ଚିଲିକାରେ ମତ୍ସ୍ୟ ଉତ୍ପାଦନ ହ୍ରାସ, ଦାଦନ ମୁହାଁ ମତ୍ସ୍ୟଜୀବୀ

ଖଲ୍ଲିକୋଟ : ଜୈବ ବିବିଧତା ଓ ବିଷାକ୍ତ ରାସାୟନିକ ଦ୍ରବ୍ୟ ପ୍ରବେଶ କାରଣରୁ ଚିଲିକା ଜଳରାଶି ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଫଳରେ ଚିଲିକା ଗର୍ଭରୁ ଜନ୍ମ ନେଉଥିବା ମାଛ ଜାଆଁଳ କ୍ରମଶଃ କମି କମି ଆସୁଛି । ୨୦ ବର୍ଷ ତଳେ ଚିଲିକାରୁ ଆଦାୟ ହେଉଥିବା ମାଛ , କଙ୍କଡା ଓ ଚିଙ୍ଗୁଡ଼ିର ପରିମାଣ ଶତକଡା ୮୦ ଭାଗ କମି ଯାଇଛି। ଖଇଂଗା, ଇଲିସି , କୁଣ୍ଡଳ , ଜାଗଲା , ଖୁରାଣ୍ଟି, ଗଣିଆ, କାମୁଣ୍ଡା , କାବଲା ଓ କଣ୍ଟାଳ ଚିଙ୍ଗୁଡ଼ି ଅତି ମାତ୍ରାରେ ଚିଲିକାରେ ହ୍ରାସ ପାଇଛି। ମତ୍ସ୍ୟଜୀବୀମାନେ ଚିଲିକା ଭିତରେ ଡ଼ଙ୍ଗା ଓ ଜାଲ ସହାୟତାରେ ମାଛ ଧରିବା ପାଇଁ ରାତି ଅନିଦ୍ରା ରହୁଥିଲେ ମଧ୍ୟ ସେମାନଙ୍କ ପରିଶ୍ରମ ତୁଳନାରେ ଯଥେଷ୍ଟ କମ୍ ପରିମାଣର ମାଛ ଜାଲରେ ପଡୁଛି। କେତେକ ପ୍ରଜାତିର ମାଛ ଚିଲିକାରେ ଆଉ ଦେଖିବାକୁ ମିଳୁନାହିଁ । ଖଲ୍ଲିକୋଟ ବ୍ଲକର ୫ ଗୋଟି ପଞ୍ଚାୟତର ପ୍ରାୟ ୫୦୦୦ ମତ୍ସ୍ୟଜୀବୀ ଚିଲିକା ଉପରେ ନିର୍ଭର ଜୀବିକା ନିର୍ବାହ କରି ଆସୁଛନ୍ତି। ବ୍ୟାଙ୍କ ଓ ମତ୍ସ୍ୟ ସମବାୟ ସମିତିଠାରୁ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇ ଡ଼ଙ୍ଗା ଓ ଜାଲ କିଣି ମାଛ ଚାଷ କରୁଥିବା ମତ୍ସ୍ୟଜୀବୀ କ୍ଷତି ସହିବାରେ ଲାଗିଛନ୍ତି। ଏହି କାରଣରୁ କୌଳିକ ବୃତ୍ତିକୁ ଆବୋରି ଜୀବିକା ନିର୍ବାହ କରୁଥିବା ପୁରୁଷ ଓ ମହିଳା ମତ୍ସ୍ୟଜୀବୀ ଆନ୍ଧ୍ର ମାଛ ଉପରେ ନିର୍ଭର କରି ବ୍ୟବସାୟ କରୁଛନ୍ତି। ଏଣେ ଚିଲିକାର ପାର୍ଶ୍ବବର୍ତ୍ତୀ ଇଲାକାରେ ଅଣ – ମତ୍ସ୍ୟଜୀବୀମାନେ ଚିଲିକାରୁ ପମ୍ପ ଯୋଗେ ଲୁଣା ପାଣି ନେଇ ଚିଙ୍ଗୁଡ଼ି ଚାଷ କରିବା ଫଳରେ ରାସାୟନିକ ଦ୍ରବ୍ୟ ପ୍ରଭାବରୁ ଚିଲିକାରେ ଦଳ ଜାତୀୟ ଗୁଳ୍ମ ହ୍ରାସ ପାଉଛି | ଯାହାଫଳରେ ମାଛ ଓ କଙ୍କଡାଙ୍କ ଖାଦ୍ୟ ପରିମାଣ କମି କମିଯିବା ସହ ମାଛ ଜାଅଁାଳା ନଷ୍ଟ ହେଉଛି । ଏଣେ ସମୁଦ୍ର- ଚିଲିକାର ସଙ୍ଗମସ୍ଥଳ ପୋତି ହେବା ଏବଂ ଜିରୋ ନେଟ ମାଧ୍ୟମରେ ମାଛ ଚାଷ କରିବା ଫଳରେ ମାଛ ଜାଆଁଳ ଚିଲିକାର ନୀଳ ଜଳରାଶିକୁ ଆସିପାରୁ ନାହାନ୍ତି। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁପାଳନ ବିଭାଗ ମତ୍ସ୍ୟଜୀବୀଙ୍କୁ ବରଫ ପେଡି ଓ ବାଇକ କିଣିବା ପାଇଁ ୫୦ ଭାଗ ସବସିଡିରେ ଋଣ ଦେଉଛନ୍ତି। ମତ୍ସ୍ୟଜୀ ପରିବାରର ପିଲାଙ୍କ ପାଠପଢା ପାଇଁ ଆବଶ୍ୟକ ସ୍କଲାରସିପ ପ୍ରଦାନ ବ୍ୟବସ୍ଥା ରହିଛି। କିନ୍ତୁ ଏହିସବୁ ଯୋଜନା ମତ୍ସ୍ୟଜୀବୀଙ୍କ ପାଇଁ ଅପହଞ୍ଚ ହୋଇଛି। ଏଣେ ଆବଶ୍ୟକ ମାଛ ଅଭାବରୁ ବଜାରରେ ଚିଲିକା ମାଛର ଦର ଆକାଶ ଛୁଆଁ ହୋଇଛି। କରୋନା ପ୍ରଭାବ ଯୋଗୁଁ ଚିଲିକାରେ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକ ମାନଙ୍କ ଅଭାବ ଯୋଗୁଁ ମଶ୍ଚହ୍ୟ ଜୀବିମାନେ ପର୍ଯ୍ୟଟକ ମାନଙ୍କଠାରୁ ମିଳୁଥିବା ଅର୍ଥ ରୁ ବଂଚିତ ହେଉଛନ୍ତି | ଏପର୍ଯ୍ୟନ୍ତ କରୋନାରେ ପ୍ରଭାବିତ ହୋଇଥିବା ମତ୍ସ୍ୟଜୀବୀଙ୍କ ପାଇଁ ରାଜ୍ୟ ସରକାର କୌଣସି ସ୍ୱତନ୍ତ୍ର ଯୋଜନା ହାତକୁ ନେଇନାହାଁନ୍ତି ।
ରାଜ୍ୟ ସରକାର ମଧୁର ଜଳ ମାଛ ଚାଷ କରିବା ପାଇଁ ପ୍ରୋତ୍ସାହନ ଦେଇ ଯୁବକଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିବାବେଳେ ଖଲ୍ଲିକୋଟ ବ୍ଲକ୍ରେ ମିଠାପାଣି ମାଛ ଚାଷ ଯୋଜନା ଦିଗହରା ହୋଇପଡିଛି । ଖଲ୍ଲିକୋଟ ବ୍ଲକର ୨୯ ଗୋଟି ପଞ୍ଚାୟତରେ ୬୭୧ ଗୋଟି ପୋଖରୀ ରହିଛି। ୨୨୭ ଗୋଟି ପୋଖରୀ ମାଛଚାଷ ପାଇଁ ଲିଜ ଦିଆଯାଇଛି । ଚିଲିକାରେ ମାଛ ଉତ୍ପାଦନ ହ୍ରାସ ଯୋଗୁ ଖଲ୍ଲିକୋଟ ବ୍ଲକର ସାବୁଳିଆ , କନକା, କେଶପୁର, ପଥରା ଓ ଲଙ୍ଗଳେଶ୍ୱର ପଞ୍ଚାୟତର ପ୍ରାୟ ୯୦୦ ମତ୍ସ୍ୟଜୀବୀ ଗୋଆ , କର୍ଣ୍ଣାଟକ, କେରଳ , ତାମିଲନାଡୁ , ଆନ୍ଧ୍ରପ୍ରଦେଶ , ଚେନ୍ନାଇ , କୋଲକତା ପ୍ରଭୃତି ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଚାଲିଗଳେଣି।

Comments are closed.