କୁକୁଡ଼ା ମାଂସ ଓ ଅଣ୍ଡା ସ୍ବାସ୍ଥ୍ୟ ପାଇଁ ହାନିକାରକ ନୁହେଁ, ଗୁଜବର ସତ୍ୟନା ନାହିଁ : ସଚିବ

ଭୁବନେଶ୍ବର : କୁକୁଡା ମାଂସ ଓ ଅଣ୍ଡା ଖାଇବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ନୁହେଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ବୁଧବାର ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ରଘୁବୀର ପ୍ରସାଦ ସ୍ପଷ୍ଟ କରିଛନ୍ତି ଯେ ଏହି ଖବରରେ କୌଣସି ବିଜ୍ଞାନ ସମ୍ମତ ତଥ୍ୟ ନାହିଁ। ଏହା ସମ୍ପୂର୍ଣ୍ଣ ଗୁଜବ ଅଟେ। ଅନ୍ୟପକ୍ଷରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କିମ୍ବା ବିଶ୍ବ ପ୍ରାଣୀ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ତଥ୍ୟ ଜାରି କରାଯାଇନାହିଁ। ନିକଟରେ କେତେକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ କୁକୁଡା ମାଂସ ଓ ଅଣ୍ଡାକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ଏଥିରେ କୁହାଯାଇଥିଲା ଯେ କୁକୁଡା ଫାର୍ମଗୁଡିକରୁ କରୋନାଠାରୁ ବଳି ଅଧିକ ବିପଦପୂର୍ଣ୍ଣ ଏକ ଭୂତାଣୁ ସଂକ୍ରମଣର ବାହାକ ହେବାର ସମ୍ଭାବନା ରହିଛି। ମାତ୍ର କୁକୁଡା ଓ ଏହି ଜାତୀୟ ପକ୍ଷୀଙ୍କ ସଂସ୍ପର୍ଶରେ ଆସିବା ସମୟରେ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବା ନିହାତି ଆବଶ୍ୟକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଯଦି ଏନେଇ କୌଣସି ତଥ୍ୟ ଆସିବ ତେବେ ସରକାରଙ୍କ ପକ୍ଷରୁ ତୁରନ୍ତ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ସଚିବ ଶ୍ରୀ ପ୍ରସାଦ କହିଛନ୍ତି।