ଚୀନର ଓବିଓଆର୍‍ ପ୍ରକଳ୍ପରୁ ଓହରିଲା ମାଲେସିଆ

0

ବେଜିଂ : ଚୀନର ମହାତ୍ୱାକାଂକ୍ଷୀ ୱାନ ବେଲ୍ଟ ୱାନ ରୋଡ (ଓବିଓଆର) ପ୍ରକଳ୍ପକୁ ଏକ ବଡ଼ ଝଟକା ଲାଗିଛି। ମାଲେସିଆ ଏହି ପ୍ରକଳ୍ପରୁ ଓହରି ଯାଇଛି। ଚୀନ ଯାତ୍ରାର ଅନ୍ତିମ ଦିନରେ ମଙ୍ଗଳବାର ମାଲେସିଆ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ଏନେଇ ଚୀନ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗକୁ ଅବଗତ କରାଇଥିଲେ। ଏହାପରେ ଚୀନର ଓବିଓଆର ପ୍ରକଳ୍ପରୁ ମାଲେସିଆ ଓହରି ଯାଇଥିବା ସେ ଘୋଷଣା କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଚୀନର ଏହି ପ୍ରଳଳ୍ପକୁ ନେଇ ଭାରତ ସମେତ ବିଶ୍ୱର ଅନେକ ରାଷ୍ଟ୍ରର ଆପତ୍ତି ରହିଛି। ବିବାଦୀୟ ଗିଲଗିଟ୍‍ ବାଲଟିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ମଧ୍ୟ ଦେଇ ଚୀନର ଏହି ରାସ୍ତା ନିର୍ମାଣ କରୁଛି ଓ ଭାରତ ଏହାକୁ ନିଜର ସାର୍ବଭୌମତ୍ୱ ବିରୋଧୀ ବୋଲି ଦର୍ଶାଇଛି। ଚୀନ ଏହି ପ୍ରକଳ୍ପ ଜରିଆରେ ଅନେକ ରାଷ୍ଟ୍ରଙ୍କୁ ବହୁ ଅର୍ଥ ଋଣ ଆକାରରେ ଦେଉଛି। ତେବେ ଏହି ଋଣ ଟଙ୍କାକୁ ଆଧାର କରି ଚୀନ ସେହି ରାଷ୍ଟ୍ରଗୁଡ଼ିକର ବିଭିନ୍ନ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ଯୋଜନା କରୁଥିବା ଆଶଙ୍କା କରାଯାଉଛି। ମାଲେସିଆ ପ୍ରଧାନମନ୍ତ୍ରୀ ଅର୍ଥ କଥା ଉଠାଇ ମାଲେସିଆରେ ଓବିଓଆର ପ୍ରକଳ୍ପକୁ ବାତିଲ କରି ଦିଆଯାଇଥିବା ଘୋଷଣା କରିଛନ୍ତି। ମହାତିର କହିଛନ୍ତି ଯେ ଚୀନର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ସେ ଏନେଇ କଥା ହୋଇଛନ୍ତି। ମାଲେସିଆର ନିଷ୍ପତ୍ତିକୁ ଚୀନ ଗ୍ରହଣ କରିଛି। ଏହି ପ୍ରକଳ୍ପ ଦ୍ୱାରା ଉଭୟ ରାଷ୍ଟ୍ରର ଲାଭ ହେବ ବୋଲି ପୂର୍ବରୁ ଚୀନ ପକ୍ଷରୁ କୁହାଯାଇଥିଲା। ଏହି ପ୍ରକଳ୍ପରେ ମାଲେସିଆରେ ୨୦ ଶହ କୋଟି ଡଲାରରେ ପୂର୍ବତଟ୍‍ ରେଳ ଲିଙ୍କ୍‍ ଏବଂ ୨..୩ ଶହ କୋଟି ଡଲାର ଦୁଇଟି ଏନର୍ଜି ପାଇପ ଲାଇନ ନିର୍ମାଣ ହୋଇଥାନ୍ତା। ପ୍ରକଳ୍ପରୁ ଓହରିଯିବା ପରେ ମାଲେସିଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁ ମାମଲା ଏତେ ପରିମାଣର ଅର୍ଥ ବିନିଯୋଗର ଥିଲା ଓ ଏତେ ପରିମାଣର ଅର୍ଥ ପାଇଁ ଆମର ସାମର୍ଥ୍ୟ ନାହିଁ। ଏତେ ପରିମାଣର ଋଣ ନେଇ ଆମେ ପରିଶୋଧ କରି ପାରିବୁ ନାହିଁ। ଏବେ ମାଲେସିଆରେ ଏହି ପ୍ରକଳ୍ପର ଆବଶ୍ୟକତା ନାହିଁ। ଆବଶ୍ୟକତା ପଡ଼ିଲେ ଭବିଷ୍ୟତରେ ଏହି ପ୍ରକଳ୍ପର ପୁନଃ ଆରମ୍ଭ କରାଯିବ। ଏବେ ମାଲେସିଆ ଜାତୀୟ ଋଣକୁ କମ୍‍ କରିବାକୁ ଲକ୍ଷ୍ୟ ରଖିଛି।

Leave A Reply