ଭାରତ ସୀମାରେ ୧୬ ବିମାନଘାଟି ନିର୍ମାଣ କରୁଛି ଚୀନ୍‌

ଲଦାଖ ସୀମାକୁ ଭାରତ ପଠାଇଲା ଅତିରିକ୍ତ ୧୫ହଜାର ସୈନ୍ୟ

ନୂଆଦିଲ୍ଲୀ : ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଦୀର୍ଘ ତିନି ଦଶନ୍ଧି ପରେ ଅରୁଣାଚଳ ପ୍ରଦେଶ ସୀମାନ୍ତ ତିବ୍‌ବତୀୟ ସହର ପରିଦର୍ଶନ କରିବା ଅବସରରେ ତାଙ୍କ ସରକାରର ଆଉ ଏକ ବଡ଼ ଯୋଜନା ସାମ୍ନାକୁ ଆସିଛି। ଚୀନ୍‌ ଭାରତକୁ ଘେରିବା ଯୋଜନାରେ ଲଦାଖ, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ସୀମାରେ ଅନ୍ୟୂନ ୧୬ ବିମାନଘାଟି ନିର୍ମାଣ କରିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ଏଥିସହିତ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିଛି।
ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଓ ରୁଷ୍‌କୁ ଳାଗିଥିବା ସିନ୍‌ଜିଆଙ୍ଗ ପ୍ରଦେଶରେ ଏହି କାର୍ଯ୍ୟ ଜାରି ରହିଛି। ସୂଚନାନୁଯାୟୀ, ଆଲି ଗୁନ୍‌ସା, ବୁରାଙ୍ଗ ଓ ତାସକୋରଗାନ୍‌ଠାରେ ତିନିଟି ପ୍ରଥମ ଶ୍ରେଣୀ ବିମାନଘାଟି ନିର୍ମାଣ କରାଯାଇଛି। ଏଗୁଡ଼ିକ ଉଭୟ ସାମରିକ ଓ ସାଧାରଣ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ତାସ୍‌କୋରଗାମ ଘାଟି କାରାକୋରମ୍‌ ନିକଟରେ ଅବସ୍ଥିତ। ଏହା ପାକିସ୍ତାନ ଅଧିକୃତ କାଶ୍ମୀରର ଗିଲଗିଟ୍‌କୁ ନିକଟ। ଏହାଦ୍ବାରା ସିଆଚେନ୍‌ ଉପରେ ଚୀନ୍‌ ନଜର ରଖିବା ଯୋଜନା କରିଛି। କାରାକୋରମ୍‌ ନିକଟ ହୋଟାନ, ସାଚେ, କାଶୀ, ୟୁତିନ୍‌ ୟାଙ୍ଗ ଫଙ୍ଗଠାରେ ୪ଟି ବିମାନ ଘାଟି ନିର୍ମାଣ କରୁଛି। ଏ ସବୁର ନିର୍ମାଣ ଆସନ୍ତା ବର୍ଷକ ମଧ୍ୟରେ ଶେଷ ହେବ। ହୋଟାନ୍‌ ହେଉଛି ଲଦାଖକୁ ନିକଟତର। ଅଲି ଗୁନ୍‌ସା ବିମାନଘାଟୀ ଉତ୍ତରାଖଣ୍ଡକୁ ପାଖ ହେବ ଏବଂ ପାନ୍‌ଗଙ୍ଗ ହ୍ରଦରୁ ୨୦୦କିମି ଦୂର। ବୁରାଙ୍ଗ ବିମାନଘାଟି ତିବ୍‌ବତ-ନେପାଳ-ଭାରତ ସଂଲଗ୍ନ ଅଞ୍ଚଳରେ ଅବସ୍ଥିତ। ଅପରପକ୍ଷରେ ଭାରତ ପକ୍ଷରୁ ଚୀନ୍‌ର ମୁକାବିଲା ପାଇଁ ଲଦାଖ ସୀମାରେ ଅତିରିକ୍ତ ୧୫୦ଜାର ସୈନିକ ମୁତୟନ କରାଯାଇଛି। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ମହଜୁଦ ବାହିନୀକୁ ଲଦାଖ ସେକ୍ଟରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସେମାନେ ଲେହ୍‌ସ୍ଥିତ ୧୪-କର୍ପସ୍‌ ମୁଖ୍ୟାଳୟରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ପାହାଡ଼ିଆ ଯୁଦ୍ଧରେ ସିଦ୍ଧହସ୍ତ ୧୭ ବାହିନୀ ଅଛନ୍ତି। ପୂର୍ବରୁ ଲଦାଖରେ ୫୦ହଜାରରୁ ଅଧିକ ସେନା ମୁତୟନ ଅଛନ୍ତି।

Comments are closed.