ଉତ୍କଳ ଗୌରବ ମଧୁସୂଦନ ଦାସ

ପୂଜ୍ୟ ପ୍ରଣାମ

ଆଧୁନିକ ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସ ୧୮୪୮ ଏପ୍ରିଲ ୨୮ରେ ଜନ୍ମଗ୍ରହଣ କରିଥିଲେ। କଟକରେ ବିଦ୍ୟାଳୟ ପାଠପଢ଼ା ସାରି ଉଚ୍ଚଶିକ୍ଷା ପାଇଁ ସେ କଲକାତା ଗଲେ। ସେଠି ପ୍ରଥମ ଓଡ଼ିଆ ଭାବେ ମଧୁସୂଦନ ଦାସ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ନବଉତ୍କଳର ଜନକ ମଧୁବାବୁଙ୍କ ଉଦ୍ୟମରେ ରାଜ୍ୟର ବହୁ ଉନ୍ନତି ହୋଇଥିଲା। ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ। କଟକରେ ସୁନାରୁପାର ତାରକସି କାମ ପାଇଁ ମଧୁସୂଦନ ଦାସ ଏକ କର୍ମଶାଳାର ଆୟୋଜନ କରି କାରିଗରମାନଙ୍କୁ ତାଲିମ ପ୍ରଦାନ କରିବାର ବ୍ୟବସ୍ଥା କରାଇଥିଲେ। ତାଙ୍କ ଦ୍ବାରା ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରୀ ବ୍ୟାବସାୟିକ ସାଧୁତା ଓ ଶିଳ୍ପଗତ ଉତ୍କର୍ଷ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲା। ସ୍ବତନ୍ତ୍ର ଓଡ଼ିଶା ଗଠନ ଓ ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷା ଦିଗରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନିରବଚ୍ଛିନ୍ନ ଉଦ୍ୟମର ପଟାନ୍ତର ନାହିଁ। ଜଣେ ଲେଖକ ଓ କବି ଭାବରେ ସେ ଅନେକ ଦେଶାତ୍ମବୋଧକ ଲେଖା ଲେଖିଛନ୍ତି। ଏକାଧାର​‌େ​‌ର ସେ ଥିଲେ କବି, ସାମ୍ବାଦିକ, ଓକିଲ, ରାଜନେତା ଓ ସମାଜ ସଂସ୍କାରକ। ‘ମଧୁ ବାରିଷ୍ଟର’, ‘କୁଳ ବୃଦ୍ଧ’, ‘ଉତ୍କଳ ଗୌରବ’ ଆଦି ନାମରେ ପରିଚିତ ମଧୁବାବୁ ଭାଷା ଭିତ୍ତିରେ ସ୍ବତନ୍ତ୍ର ରାଜ୍ୟ ପାଇଁ ସଂଗ୍ରାମ କରିଥିଲେ। ‘ଉତ୍କଳ ସନ୍ତାନ’, ‘ଜାତି ଇତିହାସ’, ‘ଜନନୀର ଉକ୍ତି’ ଭଳି ଲୋକପ୍ରିୟ ଦେଶାତ୍ମବୋଧକ କବିତାର ସେ ରଚୟିତା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦେହାନ୍ତ ୧୯୩୪ ଫେବୃୟାରୀ ୪ରେ ହୋଇଥିଲା।

Comments are closed.