କୁଚିଣ୍ଡା ଲଙ୍କା, ଚାଷୀଙ୍କ ମୁହଁ କଲାଣି ବଙ୍କା

କୁଚିଣ୍ଡା : ସମ୍ବଲପୁର ଜିଲାର ଆଦିବାସୀ ବହୁଳ କୁଚିଣ୍ଡା ଉପଖଣ୍ଡରେ କଞ୍ଚାଲଙ୍କା ଦ୍ବିତୀୟ ପ୍ରମୁଖ ଫସଲ। ମାନ ଓ ଗୁଣ ​‌ଯୋଗୁଁ ରାଜ୍ୟ ଓ ରାଜ୍ୟ ବାହାରେ ଏହାର ଆଦର ରହିଛି । ପୂର୍ବେ ଏହି ଅଞ୍ଚଳରେ କାଁ ଭାଁ ଲଙ୍କା ଚାଷ ହେଉଥିଲା। କିଛି ଚାଷୀ ନିଜର ଆବଶ୍ୟକତା ଓ ସ୍ଥାନୀୟ ବଜାରର ଚାହିଦାକୁ ଦୃଷ୍ଟିରେ ରଖି ଲଙ୍କାଚାଷ କରୁଥିଲେ, ମାତ୍ର ୧୦/୧୨ ବର୍ଷ ବ୍ୟବଧାନରେ ଏହା କୁଚିଣ୍ଡା ଉପଖଣ୍ଡର ଦ୍ବିତୀୟ ସର୍ବାଧିକ ଉତ୍ପାଦିତ ଫସଲରେ ପରିଣତ ହୋଇଛି।
ବଣପାହାଡ ଘେରା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଚିଣ୍ଡା, ଜମନକିରା, ବାମରା ବ୍ଲକ ସମେତ ପଡୋଶୀ ଝାରସୁଗୁଡା ଜିଲାର ଲଇକେରା, କିରମିରା, କୁଲାବିରା, ଦେବଗଡ ଜିଲାର ତିଲେଇବଣୀ ଓ ସୁନ୍ଦରଗଡ ଜିଲାର ଗୁରୁଣ୍ଡିଆ ପ୍ରଭୃତି ବ୍ଲକ ଅଞ୍ଚଳର ମାଟି ଏହି ଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ। ସେଥିପାଇଁ ଉପରୋକ୍ତ ଅଞ୍ଚଳରେ ବିପୁଳ ମାତ୍ରାରେ ଲଙ୍କାଚାଷ ହୁଏ। ଏହା ଅକ୍ଟୋବର ମାସରୁ ଆରମ୍ଭ ହାଇ ଏପ୍ରିଲ/ମେ’ ମାସ ଯାଏ ଚାଲେ। ଅମଳ ପରେ ସଂପୃକ୍ତ ଅଞ୍ଚଳର ସାପ୍ତାହିକ ହାଟଗୁଡ଼ିକରେ ସ୍ବତନ୍ତ୍ର ଲଙ୍କାବଜାର ବସେ ଏବଂ ଏଠାରୁ ମାଲ୍‌ ଉଠାଇବା ପାଇଁ ରାଜ୍ୟ ଓ ରାଜ୍ୟବାହାରୁ ବହୁ ବେପାରୀ ତଥା ସେମାନଙ୍କ ସ୍ଥାନୀୟ ପ୍ରତିନିଧି ଭିଡ଼ ଜମାନ୍ତି। ତେବେ ଗତ କିଛିବର୍ଷ ହେଲା ସ୍ଥିତିରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ବହୁ ଚାଷୀ ଏହି ଅର୍ଥକାରୀ ଫସଲରୁ ମୁହଁ ଫେରାଉଥିବା ଦେଖିବାକୁ ମିଳୁଛି।
ଏହି କାରବାରରେ ବେପାରୀ ଓ ମଧ୍ୟସ୍ଥି ଲାଭବାନ ହେଉଥିବାବେଳେ ଚାଷୀ ହାତକୁ ବିଶେଷ କିଛି ଆସୁନଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଚାଷୀମାନେ ଲଙ୍କା ଚାଷ ପାଇଁ ପୂର୍ବପରି ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନ୍ୟପକ୍ଷରେ ସରକାର ଧାନପରି ଏକାଧିକ ଫସଲ ପାଇଁ ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରୁଥିଲେ ମଧ୍ୟ ଲଙ୍କା ପାଇଁ ସର୍ବନିମ୍ନ ମୂଲ୍ୟ ବା ଏମଏସପି ଧାର୍ଯ୍ୟ କରୁନାହାନ୍ତି। ଫଳରେ ଏହି ଚାଷୀ ଉପଯୁକ୍ତ ପ୍ରାପ୍ୟରୁ ବଞ୍ଚିତ ହେଉଛନ୍ତି।

