ଶଳାର ଖଣ୍ଡାଚୋଟରେ ଭିଣୋଇ ମୃତ, ଭଉଣୀ ଓ ସାନ ଭିଣୋଇ ଗୁରୁତର

ଚିକିଟି: ଭଉଣୀର ଶଙ୍ଖା, ସିନ୍ଦୂର ଓ ସୁରକ୍ଷା ପାଇଁ ଯେଉଁ ଭାଇ ହାତରେ ଭଉଣୀର ସୁରକ୍ଷା ଡୋରୀ ରାଖୀ ବନ୍ଧା ଯାଇଥିଲା ଆଜି ସେଇ ଭାଇ ହାତରେ ଭଉଣୀର ଶଙ୍ଖା ସିନ୍ଦୁର ଲିଭାଇଦେଲେ ଭାଇମାନେ। ଭଉଣୀ ସମ୍ମୁଖରେ ସ୍ୱାମୀ ଓ ଦିଅରଙ୍କୁ ଅତି ନୃଶଂଶ ଭାବେ ହାଣିଲେ। ଏଥିରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଦିଅର ଗୁରୁତର ହୋଇଛନ୍ତି। ଏମିତି ଏକ ଲୋମହର୍ଷଣ ଘଟଣା ଘଟିଛି ଚିକିଟି ବ୍ଲକ ଗୋଳନ୍ଥରା ଥାନା ଗିରିସଲା ଗ୍ରାମରେ। ମିଳିଥିବା ସୂଚନା ପ୍ରକାରେ ଆଜି ରାତି ପ୍ରାୟ ଆଠଟା ବେଳେ ଘଟିଛି ଏହି ଘଟଣା। ମା’ର ସ୍ୱାସ୍ଥ୍ୟ ଖରାପ ଥିବା ଶୁଣି ଝିଅ ରାବଣାମା ଦେଖିବାକୁ ଯାଇଥିଲା। ଭଉଣୀ ଘରକୁ ଆସିଥିବାରୁ ଭାଇମାନେ ତାକୁ ମାଡି ମାରି ଅଟକ ରଖିଥିଲେ। ରାବଣାମା ନିଜ ସ୍ୱାମୀକୁ ଫୋନ ଯୋଗେ ସବୁ କହିଥିଲା। ଖବର ପାଇ ସ୍ୱାମୀ ଡି. ଧର୍ମା ରାଓ ଓ ତାଙ୍କ ସାନ ଭାଇ ଜେଜେ ରାଓ ସ୍ତ୍ରୀକୁ ଫେରାଇ ଆଣିବା ପାଇଁ ଶଶୁର ଘରେ ପହଞ୍ଚି ଥିଲେ।

ହଠାତ ଧର୍ମାର ଦୁଇ ଶାଳକ ଧାରୁଆ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ପ୍ରଥମେ ଜେଜେର ମୁଣ୍ଡକୁ ଚୋଟ ବାଜିବାରୁ ସେ ଦୌଡ଼ି ବାହାରକୁ ଆସିଯାଇଥିଲା ପରେ ଦୁଇ ଶଳା ମିଶି ଜୋଇଁକୁ ଅମାନୁଷିକ ଭାବେ ଚୋଟ ପରେ ଚୋଟ ମାରି ଚାଲିଲେ। ଭଉଣୀର ଆକୁଳ ନିବେଦନ ନୃଶଂସ ଭାଇ କୁ ଛୁଇଁ ପାରି ନଥିଲା। ସ୍ୱାମୀକୁ ସୁରକ୍ଷା ଦେବାକୁ ଯାଇ ସ୍ତ୍ରୀ ମଧ୍ୟ ରକ୍ତାକ୍ତ ହୋଇଛି। ଖବର ପାଇ ଗ୍ରାମବାସୀ ଧର୍ମାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାବଣାମା ଓ ଜେଜେ ଦୁହେଁ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ଖବର ମିଳିଛି। ଖବର ପାଇ ଗୋଳନ୍ଥରା ପୋଲିସ ପହଁଚି ଦୁଇ ଶାଳକ ନାଗେଶ୍ୱର ଓ ତ୍ରୀପତିକୁ କାବୁ କରି ଥାନାକୁ ନେଇ ଅଟକ ରଖିଛି। ସୂଚନାଯୋଗ୍ୟ ଯେ ମୃତ ଧର୍ମାଙ୍କ ଘର ମଧ୍ୟ ଗିରିସୋଲା ଗ୍ରାମରେ। ଏହି ଖବର ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳେଇ ଦେଇଛି।

Comments are closed.