ହୋଟେଲକୁ ଯାଉଛି ଚିଲିକା ପକ୍ଷୀ ମାଂସ

ଖୋର୍ଦ୍ଧା: ନୀଳାମ୍ବୁ ଚିଲିକାର ସମ୍ମୋହନରେ ଆକର୍ଷିତ ହୋଇ ଦୀର୍ଘପଥ ଅତିକ୍ରମ କରି ଆସୁଥିବା ବିଦେଶୀ ପକ୍ଷୀ ଏଠାରେ ନିରାପଦ ନୁହନ୍ତି। ୧୬ ନମ୍ବର ଜାତୀୟ ରାଜପଥ ରାତାମାଟି ଛକ ନିକଟରୁ ଶନିବାର ବିପୁଳ ସଂଖ୍ୟାରେ ମୃତ ପକ୍ଷୀର ଉଦ୍ଧାର କରାଯାଇଛି। ଶତାଧିକ ମୃତପକ୍ଷୀକୁ ରାସ୍ତା ପାର୍ଶ୍ବରେ କିଏ ପକାଇଲା, ବନ୍ୟପ୍ରାଣୀ ବିଭାଗ ଏହି ପକ୍ଷୀଙ୍କୁ ମାରିଥିବା ଶିକାରୀଙ୍କ ପାଖରେ ପହଞ୍ଚିପାରୁଛି କି ନାହିଁ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏବେ ନୂଆବର୍ଷ ଆସୁଥିବାରୁ ଏବଂ ବଡ଼ବଡ଼ ନାମୀଦାମୀ ହୋଟେଲ ତଥା କ୍ଲବ ଓ ଧନୀଧନାଢ଼୍ୟ ମହଲରେ ଏହାର ଚାହିଦା ଥିବା ଆଲୋଚନା ହେଉଥିବାବେଳେ ଏସବୁ ପକ୍ଷୀକୁ ବିଭିନ୍ନ ଉପାୟରେ ଶିକାରୀମାନେ ମାରି ସେମାନଙ୍କ ନିକଟରେ ପହଞ୍ଚାଇବାର ସୁବନ୍ଦୋବସ୍ତ ହେଉଥିବା ଅଭି​‌େ​ଯାଗ ହେଉଛି। ଏଥିରେ କିଛି ଉଚ୍ଚ ପଦରେ ଥିବା ପୁଲିସ ଓ ବନ କର୍ମଚାରୀ ଥିବା ମଧ୍ୟ କୁହାଯାଉଛି।

ରତାମାଟି ଛକରୁ ଶତାଧିକ ମୃତ ପକ୍ଷୀଙ୍କ ମୃତଦେହ ଠାବ କରାଯାଇଛି। ଚିଲିକା କୁଳଠାରୁ ରତାମାଟି ଛକ ଅତିକମରେ ୧୫ କିମି ହେବ। ଏତେ ଦୂରକୁ ଏତେ ସଂଖ୍ୟାର ପକ୍ଷୀ ବିନା ଗାଡ଼ିରେ ଆଣିହେବନି। ଏତେ ଚଢ଼େଇ କିଏ ମାରୁଛି, କୋଉଁଠି ବିକ୍ରି କରାଯାଉଛି ତାହା ତଦନ୍ତ ସାପେକ୍ଷ। ଏଥି ପାଇଁ ଏକ ରାକେଟ କାମ କରୁଛି। ବ୍ୟବଚ୍ଛେଦ ପରେ ମୃତ ପକ୍ଷୀଗୁଡିକୁ ପୋତାଯାଇଛି।

