ନିୟନ୍ତ୍ରଣ ବାହାରେ ‘କରୋନା’ : ଚିନ୍ତାରେ ଚୀନ୍‌ ଅର୍ଥନୀତି

ବେଜିଂ,୪ା୨: କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଚୀନ୍‌ ସରକାର ଏହାର ନାଭିକେନ୍ଦ୍ର ହୁବେଇ ପ୍ରଦେଶ ତଥା ଏହାର ରାଜଧାନୀ ଉହାନ ସମେତ ୧୭ଟି ସହରକୁ ବନ୍ଦ କରିଦେଇଛନ୍ତି। ସମ୍ପ୍ରତି ଦେଶରେ ନୂଆବର୍ଷ ଉତ୍ସବ ମଧ୍ୟ ବନ୍ଦ ହୋଇଯାଇଛି। ପ୍ରାୟ ଦୁଇ ସପ୍ତାହ ଧରି ଦେଶର ବ୍ୟାବସାୟିକ ପେଣ୍ଠସ୍ଥଳ ଉହାନ ବନ୍ଦ ରହିବା ଫଳରେ ଦେଶର ଆର୍ଥିକ ସ୍ଥିତି ଉପରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଚୀନ୍‌ ଅର୍ଥନୀତିରୁ ଦୁଇ-ତୃ୍ତୀୟାଂଶ ଏବେ ପ୍ରଭାବିତ ହୋଇଥିବା ଅର୍ଥନୀତିଜ୍ଞମାନେ କହିଛନ୍ତି। ଦେଶର ଷ୍ଟକ୍‌ ବଜାର ୮ପ୍ରତିଶତ ଖସିଥିବାବେଳେ ୩୯୩୦୦ କୋଟି ଡଲାର ମୂଲ୍ୟର କ୍ଷତି ଘଟିଛି। ଦେଶର ବାଣିଜ୍ୟିକ ରାଜଧାନୀ ସାଙ୍ଘାଇରେ ଅଗଷ୍ଟଠାରୁ ଅଦ୍ୟାବଧି ସର୍ବାଧିକ କ୍ଷତି ପରିଲକ୍ଷିତ ହୋଇଛି। କେନ୍ଦ୍ରୀୟ ବ୍ୟାଙ୍କ ୧୭୪୦୦କୋଟି ଡଲାର ପ୍ରୋତ୍ସାହନ ସତ୍ତ୍ବେ ଏହା ନିମ୍ନଗାମୀ ହୋଇଛି। ଆନ୍ତର୍ଜାତିକ ଅଭିବୃଦ୍ଧି ହାର ୨୨ପ୍ରତିଶତ ହ୍ରୟାସ ପାଇଥିବାବେଳେ ଅର୍ଥନୈତିକ ଫଳାଫଳ ୦.୨ ବା ୦.୩କୁ ହ୍ରାସ ପାଇବା ଆଶଙ୍କା କରାଯାଉଛି। ଏହି ପରିପ୍ରେକ୍ଷୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଦ୍ବିତୀୟ ଥର ପାଇଁ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତାମାନଙ୍କ ବୈଠକ ଡକାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି। ରୋଗ ନିୟନ୍ତ୍ରଣ ସହ ଅର୍ଥନୀତିକୁ ସମ୍ଭାଳିବା ପାଇଁ ବୈଠକରେ ବିଚାରବିମର୍ଶ କରାଯାଇଛି।

Comments are closed.