କରୋନା କାୟା: ତାଲାବନ୍ଦରେ ବୃଦ୍ଧି ପାଇଛି ଶିଶୁ ଶ୍ରମିକ ସଂଖ୍ୟା 

ସାରନଗରୀ: କାଳରୂପୀ କରୋନାର କାୟାରେ ପୁରରୁ ପଲ୍ଲୀ ସମସ୍ତେ ଆତଙ୍କିତ ହୋଇ ପଡ଼ିଛନ୍ତି । ଗ୍ରାମାଞ୍ଚଳ ହେଉକି ସହରାଞ୍ଚଳ ସବୁଠି କରୋନା ତା’ର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଜୀବନ ଜୀବିକାକୁ ଉଜାଡ଼ି ଦେଇଛି କରୋନା । ଗତବର୍ଷ କରୋନାର ପ୍ରଥମ ଲହରୀ ପାଇଁ ପ୍ରଥମ ପର୍ୟ୍ୟାୟ ତାଲାବନ୍ଦ ଠାରୁ ଆରମ୍ଭ କରି ଚଳିତ ବର୍ଷ ତୃତୀୟ ପାଳିର ତାଲାବନ୍ଦ ଫଳରେ ଅନେକଙ୍କ ଜୀବିକା ପ୍ରଭାବିତ ହୋଇଥିବା ବେଳେ ବହୁ ଲୋକ ସେମାନଙ୍କ ବୃତିକୁ ବାଧ୍ୟ ହୋଇ ବଦଳାଇ ଦେଇଥିବା ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲାରୁ ଅନେକ ଗ୍ରାମରୁ ଲୋକମାନେ ପେଟ ଜ୍ୱାଳା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି । ଦକ୍ଷିଣ ରାଉରକେଲା ସମେତ ସହରତଳି ଗ୍ରାମାଞ୍ଚଳ ଗୁଡ଼ିକରେ ବସବାସ କରୁଥିବା ଗରିବ ଓ ମଧ୍ୟବିତ ଶ୍ରେଣୀୟ ପରିବାର ନିଜ ରୋଜଗାର ହରାଇ ଏବେ ଘରେ ହାତ ବାନ୍ଧି ବସିଛନ୍ତି । ଏପରି ସ୍ଥଳେ ଘରେ ଓଳିଏ ଅନ୍ନ ଖାଇବା ମଧ୍ୟ କଷ୍ଟକର ବ୍ୟାପାର ହୋଇ ପଡ଼ିଛି । ସାଧାରଣତଃ ବସ୍ତି ଅଞ୍ଚଳ ଗୁଡ଼ିକରେ ବସବାସ କରୁଥିବା ବାସିନ୍ଦା ମାନେ ଦିନ ମଜୁରିଆ ନିର୍ମାଣ ଶ୍ରମିକ ଭାବେ କାର୍ୟ୍ୟ କରିଥାନ୍ତି । ଦୈନିକ ମଜୁରୀରେ ଏଭଳି ପରିବାରମାନଙ୍କର ଚୁଲି ଜଳିଥାଏ ମାତ୍ର ଏବେ କରୋନା କାଳରେ ଅନେକ ଅଧାପନ୍ତରିଆ ଭାବେ ନିର୍ମାଣ କାର୍ୟ୍ୟ ବନ୍ଦ ରହିଛି । ଯଦିଓ କେତେକ ନିର୍ମାଣ କାର୍ୟ୍ୟ ଚାଲିଛି, ସେପଟେ ସଠିକ ମଜୁରୀ ମିଳୁନାହିଁ ବୋଲି ଦକ୍ଷିଣ ରାଉରକେଲା ଟାଙ୍ଗରପାଲୀ ବସ୍ତି ଅଞ୍ଚଳରେ ରହୁଥିବା ଜଣେ ମହିଳା ଶ୍ରମିକ ନିଜ ନାମ ଗୋପନ ରଖିବା ସର୍ତରେ ପ୍ରକାଶ କରିଛନ୍ତି । ପରିବାର ଚଳାଇବା ପାଇଁ ମଧ୍ୟବିତ ଓ ଗରିବ ଶ୍ରେଣୀର ବ୍ୟକ୍ତି