ଚଳିତବର୍ଷ ଆରମ୍ଭରୁ ୪୫ଟି ମୃତ ପକ୍ଷୀ ପୂର୍ବରୁ ଜବତ କରାଯାଇଥିବା ବେଳେ ଆଠ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୦ ଧାରା ୯ ଓ ୪୯ ଅନୁଯାଇ ପକ୍ଷୀ ହତ୍ୟାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ କେଶ ରୁଜୁ କରିବାରେ ନିୟମ ରହିଛି। ପୁଣି ଏହି ଆଇନ ଧାରା ୫୧ ଅନୁଯାୟୀ ୩ରୁ ୭ବର୍ଷ କାରାଦଣ୍ଡର ବ୍ୟବସ୍ଥା ଥିଲେ ମଧ୍ୟ ଏହି ରେଞ୍ଜ ଇଲାକାର କୈାଣସି ଅପରାଧି ଶିକାରୀଙ୍କୁ ଏପରି ଦଣ୍ଡ ମିଳିବାର ନଜିର ନାହିଁ। ଆବଶ୍ୟକ ସଚେତନତା ଓ ସୁରକ୍ଷା କର୍ମୀଙ୍କ ଅଭାବରୁ ମାତ୍ରାଧିକ ପକ୍ଷୀ ଶିକାର ବଢ଼ି ଚାଲିଛି। ଫାଶ ଓ ଗୁଳି ଅପେକ୍ଷା ଖାଦ୍ୟରେ ବିଷ ପ୍ରୟୋଗକରି ପକ୍ଷୀ ହତ୍ୟା କରିବାର ଦାନବୀୟ କୈାଶଳକୁ ଏବେ ଶିକାରୀମାନେ ଆପଣଉଛନ୍ତି। ଫସଲରେ ପୋକ ମାରିବାକୁ ମିଳୁଥିବା ଫ୍ଲୁରାଡନ କୀଟନାଶକକୁ ପକ୍ଷୀଙ୍କ ଖାଦ୍ୟରେ ମିଶାଇ ଚିଲିକା ନାଶି ଅଞ୍ଚଳରେ ଥୁଆ ଯାଉଛି। ଯାହାକୁ ଖାଇ ଶହ ଶହ ପକ୍ଷୀ ମରୁଛନ୍ତି। ଶିକାରୀ ବିଷ ଥୁଆ ସ୍ଥାନରୁ କେତୋଟି ମଲା ପକ୍ଷୀ ଗୋଟାଇ ଆଣୁଥିବା ବେଳେ ବିଷ ଜ୍ୱାଳା ସହିନପାରି ପଲ ପଲ ପକ୍ଷୀ ଏଣେ ତେଣେ ପଡ଼ି ମରୁଛନ୍ତି। ୧୧ ବର୍ଗ କି.ମି ହ୍ରଦର ବାଲୁଗାଁ ,ଚିଲିକା ବନ୍ୟପ୍ରାଣୀ ଖଣ୍ଡ(ଡିଭିଜନ)କୁ ବାଲୁଗାଁ, ଟାଙ୍ଗୀ,ରମ୍ଭା, ସାତପଡ଼ା, ନୂଆପଡ଼ା ଏପରି ୫ଟି ରେଞ୍ଜରେ ବିଭକ୍ତ କରାଯାଇଛି। ଟାଙ୍ଗୀ ରେଞ୍ଜରେ ଅଧିକ ପକ୍ଷୀ ଶିକାର ହେଉଥିବା ବେଳେ ଅନ୍ୟ ୪ଟି ରେଞ୍ଜରେ କାଁ ଭାଁ ପକ୍ଷୀ ଶିକାର ହେଉଥିବା ଜଣାପଡ଼ିଛି।

