ପ୍ରଶାସନ ନାଚାର, ସ୍କୁଲ ବନ୍ଦ ପ୍ରତିବାଦରେ ଶିକ୍ଷାଧିକାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ

ଚିକିଟି : ବର୍ଷ ବର୍ଷ ଧରି ବେଆଇନ ଭାବେ ଚାଲିଥିବା ବେସରକାରୀ ବିଦ୍ୟାଳୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେଇ ସରକାରୀ ସ୍କୁଲକୁ ମିଶ୍ରଣ ଭିତ୍ତିରେ ବନ୍ଦ କରିବା ନିଷ୍ପତ୍ତି ବିରୁଦ୍ଧରେ ଗ୍ରାମବାସୀ ସ୍କୁଲ ଶିକ୍ଷକ , ଏବିଇଓ ଓ ବଡପଲଙ୍କ ସିଆରସିସିଙ୍କୁ ଅଟକ ରଖିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲା ଚିକିଟି ବ୍ଲକ ଲାଲମେଣ୍ଟା ପଞ୍ଚାୟତ ବିରମେଖ ପୁର ଗ୍ରାମରେ । ଗ୍ରାମର ଥିବା ସ୍କୁଲକୁ ସରକାର ସମ୍ପୁର୍ଣ୍ଣ ରୂପେ ବନ୍ଦ କରୁଥିବା ଶୁଣି ଗ୍ରାମବାସୀ ଉତ୍ୟକ୍ତ ଥିଲେ।

ଆଜି ବିଦ୍ୟାଳୟକୁ ଶିକ୍ଷକ କୌଣସୀ କାରଣରେ ଯାଇଥିବା ଦେଖି ଗ୍ରାମବାସୀ ଏକଜୁଟ ହୋଇ ଶିକ୍ଷକଙ୍କୁ ଘେରିଯାଇ ସ୍କୁଲ ବାରଣ୍ଡାରେ ଅଟକ ରଖିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଶିକ୍ଷକ ଜଣକ ଅଟକ ଥିବାରୁ ଏବିଇଓ ଆର୍ତ୍ତତ୍ରାଣ ବେହେରା ଗ୍ରାମରେ ପହଞ୍ଚିଥିଲେ । ଗ୍ରାମବାସୀଙ୍କ ଦ୍ବାରା ଏବିଇଓଙ୍କୁ ମଧ୍ୟ ଅଟକ ରଖିଥିବା ସୂଚନା ମିଳିଛି । ଗ୍ରାମବାସୀଙ୍କ ଏକମାତ୍ର ଦାବି ଆମ ଗ୍ରାମର ସ୍କୁଲକୁ ଉଚ୍ଛେଦ ନକରି ପୂର୍ବପରି ଚାଲୁରହୁ ଓ ପିଲାମାନେ ନିଜଗ୍ରାମରେ ପାଠ ପଢିବେ । ଏହାକୁନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେବା ସହ ଶିକ୍ଷକ ଓ ଏବିଇଓଙ୍କୁ ଅଟକ ଶିକ୍ଷା ବିଭାଗର ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଏନେଇ ବିଇଓ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସରକାରଙ୍କ ନିୟମ ପ୍ରକାରେ ଏହି ଗ୍ରାମର ସ୍କୁଲରେ ଷ୍ଟ୍ରେନ୍ଥ କମିଯାଇଛି । ମାତ୍ର ୩୮ ପିଲା ଥିବାରୁ ସ୍କୁଲ ବନ୍ଦ ହେବ । ଆମେ ନିମିତ୍ତ ମାତ୍ର , ଯାହା ସରକାରୀ ଆଦେଶ ଆମେ ତାହା ପାଳନ କରୁଛୁ । ଅପର ପକ୍ଷେ ଗ୍ରାମବାସୀ ଶିକ୍ଷା ବିଭାଗର ଅବହେଳାକୁ ଦାୟୀ କରିଛନ୍ତି । ଖବର ଲେଖାହେବା ପର୍ୟ୍ୟନ୍ତ ଶିକ୍ଷକ , ଏବିଇଓ ଓ ବଡପଲଙ୍କ ସିଆରସିସିଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି । ଅଟକ ଭୟରେ ସ୍ଥାନୀୟ ସିଆରସିସି ଓ ବିଇଓ ଘଟଣା ସ୍ଥଳକୁ ଯାଉନଥିବା ଶୁଣିବାକୁ ମିଳୁଛ । ଗ୍ରାମବାସୀଙ୍କ କହିବା ପ୍ରକାରେ ଗ୍ରାମର ସ୍କୁଲ ଉଚ୍ଛେଦ ହେବା ବିଷୟରେ ଗ୍ରାମବାସୀଙ୍କୁ ଅବଗତ କରାନଯାଇ ଶିକ୍ଷା ବିଭାଗ ଗ୍ରାମ ବାସୀଙ୍କୁ ଅନ୍ଧାରରେ ରଖିଲେ । ଯଦି ଶିକ୍ଷା ବିଭାଗ ଗ୍ରାମ ବାସୀଙ୍କୁ ଜଣାଇ ଥାନ୍ତେ ଗ୍ରାମବାସୀ ତାର ପ୍ରତିକାର କରିଥାନ୍ତେ । ଯଦି ସ୍କୁଲ ଉଚ୍ଛେଦ ହୁଏ ତେବେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Comments
Loading...