ଶିକାରୀ ଚିଲ

ଏସିଆ, ଆଫ୍ରିକା ଓ ଆମେରିକାରେ ବହୁଳ ସଂଖ୍ୟାରେ ଚିଲ ଦେଖାଯାଉଥିବାବେଳେ ବିଶ୍ବସ୍ତରରେ ୬୦ ପ୍ରଜାତିର ଚିଲ ରହିଥିବାର ବିଶେଷଜ୍ଞଙ୍କ ମତ। ୧୯୬୩ବେଳକୁ ଏହି ପକ୍ଷୀର ସଂଖ୍ୟା କମିବାରେ ଲାଗିଥିଲା। ବହୁଳ ସଂଖ୍ୟାରେ ଶିକାର କରାଯିବା ହିଁ ଏହା ପଛର କାରଣ ଥିଲା। କେତୋଟି ରାଷ୍ଟ୍ରରେ ଏନେଇ କଡ଼ାକଡ଼ି ନିୟମ ପ୍ରଣୟନ କରାଯିବା ପରେ ୧୯୭୮ବେଳକୁ ପୁନର୍ବାର ଏମାନଙ୍କ ସଂଖ୍ୟା ବୃଦ୍ଧି ହୋଇଥିଲା।

– ଚିଲର ପଞ୍ଝା ଖୁବ୍ ଶକ୍ତ। ମନୁଷ୍ୟ ତୁଳନାରେ ଏଇ ପକ୍ଷୀର ପନ୍ଝା ୧୦ଗୁଣ ଅଧିକ ଶକ୍ତ। ଶିକାରକୁ ଧରିବା ପରେ ଚିଲ କବଳରୁ ମୁକ୍ତି ପାଇବା ଆଦୌ ସହଜ ନୁହେଁ।

– ଗଛର ଶିଖରରେ ବସା ବାନ୍ଧୁଥିବା ଚିଲ କିନ୍ତୁ ଗଛ ଡାଳରେ ବିଶ୍ରାମ ନିଏ। ଡାଳରେ ଶୋଇଥିବା ସମୟରେ ଚିଲ ପାଦର ଆଙ୍ଗୁଠିଗୁଡ଼ିକ ଗଛ ଡାଳ ସହ ଖାପରେ ପଡ଼ିଯାଏ। ଏଣୁ ଶୋଇଥିବା ଅବସ୍ଥାରେ ମଧ୍ୟ ଚିଲ ଡାଳରୁ ତଳକୁ ଖସିପଡ଼େନାହିଁ।

– ସାହସୀ ପକ୍ଷୀ ଚିଲ ନିଜ ସାଥି ପ୍ରତି ସମ୍ପୂର୍ଣ୍ଣ ବିଶ୍ବସ୍ତ। ୧୦୦ରୁ ଅଧିକ ଥର ଗବେଷଣା ହୋଇଥିବାବେଳେ ଏହା ସ୍ପଷ୍ଟ ହୋଇଛି, ଚିଲ ନିଜ ସାଥିକୁ କେବେହେଲେ ଧୋକା ଦେଇନଥାଏ। ଜଣେ ସାଥି ସହ ଆଜୀବନ ଅତିବାହିତ କରୁଥିବା ଚିଲ ସାଥିର ମୃତ୍ୟୁ ପରେ ଏକାକୀ ରହିଥାନ୍ତି।

– ମନୁଷ୍ୟ ଆଖିର ଆକାର ପରି ଚିଲ ଆଖିର ଆକାର ପ୍ରାୟତଃ ସମାନ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି। ହେଲେ ଏମାନଙ୍କ ଦୃଷ୍ଟି ଶକ୍ତି ତୀକ୍ଷ୍ଣ। ୩.୨ କିମି ଦୂରତାରେ ଦୌଡ଼ୁଥିବା ଠେକୁଆକୁ ଚିଲ ପକ୍ଷୀ ସହଜରେ ଦେଖିପାରେ। ମନୁଷ୍ୟ ତୁଳନାରେ ଚିଲର ଦୃଷ୍ଟି ଶକ୍ତି ୪ଗୁଣ ଅଧିକ।

– ଅନୁଧ୍ୟାନରୁ ଜଣାପଡ଼ିଛି, ଚିଲ ଘଣ୍ଟା ପିଛା ୧୨୦-୧୬୦ କିମି ବେଗରେ ଉଡ଼ିପାରେ। ନେଦରଲ୍ୟାଣ୍ଡରେ ଚିଲଙ୍କୁ ତାଲିମ ଦିଆଯାଇଥାଏ। ଡ୍ରୋନ୍‌‌ ଦୁର୍ଘଟଣାଗ୍ରସ୍ତ ହୋଇ ଭୂମିରେ ପଡ଼ିବା ପୂର୍ବରୁ ତାହାକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇବାର ପ୍ରଶିକ୍ଷଣ ସେଠାରେ ଚିଲଙ୍କୁ ଦିଆଯାଉଛି। ଚିଲ ମଧ୍ୟ ବେଶ୍ ସାବଧାନତାର ସହ ଏଇ କାମ କରିପାରୁଥିବାର ପ୍ରକାଶ।

Comments are closed.