ଜାଲ୍‍ କମ୍ପାନୀ ନାମରେ ଅର୍ଥ କାରବାର:ଚୀନ ନାଗରିକ ଗିରଫ

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ଅଭିଯୋଗରେ ଚୀନର ଜଣେ ନାଗରିକଙ୍କୁ ଆୟକର ବିଭାଗ ଗିରଫ କରିଛି। ଗିରଫ ନାଗରିକ ହେଉଛନ୍ତି ଲୁଓ ସାଙ୍ଗ। ଚୀନର ଜାଲ୍‍ କମ୍ପାନୀ ନାମରେ ସେ ହାୱଲା ମାଧ୍ୟମରେ ଅର୍ଥ କାରବାର କରୁଥିଲେ। ୨୦୧୮ ସେପ୍ଟେମ୍ବରରେ ଲୁଓ ସାଙ୍ଗ୍‍ ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ସେତେବେଳେ ସେ ଚାର୍ଲି ପେଙ୍ଗ ଛଦ୍ମ ପରିଚୟରେ ଭାରତ ଆସିଥିଲେ। ସେ ଚୀନ ପାଇଁ ଗୁପ୍ତଚର କାର୍ଯ୍ୟ ସହିତ ହାୱଲା ମାଧ୍ୟମରେ ଅର୍ଥ କାରବାର କରୁଥିଲେ। ପେଙ୍ଗ ଜଣେ ମଣିପୁରୀ ଝିଅକୁ ବିବାହ କରି ଭାରତର ପାସପୋର୍ଟ ହାତେଇବା ଯୋଜନା କରିଥିଲା। ଚାର୍ଲି ଅର୍ଥ ବିନିମୟ ସେବା ଯୋଗାଇ ଦେଉଥିଲେ। ତେଣୁ ଏହି ଚାର୍ଲି ପେଙ୍ଗ ଓ ଲୁଓ ସାଙ୍ଗ ସମାନ ବ୍ୟକ୍ତି ଯିଏକି ଭାରତରେ ବେଆଇନ ଅର୍ଥ କାରବାର ଚଳାଇ ଆସୁଥିଲେ। ଚୀନ ନାଗରିକଙ୍କ ଦ୍ୱାରା ଭାରତରେ ବେଆଇନ ଅର୍ଥ କାରବାର ଚାଲିଥିବା ସୂଚନା ପାଇବା ପରେ ମଙ୍ଗଳବାର ଆୟକର ବିଭାଗ ଦିଲ୍ଲୀ, ଗାଜିଆବାଦ, ଗୁରୁଗ୍ରାମ ସମେତ ୨୧ଟି ସ୍ଥାନରେ ଚଢଉ କରିଥିଲା। ଆୟକର ବିଭାଗ ଅଧୀନ ସିବିଡିଟି କହିଛି ଯେ ଚୀନ ନାଗରିକମାନେ ୪୦ଟି ବ୍ୟାଙ୍କ ଆକାଉଣ୍ଟ ଖୋଲି ୧୦୦୦କୋଟିରୁ ଅଧିକ ଟଙ୍କା ଜମା କରିଛନ୍ତି। ହାୱଲା ମାଧ୍ୟମରେ ବେଆଇନ ଅର୍ଥ କାରବାର ପଛରେ ବ୍ୟାଙ୍କ କର୍ମଚାରୀ ଓ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ସମ୍ପୃକ୍ତି ରହିଛି। ଲୁଓ ସାଙ୍ଗ ୮ରୁ ୧୦ଟି ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରିବା ସହିତ ଜାଲ ଚୀନ କମ୍ପାନୀ ନାମରେ ୩୦୦କୋଟି ଟଙ୍କା କାରବାର କରିଛି।

Comments are closed.