ଅଡ଼ୁଆରେ ଚୀନ୍: କରୋନା ପ୍ରଭାବିତ ଦେଶକୁ ଦେବ ଟୀକା- ଆର୍ଥିକ ସହାୟତା

ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ନିମନ୍ତେ ନିନ୍ଦିତ ହେବା ପରେ ପ୍ରଥମ ଥର ପାଇଁ ନିରବତା ଭାଙ୍ଗିଛି ଚୀନ୍ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବୈଠକ ଅବସରରେ ସୋମବାର କରୋନା ମହାମାରୀ ସମ୍ପର୍କରେ ନିଜର ପକ୍ଷ ରଖିଛନ୍ତି ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ । ସେ କହିଛନ୍ତି ଯେ କରୋନା ଭୂତାଣୁ ସଂକ୍ରମଣର ଆରମ୍ଭରୁ ଏ ପର୍ଯ୍ୟନ୍ତ ଚୀନ ଅତ୍ୟନ୍ତ ସ୍ବଚ୍ଛ ଓ ଦାୟିତ୍ବପୂର୍ଣ୍ଣ ଭାବରେ କାମ କରି ଆସିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସମ୍ବନ୍ଧିତ ଦେଶଗୁଡ଼ିକୁ ଉଚିତ୍ ସମୟରେ ସଠିକ ତଥ୍ୟ ପ୍ରଦାନ କରିଛି ।

ଏକ ଭିଡ଼ିଓ କନ୍ଫରେନ୍ସିଂରେ ସି ଜିଙ୍ଗପିଙ୍ଗ କହିଛନ୍ତି ଯେ ଭୂତାଣୁକୁ ନିୟନ୍ତ୍ରଣ କରାଯିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନେତୃତ୍ବରେ କରୋନାର ବୈଶ୍ବିକ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରାଯିବା ପ୍ରସ୍ତାବକୁ ସେ ସମର୍ଥନ କରୁଛନ୍ତି । ତାଙ୍କ ଦେଶ ସବୁପ୍ରକାର ତଦନ୍ତକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ, ମାତ୍ର ଏହା ସ୍ବତନ୍ତ୍ର ଓ ନିରପେକ୍ଷ ହେବା ଆବଶ୍ୟକ ।

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ କରୋନା ମହାମାରୀ ସାରା ବିଶ୍ବରେ ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି । ଏଥିପାଇଁ କରୋନା ପୀଡ଼ିତ ଦେଶର ସହାୟତା ନିମନ୍ତେ ତାଙ୍କ ଦେଶ ୨ ବର୍ଷରେ ୨ ବିଲିଅନ ଡ଼ଲାର ପ୍ରଦାନ କରିବ ବୋଲି ସି ଜିଙ୍ଗପିଙ୍ଗ ଘୋଷଣା କରିଛନ୍ତି ।

ଚୀନରେ କରୋନା ଭୂତାଣୁ ପ୍ରତିଷେଧକ ନିମନ୍ତେ ୫ଟି ଟୀକା କ୍ଲିନିକାଲ ପରୀକ୍ଷା ଆରମ୍ଭ ହୋଇଛି । ଏଥିରେ ସଫଳତା ମିଳିଲେ ଏହା ସାରା ବିଶ୍ବକୁ ପ୍ରଦାନ କରାଯିବ । ସମସ୍ତ ବିକାଶଶୀଳ ଦେଶକୁ ସେ ଏହି ଟୀକା ପ୍ରଦାନ କରିବେ ବୋଲି ଏହି ଅବସରରେ ଘୋଷଣା କରିଥିଲେ ।

 

 

 

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏହି ଦୁଇଦିନିଆ ବୈଠକରେ ସବୁଠାରୁ ଗୁରୁତ୍ବପୂର୍ଣ ଆଲୋଚନା କରୋନା ସମ୍ବନ୍ଧରେ ଆରମ୍ଭ ହୋଇଛି । ଭାରତ ସମେତ ୬୨ ଦେଶ କରୋନା ମହାମାରୀର ଉତ୍ପତ୍ତିର ଯାଞ୍ଚ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଭାରତ ପକ୍ଷରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ ଏଥିରେ ଭାଗ ନେଇଛନ୍ତି ।

ରିପୋର୍ଟ ଅନୁସାରେ କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ ନିମନ୍ତେ ବାଂଲାଦେଶ, କାନାଡ଼ା, ରୁଷ, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଇଂଲଣ୍ଡ ଓ ଜାପାନ ସମର୍ଥନ ଜଣାଇଛନ୍ତି । ଯଦିଓ ଏଥିରେ ଉହାନ ସହର ବା ଚୀନ କଥା ଉଲ୍ଲେଖ କରାଯାଇ ନାହିଁ ତଥାପି ଏହା ପଶୁଠାରୁ କିପରି ମଣିଷକୁ ବ୍ୟାପିଲା ତାହାର ତଦନ୍ତ କରାଯାଉ ବୋଲି ଏହି ଦେଶଗୁଡ଼ିକ କହିଛନ୍ତି ।

ଏହି ୭ ପୃଷ୍ଠିଆ ପ୍ରସ୍ତାବରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଭୂମିକା ସମ୍ପର୍କରେ ମଧ୍ୟ ତଦନ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି । ପୂର୍ବରୁ ଆମେରିକା ବହୁବାର ଚୀନ ଓ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ କରୋନା ସଂକ୍ରମଣ ନିମନ୍ତେ ଦାୟୀ କରି ଆସିଛି ।

Comments are closed.