ମାନେ ବାଧ୍ୟବାଧକତାରେ ଘରେ ଥିବା ପିଲାମାନଙ୍କୁ କାମ କରିବାକୁ ପଠାଉଛନ୍ତି । ଯେଉଁ ମାନଙ୍କ ବୟସ ମାତ୍ର ୧୨ରୁ ୧୪ ବର୍ଷ ମଧ୍ୟରେ । ଅପରପକ୍ଷରେ ଜୀବିକା ପାଇଁ ଏମାନଙ୍କ କୋମଳମତି ଜୀବନ ବନ୍ଧା ପଡ଼ି ଯାଇଛି । ଗ୍ରାମାଞ୍ଚଳରେ ରହୁଥିବା ପିଲାମାନେ ସହର ମୁହାଁ ହୋଇ କିଛି ଅର୍ଥ ରୋଜଗାର କରିବା ପାଇଁ ଆଗଭର ହୋଇଥିବା ଜଣାପଡ଼ିଛି ।

କିଛି ଶିଶୁ କୌଣସି କାମଧନ୍ଦା ନପାଇ ଅଳିଆ ଆବର୍ଜନା, ଭଙ୍ଗା ପ୍ଲାଷ୍ଟିକ ବୋତଲ ଗୋଟାଇବା ପରେ ଏଗୁଡ଼ିକୁ ବିକ୍ରି କରି ନିଜ ପରିବାରର ଗୁଜୁରାଣ ମେଂଟାଉଥିବା ଦେଖିବାକୁ ମିଳିଛି । ଲାଠିକଟା ବ୍ଲକରେ ଥିବା କିଛି ଗ୍ରାମର ଅଧିକାଂଶ ଲୋକ ବାହାର ରାଜ୍ୟରେ ଥିବା ଇଟାଭାଟିରେ ଦାଦନ ଖଟୁଛନ୍ତି । ସବୁଠାରୁ ଉଦବେଗର ବିଷୟ ଏହିକିଯେ, ସେମାନଙ୍କ ମଧ୍ୟରେ ରହିଛନ୍ତି ୧୮ ବର୍ଷରୁ କମ ନାବାଳକ ଶିଶୁ ଶ୍ରମିକ। ଏଥିସହ ବିଭିନ୍ନ ଘରୋଇ ଉଦ୍ୟୋଗ, ଗାଡ଼ି ଗ୍ୟାରେଜ, ସାଇକେଲ ଦୋକାନ, ଛୋଟ ହୋଟେଲମାନଙ୍କରେ ୧୮ ବର୍ଷରୁ କମ ପିଲା କାମ କରି ଆସୁଛନ୍ତି । ୨୦୨୦-୨୧ ଓ ଚଳିତ ଶିକ୍ଷା ବର୍ଷରେ ବହୁ ଦିନ ଧରି ବିଦ୍ୟାଳୟରେ ତାଲା ଝୁଲୁଛି। ଗ୍ରାମାଚଂଳରେ ବସବାସ କରୁଥିବା ଅନେକ ନାବାଳକ ସେମାନଙ୍କ ପରିବାର ସଦସ୍ୟ ମାନଙ୍କ ସହିତ ବାହାର ରାଜ୍ୟକୁ କାମ କରିବାକୁ ଚାଲି ଯାଇଥିବା ଦେଖିବାକୁ ମିଳିଛି ।

ଅପରପକ୍ଷରେ ସରକାରୀ ସ୍ତରରେ ଶିଶୁ ଶ୍ରମିକ ବିରୋଧରେ ଅନେକ ଆଇନ ଅଣାଯଇ ଏହାକୁ ବନ୍ଦ କରିବା ପାଇଁ ନିଆଯାଉଥିବା ପଦକ୍ଷେପ କେବଳ ପ୍ରଚାରରେ ସୀମିତ ରହିଥିବା ଜଣାପଡ଼ିଛି। ଏଠାରେ ପ୍ରକାଶ ଥାଉକି, ଲାଠିକଟା ବ୍ଲକ ଅଧିନରେ ରହିଛି ୧୮ଟି ପଂଚାୟତ । ଏହି ବ୍ଲକର ଅଧିକାଂଶ ପଂଚାୟତ ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ, ବର୍ତମାନ ସୁଦ୍ଧା ଶିକ୍ଷା ଠାରୁ ବହୁତ ଦୂରରେ ଅନେକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଯାଏ ପଢି ସାରିବା ପରେ ପାଠର ଆବଶ୍ୟକତାକୁ ଏତେଟା ଗୁରୁତ୍ୱ ଦେଇନଥାନ୍ତି ବୋଲି ଗ୍ରାମର କିଛି ଅଭିଭାବକ ମତ ଦିଅନ୍ତି । ଏହା ଦ୍ୱାରା ପାଠରେ ଡୋରି ବନ୍ଧା ହେବା ପରେ ଏଭଳି ପିଲାମାନେ ଦାଦନ ଖଟିବାକୁ ଆଗଭର ହୋଇ ଉଠନ୍ତି । ପରିବାର ସଦସ୍ୟ ବାପା ଓ ଭାଇ ସହ ମିଶି ସୁରାଟ, ମହାରାଷ୍ଟ୍ର, ତାମିଲନାଡ଼ୁ, କେରଳ ଆଦି ସ୍ଥାନକୁ କାର୍ୟ୍ୟ ଉଦ୍ଦେଶ୍ୟ ଯାଉଥିବା ଜଣାପଡ଼ିଛି । ଉପଯୁକ୍ତ ସଚେତନତା ଅଭାବରୁ କେବଳ ବାହାର ରାଜ୍ୟ ନୁହେଁ, ସ୍ଥାନୀୟ ଅଂଚଳର ଇଟାଭାଟି, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ନାବାଳକ ମାନଙ୍କୁ ଶିଶୁ ଶ୍ରମିକ ଭାବେ କାର୍ୟ୍ୟ କରିବା ଦେଖିବାକୁ ମିଳିଛି । କରୋନା ମହାମାରୀର ପ୍ରଭାବ ଅନେକ ଶିଶୁଙ୍କୁ ଶିଶୁ ଶ୍ରମିକ ଭାବେ ସଜାଇ ଦେଇଛି। ର୍ପୂବରୁ ଜିଲା ପ୍ରଶାସନ ଦ୍ୱାରା ହାତକୁ ନିଆଯାଇଥିବା ଅପରେସନ’ମୁସ୍କାନ’କୁ ତ୍ୱରାନ୍ୱିତ କରି ଏହି ଦିଗରେ ପଦକ୍ଷେପ ନିଆଗଲେ କିଛି ମାତ୍ରାରେ ଶିଶୁ ଶ୍ରମିକ ହ୍ରାସ ପାଇଥାନ୍ତା ବୋଲି ସାରନଗରୀ ଅଂଚଳର ଜଣେ ବୁଦ୍ଧିଜିବୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ପ୍ରଶାସନ ଏଦିଗରେ ଯତ୍ନବାନ ହେଲେ କରୋନା କାଳରେ ଏହି ନିରୀହ ଶିଶୁଙ୍କ ଜୀବନକୁ ସୁରକ୍ଷିତ ରଖିବା ସହ ଏମାନେ ଶିଶୁ ଶ୍ରମିକ ପ୍ରଥାରୁ ମୁକୁଳି ପାରନ୍ତେ ଏଥିରେ ଦ୍ୱିମତ ନାହିଁ । ପୂର୍ବରୁ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଶିଶୁ ଶ୍ରମିକ ସଂଖ୍ୟା କରୋନା ପରେ ବୃଦ୍ଧି ପାଇବାରେ ଲାଗିଛି, ଯାହାକି ସମାଜ ପାଇଁ ଆଦୌ ହିତକର ନୁହେଁ । ମାତ୍ର ଇଛା ନଥିଲେ ମଧ୍ୟ ପରିବାରର ଆର୍ଥିକ ଅନାଟନ ଯୋଗୁଁ ପିଲାମାନଙ୍କୁ ଶିଶୁ ଶ୍ରମିକ ଭାବେ କାର୍ୟ୍ୟ କରିବାକୁ ବାଧ୍ୟ ହେଉଥିବା ବୋଲି ସେମାନଙ୍କ ପରିବାର ପକ୍ଷରୁ କୁହାଯାଇଛି ।

Comments
Loading...