ଜିଲା ଓ ଉପଖଣ୍ଡ ପ୍ରଶାସନର ଉଦ୍ୟମକ୍ରମେ ୧୦/୧୨ ବର୍ଷ ତଳେ ରାଜ୍ୟ ଇପିକଲ ସଂସ୍ଥା ଓ ସିିସୋର ନାମକ ଚିଟଫଣ୍ଡ ସଂସ୍ଥା କୁଚିଣ୍ଡା ଆରଏମସି ଜରିଆରେ ଲଙ୍କା କିଣି ବିଭିନ୍ନ ବଜାରକୁ ପଠାଉଥିଲେ। ଫଳରେ ସ୍ଥାନୀୟ ଚାଷୀମାନେ ଭଲ ଦି’ପଇସା ରାଜଗାର କରୁଥିଲେ। ଏହାଦେଖି ଅନ୍ୟ ଚାଷୀମାନେ ମଧ୍ୟ ଏହି ଚାଷ ପ୍ରତି ଆଗ୍ରହୀ ହୋଇଥିଲେ ା ପରବର୍ତ୍ତୀ ବର୍ଷଗୁଡ଼ିକରେ ଲଙ୍କାଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଏହାର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥିଲା। ତେବେ ଉକ୍ତ ସଂସ୍ଥା ବନ୍ଦ ହୋଇଯିବାପରେ ସରକାର ବା ପ୍ରଶାସନ କୌଣସି ବିକଳ୍ପ ପଦକ୍ଷେପ ନନେବାରୁ ଚାଷୀଙ୍କୁ ଯେଉଁ ଦି’ ପଇସା ମିଳୁଥିବା ତାହା ମଧ୍ୟ ବନ୍ଦ ହୋଇଗଲା।
ତିନିବର୍ଷ ତଳେ ଉପଖଣ୍ଡ ପ୍ରଶାସନ କୁଚିଣ୍ଡା ଲଙ୍କା ସମେତ ଉପଖଣ୍ଡରୁ ଉତ୍ପାଦିତ ଅନ୍ୟାନ୍ୟ ଫସଲକୁ ରାଷ୍ଟ୍ରୀୟ ବଜାରରେ ଉପଲବ୍ଧ କରାଇବାର ବ୍ୟବସ୍ଥା କରାଇବା ପ୍ରତିଶ୍ରୁତି ଦେଇ ଲଙ୍କା କାରବାର ଆରଏମସି ନିୟନ୍ତ୍ରଣକୁ ଆଣିଥିଲା। ଏହାଦ୍ବାରା ଚାଷୀଙ୍କ ରୋଜଗାର ବୃଦ୍ଧି ପାଇବ ବୋଲି ମଧ୍ୟ ଆଶ୍ବାସନା ଦିଆଯାଇଥିଲା। ତା’ସହିତ ସ୍ଥାନୀୟ ଲଙ୍କା କାରବାରକୁ ବ୍ୟବସ୍ଥିତ କରାଯିବ ବୋଲି ମଧ୍ୟ କୁହାଯାଉଥିଲା ା ହେଲେ ବାସ୍ତବ କ୍ଷେତ୍ରରେ ସେଥିରୁ ଚାଷୀଙ୍କୁ ସେ ପ୍ରକାର କୌଣସି ସୁଫଳ ମିଳି ନଥିଲା ା ସ୍ଥିତି ପୂର୍ବବତ୍‌ ରହିଥିଲା। ଅନ୍ୟପକ୍ଷରେ ଚାଷୀ ହାଇରାଣ ହେବାସହ ବହୁସଂଖ୍ୟକ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ଗତ ଦୁଇବର୍ଷ ହେଲା ମହାମାରୀ କରୋନା ଯୋଗୁଁ ଏହି ବେପାର ପୂରାପୂରି ମାନ୍ଦା ହୋଇଯାଇଛି। ପ୍ରାୟ ୧୦ବର୍ଷ ତଳେ ଏଠାରେ ଏକ ଲଙ୍କା ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ପାଇଁ ସରକାର ଯୋଜନା କରିଥିଲେ ା ତାହା କୁଆଡ଼େ ଗଲା କାହାକୁ ଜଣାନାହିଁ। କୁଚିଣ୍ଡା ଲଙ୍କାକୁ ରାଷ୍ଟ୍ରୀୟ ବଜାରରେ ପହଞ୍ଚାଇବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି, ମାତ୍ର ସେଥିପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି କି ପ୍ରଶାସନ ଆଗହ ପ୍ରକାଶ କରୁନାହିଁ।

Comments are closed.