ନୌଯାତ୍ରୀଙ୍କୁ ଲାଇଫ ଜ୍ୟାକେଟ ବାଧ୍ୟତାମୂଳକ

0

ଭୁବନେଶ୍ୱର : ଚିଲିକାରେ ଡଙ୍ଗାବୁଡ଼ି ୬ଜଣଙ୍କ ମୃତ୍ୟୁ ଘଟଣା ପରେ ସରକାର ନୌଯାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବେ। ଏଣିକି ନୌଯାତ୍ରୀଙ୍କ ପାଇଁ ଲାଇଫ ଜ୍ୟାକେଟ ବାଧ୍ୟତାମୂଳକ ହେବ। ଡଙ୍ଗାରେ ଜିପିଏସ କାର୍ଯ୍ୟକାରୀ ହେବ।
ଏହାଦ୍ୱାରା ଡଙ୍ଗାର ଅବସ୍ଥିତି ସହ ଏହାର ଗତିବିଧି ଉପରେ ନଜର ରଖାଯାଇପାରିବ। ଯାତ୍ରୀ ପରିବହନ ଡଙ୍ଗାରେ ଲାଇଫ ଜ୍ୟାକେଟ, ଲାଇଫ ବୋଏ ଏବଂ ଅଗ୍ନି ନିର୍ବାପକ ଯନ୍ତ୍ର ଅଛି କି ନା ସେସବୁର ଯାଞ୍ଚ ସହ ଲାଇଫ ଜ୍ୟାକେଟ ପରିଧାନକୁ ନିଶ୍ଚିତ କରିବା ପାଇଁ ସର୍ଭେୟର ନିଯୁକ୍ତ ହେବ। ସଂପୃକ୍ତ ଜିଲାର ଜିଲାପାଳମାନେ ଏହି ସର୍ଭେୟରଙ୍କୁ ନିଯୁକ୍ତି ଦେବେ। ଚିଲିକାକୁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଯାଉଥିବାରୁ ସେଠାରେ ଏହି ସମସ୍ତ ବ୍ୟବସ୍ଥା ଯଥାଶୀଘ୍ର ଲାଗୁ କରିବାକୁ ନିର୍ଦେଶ ଦିଆଯାଇଛି। ଏହାବ୍ୟତୀତ ଅପରାହ୍ଣ ୪ଟା ସୁଦ୍ଧା କାଳୀଜାଈରୁ ଡଙ୍ଗାଗୁଡ଼ିକ ଯେପରି ପ୍ରତ୍ୟାବର୍ତ୍ତନ କରିବେ ସେ ନେଇ ପଦକ୍ଷେପ ନେବାକୁ ସଂପୃକ୍ତ ଜିଲାର ଜିଳାପାଳମାନଙ୍କୁ କୁହାଯାଇଛି। ଚିଲିକାରେ ଡଙ୍ଗାବୁଡ଼ି ସମ୍ପର୍କରେ ରିପୋର୍ଟ ପାଇବା ପରେ ଶନିବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଏହି ସୂଚନା ଦେଇଛନ୍ତି। ତଦନ୍ତ ରିପୋର୍ଟ ଆଧାରରେ ଚିଲିକାରେ ଡଙ୍ଗା ବୁଡ଼ି ପାଇଁ ଡଙ୍ଗା ଓ ଡଙ୍ଗା ମାଲିକଙ୍କୁ ଦାୟୀ କରିଛନ୍ତି ମନ୍ତ୍ରୀ ଶ୍ରୀ ସାହୁ। କାଳବୈଶାଖୀ ଦୁର୍ଘଟଣାର ପ୍ରମୁଖ କାରଣ ହୋଇଥିବା ବେଳେ ଡଙ୍ଗାଟିର ଅବସ୍ଥା ମଧ୍ୟ ଭଲ ନଥିବା ସେ ପ୍ରକାଶ କରିଛନ୍ତି। ଶନିବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ବସିଥିଲା। ଶ୍ରୀ ପାଢ଼ୀ କହିଛନ୍ତି ଯେ ଏଣିକି ରାଜ୍ୟ ବୋଟ୍‍ ନିୟମ-୨୦୦୪କୁ କଡାକଡ଼ି କରାଯିବ। ବାଜି ରାଉତ ନୌଯାତ୍ରା ବେଳେ ଲାଇଫ୍‍ ଜ୍ୟାକେଟକୁ ବାଧ୍ୟତାମୂଳକ କରାଯିବ। ମାଡ୍ରାସ୍‍ ଆଇଆଇଟି ଯନ୍ତ୍ରୀଙ୍କ ପରାମର୍ଶ ମୁତାବକ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣ ହେବ। ଯାତ୍ରା ସମୟରେ ପ୍ରତ୍ୟେକ ବୋଟ୍‍ରେ ତାଲିମପ୍ରାପ୍ତ ଉଦ୍ଧାରକାରୀ ଦଳ ନିୟୋଜିତ ହେବେ। ବୋଟ୍‍ର ଯାନ୍ତ୍ରିକ ପରିଚାଳନା ଲାଗି ୯ଜଣ ଯାନ୍ତ୍ରିକ ବିଶେଷଜ୍ଞ ନିଯୁକ୍ତ ହେବେ। ଏହାସହିତ ୩ଜଣ ସହ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ୩ଜଣ ସହଯନ୍ତ୍ରୀ, ୩ଜଣ କନିଷ୍ଠ ଯନ୍ତ୍ରୀ ଜଳସମ୍ପଦ ବିଭାଗ ପକ୍ଷରୁ ନିଯୁକ୍ତି ହେବେ। ଏହାବାଦ୍‍ ମାଛଧରା ବୋଟ୍‍ ବା ଡଙ୍ଗାରେ ସାଧାରଣ ଯାତ୍ରୀଙ୍କୁ କୌଣସି ପ୍ରକାର ଉଠାଯିବ ନାହିଁ। ବୋଟ୍‍ର ପଞ୍ଜୀକରଣଗୁଡିକ ସଂପୃକ୍ତ ଜିଲା ପ୍ରଶାସନ ଅନୁଧ୍ୟାନ କରିବେ।
ସୂଚନା ଅନୁଯାୟୀ ଇତିମଧ୍ୟରେ ୭କୋଟି ଟଙ୍କାର ଲାଇଫ୍‍ ଜ୍ୟାକେଟ ଓ ଅନ୍ୟାନ୍ୟ ଯାନ୍ତ୍ରିକ ଉପକରଣ ସରକାରଙ୍କ ପକ୍ଷରୁ ସଂଗ୍ରହ କରାଯାଇଛି।

Leave A Reply