ଓଡ଼ିଶାରେ ପୁଣି ୨ ଶିଶୁ କନ୍ୟାଙ୍କୁ ବଳାତ୍କାର

0

ସାଲେପୁର/ମାର୍ଶାଘାଇ: ଓଡ଼ିଶାକୁ ପୁଣି ଲଜ୍ଜା। ଆଜି ଅବିଭକ୍ତ କଟକ ଜିଲାର ଦୁଇଟି ସ୍ଥାନରେ ୨ ଶିଶୁ କନ୍ୟା ବଳାତ୍କାରର ଶିକାର ହୋଇଛନ୍ତି। ସାଲେପୁର ଓ ମାର୍ଶାଘାଇରେ ଘଟିଛି ଏହି ବର୍ବର ଅମାନବୀୟ ଘଟଣା।
କଟକ ଜିଲା ସାଲେପୁରରେ ଜନୈକା ୬ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାର ପରେ ତାକୁ ହତ୍ୟା ଉଦ୍ୟମ କରାଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ନାବାଳିକାକୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ୬ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି। ଅପରପକ୍ଷରେ ଅଭିଯୁକ୍ତକୁ ଗିରଫ ଦାବିରେ ସାଲେପୁର ଅଞ୍ଚଳବାସୀ ରାସ୍ତାରୋକ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଶିଶୁ କନ୍ୟାଟି ଗତ କାଲି ସନ୍ଧ୍ୟାରେ ଦୋକାନକୁ ଯାଇ ଆଉ ଫେରି ନଥିଲା। ଖୋଜାଖୋଜି କରିବା ପରେ ଏକ ସ୍କୁଲ୍‌ ବାରଣ୍ଡାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା। ସେଠାରୁ ତାକୁ ଉଦ୍ଧାର କରି ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସେହିପରି ମାର୍ଶାଘାଇର ତିଖିରି ଗ୍ରାମରେ ଜଣେ ୪ ବର୍ଷର ଶିଶୁ କନ୍ୟାକୁ ସେହି ଗ୍ରାମର ଜଣେ ୧୪ ବର୍ଷର କିଶୋର ବଳାତ୍କାର କରିଛି। ହନୁମାନ ଯଜ୍ଞ ଦେଖିବାକୁ ଯାଇଥିବା ବେଳେ ଶିଶୁ କନ୍ୟାକୁ ଡାକି ନେଇ କିଶୋର ଜଣକ ନଦୀପଠାରେ ବଳାତ୍କାର କରିଥିଲା। ଲୋକେ ବଳାତ୍କାରୀକୁ ଧରି ନିର୍ଧୂମ ପିଟିଛନ୍ତି। ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲୋକଙ୍କ ମାଡ଼ରେ ଆହତ ବଳାତ୍କାରୀ ମଧ୍ୟ ଉକ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛି।

Leave A Reply