ମଙ୍ଗଳବାର ଚିଲିକାରେ ପକ୍ଷୀ ଗଣନା

ଚିଲିକା : ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକା ହ୍ରଦକୁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆସିଛନ୍ତି ଲକ୍ଷାଧିକ ବିଦେଶୀ ପକ୍ଷୀ । ତେବେ ମଙ୍ଗଳବାର(ଆସନ୍ତାକାଲି) ଅନୁଷ୍ଠାନିକ ଭାବେ ପକ୍ଷୀ ଗଣନା ଅନୁଷ୍ଠିତ ହେବ ବୋଲି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚନ୍ଦ୍ରାପୁଟ ସ୍ଥିତ ଆଦ୍ର ମୃତ୍ତିକା ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଆସନ୍ତାକାଲି ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ, ମଙ୍ଗଳାଯୋଡି, ନଳବଣ ଏବଂ ନୂଆପଡା ଆଦି ଅଞ୍ଚଳରେ ୨୧ଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ । ତେବେ ଏହି ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ଏବଂ ବିଏନଏଚଏସ ସାମିଲ ହେବେ ବୋଲି ଜଣାପଡିଛି।

ସେହିପରି ଭାବେ ସିଡ଼ିଏ ଦ୍ୱାରା ମନୋନୀତ ହୋଇଥିବା ମୁମ୍ବାଇ ସ୍ଥିତ ବିଏନଏଚଏସର ନିର୍ଦେଶକ ଡ଼ା ବିଭଷ ପାଣ୍ଡଵ, ଆରସିସିଏଫ ବ୍ରହ୍ମପୁର, ପ୍ରଶାନ୍ତ କୁମାର ମିଶ୍ର, ଡ଼ିସିଏଫ ବନ୍ୟପ୍ରାଣୀ, ସୌମ୍ୟକ ସାମନ୍ତରାୟ ମଧ୍ୟ ପକ୍ଷୀଗଣନାରେ ଉପସ୍ଥିତ ରହିବେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଏହି ତିନି ଅଧିକାରୀଙ୍କ ସମେତ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଜ୍ୟୋତି କାଟାଲ, ଏସିଏଫ ଶରତ ଚନ୍ଦ୍ର ମିଶ୍ର, ସମସ୍ତ ପାଞ୍ଚ ଗୋଟି ରେଞ୍ଜର ରେଞ୍ଜ ଅଫିସର, ଓୟୁଏଟି ଛାତ୍ରଛାତ୍ରୀ, ପ୍ରଫେସର, ସାମାଜିକ କର୍ମୀ ଏବଂ ଅନ୍ୟ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ। ତେବେ କାଲି ସନ୍ଧ୍ୟା ସୁଦ୍ଧା ପକ୍ଷୀଗଣନା ରିପୋର୍ଟ ହସ୍ତଗତ ହେବ ବୋଲି ଜଣାପଡିଛି ।

Comments are closed.