ବାଲ୍ୟବିବାହ ବନ୍ଦ ପାଇଁ ସାମୁହିକ ଶପଥପାଠ

ଫୁଲବାଣୀ:କନ୍ଧମାଳ ଜିଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ବିିଭିନ୍ନ ପ୍ରକାର ପଦକ୍ଷେପ ପ୍ରଶାସନ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ପକ୍ଷରୁ ନିଆଯାଇଥିବା ବେଳେ ଆଜି ସମଗ୍ର ଜିଲାରେ ଥିବା ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶହ ଶହ ସଂଖ୍ୟାରେ ମହିଳା ମାନେ ଭଗବାନଙ୍କ ନିକଟରେ ସାକ୍ଷି ରଖି ଶପଥ ପାଠ କରିଥିବା ବେଳେ ଏଥିରେ ବିଶେଷ କରି ନିଜ ନିଜ ଗ୍ରାମରେ ଝିଅକୁ ୧୮ ବର୍ଷ ଓ ପୁଅକୁ ୨୧ ବର୍ଷ ପୂର୍ବରୁ ବାହାଘର କରିବାକୁ ଦେବୁନାହିଁ ବୋଲି ଶପଥ ନେଇଛନ୍ତି। ଯଦି କୌଣସି ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବା ଖବର ପାଆନ୍ତି ତାହାହେଲେ ୧୦୯୮କୁ ଫୋନ୍ କରି ଜଣାଇବାକୁ ମଧ୍ୟ ଶପଥ ନେଇଛନ୍ତି। ସମଗ୍ର ଜିଲାରେ ଅନୁଷ୍ଠିତ ଏହି ଶପଥ ପାଠାରେ ମହିଳା ସ୍ୱୟଂ ସହାୟଗ ଗୋଷ୍ଠି ସହିତ ଓ.ଏଲ୍.ଏମ୍ , ମିଶନଶକ୍ତି ସହିତ ପ୍ରତ୍ୟେକ ବ୍ଳକର ସିଡ଼ିପିଓର ଅଧିନରେ କାର୍ଯ୍ୟରତ ମହିଳା ଗୋଷ୍ଠି ମାନେ ମଧ୍ୟ ସାମିଲ୍ ହୋଇଥିଲେ। କନ୍ଧମାଳ ଜିଲାପାଳଙ୍କ ଉଦ୍ୟମରେ ଏହି ସବୁ ଶପଥ ପାଠ କରାଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଜିଲାକୁ ସଂପୂର୍ଣ୍ଣଭାବେ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଆଗାମି ଦିନରେ ଅନ୍ୟ ଅଭିନୟ ଉପାୟରେ ମଧ୍ୟ କାର୍ଯ୍ରକ୍ରମ ହାତକୁ ନିଆଯିବ ବୋଲି କୁହାଯାଇଛି।

Comments are closed.