କୁକୁର ପଲଙ୍କ ଆକ୍ରମଣରେ ଶିଶୁ ଗୁରୁତର

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ପଞ୍ଚାୟତ ଟୁଙ୍ଗୁରୁ ବାହାଳ ଗାଁର ଆଟପୁର(ଭୂୟାଁ ସାହି)ରେ କୁକୁର ପଲଙ୍କ ଆକ୍ରମଣରେ ଜଣେ ଶିଶୁ ଗୁରୁତର ହୋଇଛି। ଗୁରୁତର ଶିଶୁଟି ଲୋଚନ ଦେହୁରୀଙ୍କ ଝିଅ ଶୁଭସ୍ମିତା ଦେହୁରୀ(୯)।

ଆଜି ସକାଳୁ ଆମ୍ବପାଇଁ ଘରଠାରୁ ଅଳ୍ପ ଦୂରରେ ଥିବା ପଡିଆ ନିକଟକୁ ଯାଇଥିବା ବେଳେ ଶିଶୁଟିକୁ ଏକୁଟିଆ ପାଇ ୬ଟି ବୁଲା କୁକୁର ଏକତ୍ର ଆକ୍ରମଣ କରିଥିଲେ। ଏତେ କୁକୁର ଏକ ସଙ୍ଗେ ଆକ୍ରମଣ କରିବାରୁ ଶିଶୁଟି ନିଜକୁ ରକ୍ଷା କରିପାରି ନ ଥିଲା। ଶିଶୁ ମୁଣ୍ଡର ୮୦ ଭାଗ ଅଂଶ କୁକୁର ମାନେ ଟାଣି ଖାଇଦେଇଥିବା ବେଳ ବାମପାଖ କାନ ମଧ୍ୟ ଛିଣ୍ଡାଇ ଦେଇଛନ୍ତି। ଏହା ସହିତ ହାତ, ବେକ, ଛାତି, ପିଠି ଓ ପେଟରେ ଗଭୀର କ୍ଷତ ହୋଇଛି। ସେହି ଗ୍ରାମର ଶିଖର ପ୍ରଧାନ ଓ ଅରବିନ୍ଦ ପ୍ରଧାନ ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ଶିଶୁକୁ ଏପରି ଅବସ୍ଥାରେ ଦେଖି ବିଲମାଳରୁ କୁକୁରଙ୍କ କବଳରୁ ଉଦ୍ଧାର କରି ତାଙ୍କ ଘରକୁ ନେଇ ଯାଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ଶୁଭସ୍ମିତାଙ୍କୁ ଗୁରୁତର ଅବସ୍ଥାରେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Comments are closed.