ସରଳସିଂହ ଗେଟ ନିକଟବର୍ତ୍ତୀ ଭାଷାରା ପାହଡଠାରୁ ଦେଇପୁର ଆଳିପଡ଼ା ପର୍ଯ୍ୟନ୍ତ ଉପକୂଳର ଦୈର୍ଘ୍ୟ ୬୮କି.ମି. ଏବଂ ଉପକୁଳଠାରୁ ଚିଲିକା ପାଣି ଭିତରକୁ ୫ କିମି ପର୍ଯ୍ୟନ୍ତ ଟାଙ୍ଗୀ ରେଞ୍ଜରେ ଯାଉଛି। ପକ୍ଷୀଙ୍କ ସୁରକ୍ଷା ପାଇଁ ଟାଙ୍ଗୀ ରେଞ୍ଜ ଅଞ୍ଚଳର ସୋରଣ, ମଙ୍ଗଳାଯୋଡ଼ି, ଦେଇପୁର, ଦୋଛିଆଁ, ଭୁଷଣ୍ଡପୁର, ବାଲିପାଟପୁର, ଅଭିମାନପୁର, ସୁନ୍ଦରପୁର, ବରୁଣପଡ଼ା, ବାଲିନାସି, ନଇରି ଆଦି ସ୍ଥାନରେ ୧୧ଟି କ୍ୟାମ୍ପ କରାଯାଇଛି। ଗୋଟିଏ କ୍ୟାମ୍ପରେ ଜଣେ ଫରେଷ୍ଟର କିମ୍ବା ଜଣେ ଗାର୍ଡ ଦାୟିତ୍ୱରେ ରହୁଥିବା ବେଳେ ପ୍ରତି କ୍ୟାମ୍ପ ପାଇଁ ୩ ଜଣ ଲେଖାଏଁ ଠିକା କର୍ମଚାରୀ ଦାୟିତ୍ୱରେ ରଖାଯାଇଛି। ଏହା ସହିତ ଚିଲିକା ପାଣିରେ ଡଙ୍ଗା ଦ୍ୱାରା ବୁଲିବା ପାଇଁ ଭ୍ରାମ୍ୟାମାଣ ସ୍କାର୍ଡ ଗଠନ କରାଯାଇଛି। ସ୍ୱାର୍ଡ ପାଇଁ ୮ଜଣଙ୍କୁ ଠିକା କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏତେ ବଡ଼ ଅଞ୍ଚଳକୁ ଜଣେ ବନାଞ୍ଚଳ ଅଫିସର, ତିନିଜଣ ଫରେଷ୍ଟର ଓ ୮ଜଣ ଗାର୍ଡ ଥିବା ଜଣାପଡ଼ିଛି।

ଏ ନେଇ ଟାଙ୍ଗୀ ଚୁଡାମଣି ମୁର୍ମୁଙ୍କୁ ପଚାରିବାରେ ସେ କହିଲେ ରତାମାଟି ଛକ ନିକଟରୁ ୨୯ଟି ମୃତ ପକ୍ଷୀ ଦବତ କରାଯାଇଛି। କିଏ ଏହି ଚଢେଇ ମାରିଲା ତାର ତତନ୍ତ ଚାଲିଛି। ପୁଣି ଏପିଆର ଫୋର୍ସ ସହାୟତା ଦେବା ପାଇଁ ଚିଲିକା ବଣ୍ୟପ୍ରାଣୀ ବିଭାଗ ଡିଏଫଓ ଜରିଆରେ ଲେଖାଯାଇଛି। ପାଇଁ ପକ୍ଷୀ ହତ୍ୟା ଦ୍ୱାରା ପ୍ରକୃତିର ଭାରସାମ୍ୟ ଓ ଜୈବବିଧତା ଗଭୀର ଭାବେ ପ୍ରଭାବିତ ହେଉଛି। ବିଦେଶାଗତ ପକ୍ଷୀମାନଙ୍କର ମାଂସ ଭକ୍ଷଣଦ୍ୱାରା ବ୍ଲାଡ ଫ୍ଲୁ ବ୍ୟାପିବାର ଆଶଙ୍କା ରହିଛି ବୋଲି ଚିକିତ୍ସା ବିଜ୍ଞାନୀମାନେ କହୁଛନ୍ତି। ବିରଳ ପ୍ରଜାତିର ବିଲୁପ୍ତ ହେଇଯାଉଥିବା ପକ୍ଷୀଙ୍କୁ ବଞ୍ଚାଇବା ପାଇଁ ମାନବ ସମ୍ବଳ ବୃଦ୍ଧି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବେଶବିତ ମତ ଦେଉଛନ୍ତି।

Comments are closed.