ବିବାହ ଯୋଜନା ଭଣ୍ଡୁର : ନାବାଳିକା ଉଦ୍ଧାର

ଏପ୍ରିଲରେ ମଧ୍ୟ ହୋଇଥିଲା ଉଦ୍ୟମ

ସମ୍ବଲପୁର : ସମ୍ବଲପୁରର ଟାଉନ ଥାନା କ୍ଷେତ୍ର ଅର୍ନ୍ତଗତ ଅଞ୍ଚଳର ଜଣେ ନାବାଳିକାଙ୍କୁ ରାଜ୍ୟ ବାହାରେ ବିବାହ କରାଇବାର ଯୋଜନାକୁ ପ୍ରଶାସନ ତରଫରୁ ଭଣ୍ଡୁର କରାଯାଇଛି। ଚାଇଲ୍ଡ ଲାଇନରୁ ମିଳିଥିବା ସୂଚନାନୁଯାୟୀ, ଟାଉନ ଥାନା ଅଧିନସ୍ଥ ଅଞ୍ଚଳର ଜଣେ ୧୫ ବର୍ଷିୟ ନାବାଳିକାଙ୍କୁ ତାଙ୍କର ମାଆ ଓ ପରିବାର ଲୋକେ ଉତ୍ତରପ୍ରଦେଶର ଝାନସୀ ଅଞ୍ଚଳକୁ ରବିବାର ସକାଳୁ ବିବାହ ପାଇଁ ନେବାକୁ ଉଦ୍ୟମ କରୁଥିଲେ। ଏ ସର୍ମ୍ପକରେ ଶନିବାର ବିଳମ୍ବିତ ରାତିରେ ଖବର ମିଳିବା ପରେ ଚାଇଲ୍ଡ ଲାଇନ ତୁରନ୍ତ ଟାଉନ ପୁଲିସର ସହାୟତାରେ ରାତିଅଧିଆ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ସମୟରେ ନାବାଳିକା ଜଣକ ତାଙ୍କୁ ୩୦ ହଜାର ଟଙ୍କା ବଦଳରେ ବିବାହ ପାଇଁ ଝାନସୀକୁ ନିଆଯାଉଥିଲା ବୋଲି ଜଣାପଡ଼ିଥିଲା। ନାବାଳିକା ଜଣକ ପରିବାର ସହିତ ରହିବାକୁ ଅନିଚ୍ଛା ପ୍ରକାଶ କରିବାରୁ ତାଙ୍କୁ ଶିଶୁ କଲ୍ୟାଣ ସମିତି ସମ୍ମୁଖରେ ରବିବାର ଉପସ୍ଥାପନା ପରେ ଶିଶୁ ଯତ୍ନ କେନ୍ଦ୍ରରେ ଥଇଥାନ କରାଯାଇଛି। ଏ ସର୍ମ୍ପକରେ ଚାଇଲ୍ଡ ଲାଇନ ତରଫରୁ ଟାଉନ ଥାନାରେ ଅଭିଯୋଗ କରାଯିବାରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି ଥାନାଧିକାରୀ କହିଛନ୍ତି।

ଅନ୍ୟ ପଟରେ ମିଳିଥିବା ସୂଚନାନୁଯାୟୀ, ଗତ ଏପ୍ରିଲ ମାସରେ ମଧ୍ୟ ଉକ୍ତ ନାବାଳିକାଙ୍କୁ ଛତିଶଗଡ ରାଜ୍ୟର ରାୟଗଡ ଅଞ୍ଚଳରେ ବିବାହ କରିବାକୁ ତାଙ୍କର ମାଁ ଓ ପରିବାର ଲୋକେ ଉଦ୍ୟମ କରୁଥିବା ବେଳେ ସେ ସମୟରେ ମଧ୍ୟ ଖବର ପାଇ ଚାଇଲ୍ଡ ଲାଇନ ଓ ଜିଲା ପ୍ରଶାସନ ମିଳିତ ଭାବରେ ତାଙ୍କୁ ଉଦ୍ଧାର କରିଥିଲେ। ସେ ସମୟରେ ତାଙ୍କର ମାଁ ୧୮ ବର୍ଷ ନ ହେବା ପର୍ଯ୍ୟନ୍ତ ଝିଅକୁ ବିବାହ ନ କରାଇବା ପାଇଁ ପ୍ରଶାସନକୁ ଲିଖିତ ଭାବରେ ଜଣାଇ ଝିଅକୁ ନେଇ ଯାଇଥିଲେ। କିନ୍ତୁ ଏହି ଘଟଣାର ମାତ୍ର ୨ ମାସ ପରେ ପୁଣି ଥରେ ନାବାଳିକା ଙ୍କୁ ଅନ୍ୟତ୍ର ବିବାହ କରାଇବାର ଉଦ୍ୟମ ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ଅପର ପକ୍ଷରେ ନାବାଳିକା ତାଙ୍କର ମାଁ, ଭାଇ ଓ ଆଈ ଙ୍କ ସହିତ ରହୁଥିବା ବେଳେ ବାପା ଅନ୍ୟତ୍ର ରହୁଛନ୍ତି। ଆର୍ଥିକ ଅଭାବ ମଧ୍ୟରେ ପରିବାର ଗତି କରୁଥିବାରୁ ସାମାନ୍ୟ କିଛି ବଦଳରେ ନାବାଳିକାକୁ ବିବାହ କରାଇ ଦେବା ପାଇଁ ଉଦ୍ୟମ କରାଯାଉଥିଲା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ, ଏଭଳି ଅନେକ ମାମଲା ଗୁଡିକରେ ପିଡିତା ମାନେ ପରିବାରବର୍ଗଙ୍କ ବିରୋଧରେ ମୁହଁ ନ ଖୋଲି ଅତ୍ୟାଚାର ସହୁଥିବା ଏବଂ ସଚେତତନାର ଅଭାବରୁ ଏଭଳି ମାମଲା ଗୁଡିକ ବୃଦ୍ଧି ପାଉଛି ବୋଲି ଚାଇଲ୍ଡ ଲାଇନ ତରଫରୁ କୁହାଯାଇଛି।

Comments are closed.