ପାକିସ୍ତାନ କିଣିଲା ଚୀନ ନିର୍ମିତ ୨୫ଟି ଜେ-୧୦ସି ଲଢୁଆ ବିମାନ

ଇସଲାମାବାଦ: ଭାରତ ଫ୍ରାନ୍ସ ନିକଟରୁ ଲଢୁଆ ଯୁଦ୍ଧ ବିମାନ ରାଫେଲ କ୍ରୟ କରିବା ପରେ ପାକିସ୍ତାନ ତାହାର ସବୁଦିନିଆ ମିିତ୍ର ରାଷ୍ଟ୍ର ଚୀନ ନିକଟରୁ ଗୋଟିଏ ପୂର୍ଣ୍ଣ ସ୍କ୍ୱାଡ୍ରନ ଜେ-୧୦ସି ଲଢୁଆ ବିମାନ ଖରିଦ କରିଛି । ଏଥିରେ ୨୫ଟି ବିବିଧ ଉଦ୍ଦେଶ୍ୟ ସାଧନକାରୀ ବିମାନ ରହିଛି । ସୂଚନାଯୋଗ୍ୟ ଯେ ଭାରତ ନିଜର ବାୟୁସେନାର ଲଢୁଆ କ୍ଷମତା ବୃଦ୍ଧି କରିବାକୁ ଫ୍ରାନ୍ସ ସରକାରଙ୍କ ସହିତ ୩୬ଟି ରାଫେଲ ବିମାନ କିଣିବାକୁ ପାଞ୍ଚବର୍ଷ ତଳେ ୫୯ ହଜାର କୋଟି ଟଙ୍କାର ରାଜିନାମା କରିଥିଲା ।
ଗଣମାଧ୍ୟମ ନିକଟରେ ପ୍ରକାଶକରି ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଶେଖ ରଶିଦ ଅହମଦ ବୁଧବାର କହିଛନ୍ତି, ଚୀନ ନିକଟରୁ ମିଳିଥିବା ଏହି ୨୫ଟି ଲଢୁଆ ବିମାନ ପାକିସ୍ତାନ ପ୍ରତିଷ୍ଠା ଦିବସ ଉତ୍ସବରେ ଆସନ୍ତା ବର୍ଷ ମାଚ୍‍ର୍ଚ ୨୩ ଦିନ ଭାଗନେବ । ଉଲ୍ଲେଖଯୋଗ୍ୟ ଯେ ଚୀନ ତାହାର ଜେ-୧୦ସି ଲଢୁଆ ବିମାନକୁ ସର୍ବାଧିକ ଭରସାଯୋଗ୍ୟ ଲଢୁଆ ବିମାନ ବୋଲି ଦାବି କରୁଛି । ସେ କହିଥିଲେ ଯେ ପାକିସ୍ତାନ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେବେ । ଏହି ଅବସରରେ ଜେସି-୧୦ ଲଢୁଆ ବିମାନଗୁଡିକ ଆକାଶମାର୍ଗରେ ଉଡାଣ କରି ସେଗୁଡିକର ସାମରିକ କୌଶଳ ପ୍ରଦର୍ଶନ କରିବ । ସୂଚନାଯୋଗ୍ୟ ଯେ ଗତବର୍ଷ ପାକିସ୍ତାନ-ଚୀନ ମିଳିତ ସମରାଭ୍ୟାସରେ ଜେ-୧୦ସି ଲଢୁଆ ବିମାନ ସାମିଲ ହୋଇଥିଲା । ସେଥିରେ ଯୋଗଦେଇଥିବା ପାକିସ୍ତାନର ବିଶେଷଜ୍ଞମାନେ ଉକ୍ତ ଲଢୁଆ ବିମାନ ପ୍ରଥମ ଥର ଦେଖିବା ସୁଯୋଗ ପାଇଥିଲେ । ଉକ୍ତ ମିଳିତ ସମରାଭ୍ୟାସ ଗତବର୍ଷ ଡିସେମ୍ବର ୭ରେ ଆରମ୍ଭ ହୋଇ ପ୍ରାୟ ୨୦ ଦିନ ଚାଲିଥିଲା । ସେଥିରେ ଚୀନର ଜେ-୧୦ସି, ଜେ-୧୧ବି ଜେଟ୍‍, କେଜେ-୫୦୦ ୟର୍ଲି ୱାର୍ଣ୍ଣିଂ ବିମାନ ଏବଂ ୱାଇ-୮ ଇଲେକଟ୍ରୋନିକ୍ସ ଯୁଦ୍ଧ ବିମାନ ଅଂଶଗ୍ରହଣ କରିଥିବାବେଳେ ପାକିସ୍ତାନ ପକ୍ଷରୁ ଜେଏଫ-୧୭ ଏବଂ ମିରେଜ ୩ ଲଢୁଆ ବିମାନ ସାମିଲ ହୋଇଥିଲା ।

Comments are closed.