ଚୀନ ବାରଣ କରୁଛି ମୃତ ସୈନିକଙ୍କ ଶେଷକର୍ମ

ୱାଶିଂଟନ: ଲଦାଖ ସୀମାର ଗଲୱାନ ଉପତ୍ୟକାରେ ହୋଇଥିବା ସଂଘର୍ଷରେ ଚୀନ ଏହାର ସୈନିକଙ୍କ ମୃତ୍ୟୁସଂଖ୍ୟା ପ୍ରକାଶ କରିବାରେ କୁଣ୍ଠାବୋଧ କରିଆସୁଛି। ଦେଶ ପାଇଁ ଜୀବନ ଦେଇଥିବା ସୈନିକଙ୍କ ବୀରତାକୁ ଚୀନ ସ୍ବୀକୃତି ଦେବା ପରିବର୍ତ୍ତେ ସେମାନଙ୍କ ପରିବାରକୁ ନିର୍ୟାତନା ଦେଇଛି। ସୈନିକଙ୍କ ମୃତଦେହକୁ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ପରିବର୍ତ୍ତେ ଗଣକବର ଦେଇଛି ବୋଲି ଆମେରିକା ଗୁଇନ୍ଦା କହିଛି। ଏପରିକି ସୈନିକଙ୍କ ମୃତ୍ୟୁ ପାଇଁ କୌଣସି ପ୍ରକାର ଶେଷକର୍ମ ପାଳନ କରିବାକୁ ଚୀନ ସେମାନଙ୍କ ପରିବାର ବର୍ଗକୁ ବାରଣ କରିଛି। ନିଜର ନିକଟ ସମ୍ପର୍କୀୟଙ୍କୁ ହରାଇଥିବା ପରିବାର ବର୍ଗଙ୍କ ପାଇଁ ଏପରି କଟକଣା ବଡ ଦୁଃଖ ​ଦେଇଛି। କରୋନା ପାଇଁ ଏପରି କଟକଣା ଲାଗୁ କରାଯାଇଥିବା ଚୀନ କହୁଥିବାବେଳେ ବାସ୍ତବରେ ଗଲୱାନ ମୃତ୍ୟୁକୁ ଲୁଚାଇବା ଲାଗି ଚୀନ ଏପରି କରିଛି ବୋଲି ଆମେରିକା ଗୁଇନ୍ଦା ପକ୍ଷରୁ କୁହାଯାଇଛି।

ଚୀନ କମ୍ୟୁନିଷ୍ଟ ପାର୍ଟି ସରକାରର ଏପରି କାର୍ୟ୍ୟରେ ସୈନିକଙ୍କ ପରିବାର ଦୁଃଖିତ ଓ ମର୍ମାହତ ଥିବା ଆମେରିକାସ୍ଥିତ ବ୍ରେଇଟବାର୍ଟ ନ୍ୟୁଜ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ସୈନିକଙ୍କ ପରିବାର ୱିବୋ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ନିଜର କ୍ରୋଧ ପ୍ରକଟ କରୁଥିବାବେଳେ ଚୀନ ସରକାର ଏହାକୁ ନିରବ କରିବା ଲାଗି ପ୍ରୟାସ ଚଳାଛନ୍ତି। ଗଲୱାନ ସଂଘର୍ଷର ଏକମାସ ବିତିଯାଇଥିବାବେଳେ ଚୀନ ଏହାର ସୈନିକଙ୍କ ମୃତ୍ୟୁସଂଖ୍ୟା ଘୋଷଣା କରିନାହିଁ। ଆମେରିକା ଗୁଇନ୍ଦାର କହିବା ଅନୁଯାୟୀ ଚୀନର ୩୫ ସୈନ୍ୟ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ସଂଘର୍ଷରେ ପ୍ରାଣ ହରାଇଥିବା ଭାରତ ସୈନିକଙ୍କ ସଂଖ୍ୟା ସରକାର ଘୋଷଣା କରିବା ସହିତ ସେମାନଙ୍କୁ ସହିଦର ମର୍ୟ୍ୟାଦା ପ୍ରଦାନ କରିଛି। କରୋନା କଟକଣା ସତ୍ତ୍ବେ ସହିଦଙ୍କ ମରଶରୀରକୁ ସେମାନଙ୍କ ପରିବାରବର୍ଗକୁ ହସ୍ତାନ୍ତର ସହ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ସଂସ୍କାର କରାଯାଇଛି।

Comments are closed.