର୍ଡର’ ଭାବେ ପରିଚିତ ଏହି ଅଞ୍ଚଳରେ ଉକ୍ତ ୧୫୫ମିମି କାଲିବର ବିଶିଷ୍ଟ କମାଣ ସହିତ କିଛି ନୂଆ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ମୁତୟନ କରାଯାଇଛି। ଗତବର୍ଷ ଅକ୍ଟୋବରରେ ଅନୁଷ୍ଠିତ ଦେଶର ସେନା ପରେଡରେ ଏହି କମାଣ ପ୍ରଦର୍ଶିତ ହୋଇଥିଲା। ପାହାଡ଼ିଆ ଇଲାକାରେ ଏହି କମାଣ ଅତ୍ୟନ୍ତ ଉପଯୋଗୀ। ଡୋକଲାମ ବିବାଦ ସମୟରେ ଏହି କମାଣ ସୀମାକୁ ପଠାଯାଇଥିଲା। ଚୀନ୍‌ ପକ୍ଷରୁ ଭାରତ ସୀମାନ୍ତ ବାରହୋତିକୁ ସେନା ହେଲିକପ୍ଟର ପଠାଯିବା ସହ ଭାରତୀୟ ସହର ଗରୱାଲଠାରୁ ୩୦କିମି ଦୂରରେ ବୃହତ୍‌ ସେନା ଘାଟି ନିର୍ମାଣ କରିଛି।
ଲଦାଖ ସୀମା ବିବାଦ ତୁଟାଇବା ପାଇଁ ଗତ ୬ ତାରିଖରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସେନାଧିକାରୀ ବୈଠକ ପରେ ଉଭୟ ଦେଶର ସେନା ଅଢ଼େଇ କିଲୋମିଟର ପଛକୁ ଘୁଞ୍ଚିଛନ୍ତି। ବିବାଦର ସମାଧାନ ପାଇଁ ତୁହାକୁ ତୁହା ବୈଠକ ଅନୁଷ୍ଠିତ ହେଉଛି; କିନ୍ତୁ ଏହାକୁ ଏଡ଼ାଇଯାଇ ଚୀନ୍‌ ସମଗ୍ର ସୀମାନ୍ତରେ ସେନା ମୁତୟନ କରିବାରେ ଲାଗିଛି। ଭାରତର ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌ ଓ ହିମାଚଳ ପ୍ରଦେଶ ସଂଲଗ୍ନ ୩୪୮୮କିମି ସୀମାନ୍ତ (ଏଲଏସି)ରେ ଏହା ନିଜର ସୈନ୍ୟ ଠୁଳ କରିବାରେ ଲାଗିଛି। ଏହାର ଜବାବ ଦେବାକୁ ଯାଇ ଭାରତ ମଧ୍ୟ ଏହି ସୁଦୀର୍ଘ ସୀମାରେ ନିଜର ସାମରିକ ଶକ୍ତି ବୃଦ୍ଧି ଘଟାଇଛି। ଅଧିକ ସୈନ୍ୟ ଠୁଳ କରାଯିବା ସହ ଲଦାଖ ନିକଟରେ ନିର୍ମାଣାଧୀନ ସଡ଼କ କାର୍ଯ୍ୟକୁ ତ୍ବରାନ୍ବିତ କରିଛି। ସେଠାକୁ ହେଲିକପ୍ଟର ମାଧ୍ୟମରେ ଅଧିକ ସାଜ ସରଞ୍ଜାମ ଓ କଞ୍ଚାମାଲ ପଠାଇବାରେ ଲାଗିଛି। ଏହି ସଡ଼କ ନିର୍ମାଣକୁ ଚୀନ୍‌ ବିରୋଧ କରିଆସୁଥିଲେ ମଧ୍ୟ ଭ୍ରୁକ୍ଷେପ କରୁ ନାହିଁ। ସିକିମ୍ ଓ ହିମାଚଳ ପ୍ରଦେଶରେ ଅଧିକ ସୈନ୍ୟ ମୁତୟନ ହୋଇଥିବାବେଳେ ବାୟୁସେନା ପକ୍ଷରୁ ଉତ୍ତରାଖଣ୍ଡର ଅଗ୍ରଣୀ କ୍ଷେତ୍ରରେ ବିମାନ ଅବତରଣକେନ୍ଦ୍ର ପ୍ରସ୍ତୁତ କରାଯାଉଛି। ଲଦାଖରେ ତିନି ପଦାତିକବାହିନୀ ଡିଭିଜନ ଥିବାବେଳେ ଅତିରିକ୍ତ ଦୁଇ ବ୍ରିଗେଡ ମୁତୟନ କରାଯାଇଛି।

ସିଡିଏସ୍‌,ତିନି ସେନାମୁଖ୍ୟଙ୍କ ସହ ରାଜନାଥଙ୍କ ବୈଠକ

ନୂଆଦିଲ୍ଲୀ : ପୂର୍ବ ଲଦାଖର ସୀମା ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତିନି ସୈନ୍ୟ ବାହିନୀର ମୁଖ୍ୟଙ୍କ ସହିତ ବୈଠକ କରିଛନ୍ତି। ବୈଠକରେ ରାଜନାଥ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ସ୍ଥିତି ସମ୍ପର୍କରେ ଅବଗତ ହେବା ସହିତ କି ପ୍ରକାର ପଦକ୍ଷେପ ନିଆଯିବ ତା’ର ଆଲୋଚନା କରିଥିଲେ। ବିବାଦୀୟ ସ୍ଥଳରେ ଉଭୟ ପକ୍ଷର ସୈନ୍ୟ ମୁତୟନ ସମ୍ପର୍କରେ ରାଜନାଥଙ୍କୁ ସିଡିଏସ୍ ରାୱତ ଅବଗତ କରାଇଥିଲେ। ସୀମା ବିବାଦକୁ ନେଇ ଶୁକ୍ରବାର ପୁନର୍ବାର ଲେପ୍ଟନାଣ୍ଟ ଜେନେରାଲସ୍ତରରେ ଆଲୋଚନା ହେବା ପ​‌େ​‌ର ପରିସ୍ଥିତି କିପରି ରହିଛି ତାହା ଜାଣିବା ଲାଗି ରାଜନାଥ ଏପରି ବୈଠକ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ଲଦାଖ ସହିତ ଅରୁଣାଚଳ ଓ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରେଖାର ସ୍ଥିତି ବାବଦରେ ପ୍ରତିରକ୍ଷା ମନ୍ତ୍ରୀ ଅବଗତ ହୋଇଛନ୍ତି। ଚୀନ ସହିତ ସୀମା ବିବାଦ ଦେଖାଯିବା ପରଠାରୁ ରାଜନାଥଙ୍କର ଏହା ଦ୍ବିତୀୟ ସମୀକ୍ଷା ବୈଠକ। ଏହା ପୂର୍ବରୁ ଜୁନ୍‌ ୮ରେ ପ୍ରଥମ ସମୀକ୍ଷା ବୈଠକ କରିଥିଲେ। ଲଦାଖର ସୀମା ବିବାଦକୁ ସମାଧାନ ଲାଗି ଉଭୟ ଦେଶ କୂଟନୈତିକ ଓ ସାମରିକ ସ୍ତରରେ ନିୟମିତ ଆଲୋଚନା ଜାରି ରଖିଛନ୍ତି। ଆଲୋଚନାର ସକାରାତ୍ମକ ଅଗ୍ରଗତି ହେଉଥିବା ଉଭୟ ଦେଶ କହୁଛନ୍ତି ା

Comments are closed.