ପିପିଲିରୁ ୬ ଓ ସତ୍ୟବାଦୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର

0

ପିପିଲି :ରାଜ୍ୟ ସରକାର ଓ ପୁଲିସ ବିଭାଗର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପୀ ଚାଲିଥିବା ପରୀ-୨ କାର୍ଯ୍ୟକ୍ରମରେ ବୁଧବାର ପିପିଲି ଥାନା ଅଞ୍ଚଳରୁ ୬ଜଣ ଓ ସତ୍ୟବାଦୀ ଥାନା ଅଞ୍ଚଳରୁ ୩ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ପୁରୀ ଏସ୍‍ପି ଡ଼ଃ ସାର୍ଥକ ଷଡଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଡିଏସ୍‍ପି-ହେଡ୍‍କ୍ୱାଟର ସସ୍ମିତା ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ଶତପଥି, ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ଦେବାଶିଷ ରଥ, ଜିଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଶକ୍ତିପାଦ ମିଶ୍ର, ଜିଲା ଲେବର ଇନ୍ସପେକ୍ଟର ପ୍ରିୟଙ୍କା ପ୍ରିୟଦର୍ଶିନୀ, ପିପିଲି ଏସ୍‍ଡିପିଓ ଦିଲିପ କୁମାର ତ୍ରିପାଠୀ, ପିପିଲି ଆଇଆଇସି ଶରତ କୁମାର ସାହୁ, ବଳଙ୍ଗା ଓଆଇସି ସୁଶାନ୍ତ କୁମାର ସାହୁ, ଡେଲାଙ୍ଗ ଆଇଆଇସି ଅସିତ ରଞ୍ଜନ ମହାନ୍ତି, କଣାସ ଓଆଇସି ସଞ୍ଜୟ ନାୟକ, ସତ୍ୟବାଦୀ ପୁଲିସ ପ୍ରମୁଖ ପିପିଲି ଓ ସତ୍ୟବାଦୀ ଥାନାର ବିଭିନ୍ନ ଅଞ୍ଚଳରେ ଥିବା ଢାବା, ହୋଟେଲ, ଗ୍ୟାରେଜ ଆଦିରେ ବୁଧବାର ଅଚାନକ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ପିପିଲି ଥାନା ଅଞ୍ଚଳରୁ ୬ଜଣ ଓ ସତ୍ୟବାଦୀ ଥାନା ଅଞ୍ଚଳରୁ ୩ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ସଂନ୍ଧ୍ୟାରେ ଜିଲା ଶିଶୁ ମଙ୍ଗଳ କମିଟିଙ୍କ ନିକଟରେ ଉପସ୍ଥାପିତ କରାଯିବା ପରେ ଶିଶୁଯତ୍ନ ଅନୁଷ୍ଠାନରେ ରଖାଯାଇଥିବା ସୂଚନା ମିଳିଛି। ଯେଉଁମାନେ ଉକ୍ତ ଶିଶୁଙ୍କୁ ଶ୍ରମିକ ଭାବେ କାର୍ଯ୍ୟରେ ନିୟୋଜିତ କରିଥିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଏହି ଅଭିଯାନରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚଢାଉ ଚାଲିବ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ସେ ନିଖୋଜ ଶିଶୁ, ବିପଦସଙ୍କୁଳ ପରିସ୍ଥିତିରେ ଥିବା ଶିଶୁଙ୍କୁ ଉଦ୍ଧାର କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Leave A Reply