ସୈନ୍ୟଙ୍କ ପୂର୍ବରୁ ଯାଯାବର ପଠାଇଥିଲା ଚୀନ୍‌

ଲଦାଖ : ଚୀନ୍‌ ସହିତ ଭାରତର ସୀମା ବିବାଦ ପରିପ୍ରେକ୍ଷୀରେ ଲଦାଖର ସ୍ଥାନୀୟ ଅଧିବାସୀମାନେ ଚମତ୍କାର ସୂଚନା ଦେଇଛନ୍ତି। ସେମାନଙ୍କ କହିବାନୁସାରେ ଚୀନ୍‌ ପ୍ରଥମେ ବିବାଦ ସୃଷ୍ଟି ହୋଇଥିବା ଅଞ୍ଚଳକୁ କିଛି ଯାଯାବର ପଠାଇଥିଲା। ସେମାନେ ଦରବୁକ ଓ ଶ୍ୟୋକ୍‌ ଅଞ୍ଚଳରେ ପ୍ରଥମେ ବୁଲାବୁଲି କରି ଫେରିଥିଲେ। ପରେ ଚୀନ୍‌ ସେନା ସମ୍ପୃକ୍ତ ଅଞ୍ଚଳରେ ବିବାଦ ଆରମ୍ଭ କରିଥିଲେ। ଶ୍ୟୋକ୍‌ ଗ୍ରାମର କାଉନ୍‌ସିଲର ତାସି ନାମଗ୍ୟାଲ ୟାକ୍‌ଜିଙ୍କ କହିବାନୁସାରେ ଏହି ଘଟଣା ପରଠାରୁ ସୀମାନ୍ତରେ ଉଭୟ ପକ୍ଷରୁ ସୈନ୍ୟ ଠୁଳ ହୋଇଛନ୍ତି। ରାତିରେ ଅଧିକ ସୈନ୍ୟଙ୍କ ଚଳପ୍ରଚଳ ନେଇ ସମଗ୍ର ପୂର୍ବ-ଲଦାଖବାସୀ ଭୟଭୀତ। ସୈନ୍ୟ ଠୁଳ ହୋଇଥିବା ଗଲୱାନ ନଳାଠାରୁ ତାଙ୍କ ଗ୍ରାମ ୧୨୦କିମି ଦୂର ହୋଇଥିଲେ ମଧ୍ୟ ସେଠାରେ ଆତଙ୍କର ଛାଇ ଘୋଟି ରହିଥିବା ସେ କହିଛନ୍ତି। ଗତ ସପ୍ତାହେ ହେଲା ସମ୍ପୃକ୍ତ ଅଞ୍ଚଳରେ ମୋବାଇଲ ସେବା ବିଚ୍ଛିନ୍ନ ହୋଇଥିବାବେଳେ ଭାରତୀୟ ସେନା ପାଇଁ ପରିବହନକାରୀ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଫେରାଇ ଦିଆଯାଇଥିବାରୁ ବାସ୍ତବରେ କ’ଣ ଘଟୁଛି କିଛି ଜାଣି ହେଉ ନାହିଁ। ଆମେ କେବଳ ସେମାନଙ୍କ ଛାଉଣୀର ଆଲୁଅ ଦେଖୁଛୁ। ଆମ ମେଷପାଳକମାନେ ଆଉ ସେ ଜାଗାକୁ ଯାଇପାରୁ ନାହାନ୍ତି। ଭାରତ ସରକାର ଏ ଦିଗରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।
ତାସିଙ୍କ କହିବାନୁସାରେ ମଇ ୫ରେ ଦୌଲତ ବେଗ୍‌ ଓଲ୍‌ଡି ଅଞ୍ଚଳରେ ପ୍ରଥମେ ଚୀନ୍‌ ସେନା ପ୍ରବେଶ କରି ଫେରିଯାଇଥିଲେ। ଏହାର ୫ ଦିନ ପରେ ତିନି ଦିଗ ଫୋର୍‌ ଫିଙ୍ଗର୍ସ, ହଟ୍‌ ସ୍ପ୍ରିଙ୍ଗ୍‌ ଓ ଗଲୱାନ ନଦୀ ଦେଇ ପାନଗଙ୍ଗ ଅଞ୍ଚଳରେ ପହଞ୍ଚିଥିଲେ। ସେମାନେ ପ୍ରାୟ ୫କିମି ପଶିଆସିଥିଲେ। ପାନଗଙ୍ଗ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସୂଚନାନୁଯାୟୀ, ଚୀନ୍‌ ସୈନ୍ୟଙ୍କ ସଂଖ୍ୟା କେତେ ଥିଲା କହିହେବ ନାହିଁ; କିନ୍ତୁ ସେମାନେ ଶିବିର ବସାଇଥିଲେ। ଏହା ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ଥିଲା। ତେବେ ଏହି ଘଟଣା ପୂର୍ବରୁ ଚୀନ୍‌ର ଯାଯାବରମାନେ ଡେମ୍‌ଚକ୍‌ଠାରେ ପ୍ରଥମେ ପହଞ୍ଚିଥିଲେ। ଚୀନ୍‌ ପକ୍ଷରୁ ଯେତେବେଳ ବି କିଛି ବିଭ୍ରାଟ ସୃଷ୍ଟି କରାଯାଏ ତା’ ପୂର୍ବରୁ ଏହି ଯାଯାବରଙ୍କୁ ପ୍ରଥମେ ପଠାଯିବାର ନଜିର ରହିଥିବାବେଳେ ଭାରତୀୟ ସେନା ପକ୍ଷରୁ କେବେ ସୀମାନ୍ତ ଅଞ୍ଚଳବାସୀଙ୍କୁ ଏଭଳି ପଠାଯାଇ ନାହିଁ। ଏହି ଅଞ୍ଚଳରେ ଭାରତ ବେଶ୍‌ ବଳିଷ୍ଠ ଥିଲେ ମଧ୍ୟ ଭାରତ ସରକାରଙ୍କ ନିରବତା ନେଇ ଲୋକେ ଆତଙ୍କିତ ବୋଲି ସେ କହିଛନ୍ତି। ସ୍ଥାନୀୟ ବିଜେପି ନେତା ସେରିଙ୍ଗ ଦୋର୍ଜେ ସମାନ କଥା କହିଥିଲେ ମଧ୍ୟ ଭାରତ ସରକାର ନିଶ୍ଚୟ କିଛି ବଡ଼ ପଦକ୍ଷେପ ନେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଗତ ଦୁଇ ବା ତିନି ଦଶନ୍ଧି ମଧ୍ୟରେ ଭାରତ ଡିବିଓ ସେକ୍ଟରରେ ବହୁ ଅଞ୍ଚଳ ହରାଇଲାଣି। ସେଠାରେ ଭାରତର ଭିତ୍ତିଭୂମି ଦୁର୍ବଳ ରହିଛି। ଏଲଏସିରେ ଚୀନ୍‌ ତୁଳନାରେ ଭାରତୀୟ ସେନା କିମ୍ବା ଆଇଟିବିପି ଯବାନଙ୍କ ପହରା କମ୍‌ ରହୁଛି। ଲେହର ଆଗୁଆ କ୍ଷେତ୍ରରେ ଭାରତ ପକ୍ଷରୁ ଅଧିକ ସୈନ୍ୟ ଓ ଅସ୍ତ୍ର ମହଜୁଦ ରଖାଯିବା ଉଚିତ ବୋଲି ସେ କହିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ କୌଣସି ସରକାରୀ ଉଚ୍ଚାଧିକାରୀ ଉପସ୍ଥିତ ରହୁ ନ ଥିବା କହିଛନ୍ତି କଂଗ୍ରେସ ନେତା, ଲଦାଖ ସ୍ବୟଂଶାସିତ ପରିଷଦର ପୂର୍ବତନ ଅଧ୍ୟକ୍ଷ ରିଗ୍‌ଜିନ୍‌ ସ୍ପଲବର।

Comments are closed.