ଚୀନ ସାମଗ୍ରୀ ଆମଦାନୀ ଭାରତରେ ବେକାରୀ ସୃଷ୍ଟି କରୁଛି: ସଂସଦୀୟ କମିଟି

0

ନୂଆଦିଲ୍ଲୀ: ଚୀନ୍‍ରୁ ଶସ୍ତାରେ ସାମଗ୍ରୀ ଆମଦାନୀ କରିବା ଦ୍ୱାରା ଭାରତର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରଭୂତ କ୍ଷତି ସହୁଛନ୍ତି। ଅତ୍ୟଧିକ କ୍ଷତି ସହି ନ ପାରି ସେଥିମଧ୍ୟରୁ କେତେକ ଶିଳ୍ପ ବନ୍ଦ ହୋଇ ଯାଉଥିôବା ବେଳେ ଲକ୍ଷ ଲକ୍ଷ ଭାରତୀୟ ଚାକିରି ହରାଉଛନ୍ତି। ଏଥିପାଇଁ ସଂସଦର ଏକ କମିିଟି ଉଦ୍‍ବେଗ ପ୍ରକାଶ କରିବା ସହିତ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସରକାରଙ୍କୁ ପରମର୍ଶ ଦେଇଛନ୍ତି।
ଗୁରୁବାର ଦିନ ସଂସଦରେ କମିଟି ଉପସ୍ଥାପନ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଦୁର୍ବଳ ଓ କୋହଳ ତନଖି ବ୍ୟବସ୍ଥା ଏବଂ ପ୍ରଶାସନିକ ଉଦାସୀନତା ଯୋଗୁଁ ଉଭୟ ଜଳ ଓ ସ୍ଥଳପଥରେ ବହୁ ଚୀନ୍‍ ସାମଗ୍ରୀ ଭାରତରେ ପ୍ରବେଶ କରୁଛି। ସେହିସବୁ ସାମଗ୍ରୀର ମାନ କମ୍‍ ରହୁଥିବା ବେଳେ ଶସ୍ତା ଯୋଗୁଁ ଅଧିକ ପରିମାଣରେ ଭାରତରେ ବିକ୍ରି ହେଉଛି। ଆମେରିକା ଓ ୟୁରୋପୀୟ ସଂଘରେ ସ୍ଥାନୀୟ ଶିଳ୍ପର ସୁରକ୍ଷା ପାଇଁ ଅନେକ ପଦେକ୍ଷପ ଗ୍ରହଣ କରାଯାଉଥିବା ବେଳେ ଭାରତରେ ସେଭଳି ବ୍ୟବସ୍ଥା ନାହିଁ।
ଚୀନ୍‍ ନିର୍ମିତ ସୋଲାର ପ୍ୟାନେଲ୍‍ ଯୋଗୁଁ ଭାରତରେ ୨ ଲକ୍ଷ ଲୋକ କର୍ମନିଯୁକ୍ତି ହରାଇଛନ୍ତି। ସେହିପରି ବିପୁଳ ପରିମାଣର ବାଇସାଇକେଲ୍‍ ଏବେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

Leave A Reply