ଚୀନ୍‌ ଗୁପ୍ତଚରଠାରୁ ମିଳିଲା ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା

କଲକାତା: ଭାରତ-ବାଂଲାଦେଶ ସୀମାନ୍ତ ମାଲ୍‌ଦା ନିକଟରୁ ଗୁରୁବାର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଦ୍ବାରା ଗିରଫ ହୋଇଥିବା ଚୀନ୍‌ ଗୁପ୍ତଚର ହାନ୍‌ ଜୁନ୍‌ୱାଇ (୩୬)ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି। ସେ ଜାଲ୍‌ କାଗଜପତ୍ର ମାଧ୍ୟମରେ ୧୩୦୦ରୁ ଅଧିକ ଭାରତୀୟ ମୋବାଇଲ ସିମ୍‌ କାର୍ଡ ସଂଗ୍ରହ କରିଥିବା ଓ ସେଗୁଡ଼ିକୁ ସେ ନିଜ ଅନ୍ତର୍ବାସରେ ଲୁଚାଇ ରଖୁଥିବା ସ୍ବୀକାର କରିଛି। ଜଣେ ଭାରତୀୟ ସହଯୋଗୀ ତା’ ନିକଟକୁ ନିୟମିତ ସିମ୍‌ କାର୍ଡ ପଠାଉଥିବା ସେ କହିଛି। ବିଭିନ୍ନ ଭାରତୀୟ ୱେବ୍‌ସାଇଟ୍‌କୁ ହ୍ୟାକ୍‌ କରିବା ପାଇଁ ସେ ବିଶେଷ​‌ ଭାବେ କାର୍ଯ୍ୟ କରୁଥିଲା।

ସେ ୨୦୧୦ରୁ ଭାରତରେ ଗୁପ୍ତଚର ବୃତ୍ତି ଚଳାଇଥିବା ଏବଂ ଗତ ଦୁଇ ବର୍ଷ ମଧ୍ୟରେ ସେ ତିନି ଥର ଦିଲ୍ଲୀ ଆସିଥିବାବେଳେ ଗୁରୁଗ୍ରାମ ହୋଟେଲରେ ଅବସ୍ଥାନ କରିଥିବା ସ୍ବୀକାର କରିଛି। ଏହି ହୋଟେଲରେ କିଛି ଚୀନ ନାଗରିକ କାମ କରୁଥିବା ସେ କହିଛି। ଉତ୍ତର ପ୍ରଦେଶ ପୁଲିସର ଆତଙ୍କବାଦ ନିରୋଧ ବାହିନୀ (ଏଟିଏସ୍) ତା’ର ଜଣେ ସହଯୋଗୀ ସୁନ୍‌ ଜିଆଙ୍ଗ୍‌କୁ ଗିରଫ କରିଥିବା ସେ କହିଛି; ଯେଉଁ ମାମଲାରେ ହାନ୍‌ ଓ ତା’ ପତ୍ନୀ ଅଭିଯୁକ୍ତ ଥିବା ପ୍ରକାଶ। ତା’ ନିକଟରୁ ଜବତ ବିଭିନ୍ନ ସାମଗ୍ରୀରୁ ଏସବୁର ପ୍ରମାଣ ପୁଲିସ ପାଇଛି। ପୂର୍ବରୁ ହାନ୍‌କୁ ଠାବ କରିବା ପାଇଁ ତା’ ନାମରେ ‘ବ୍ଲୁ କର୍ଣ୍ଣର୍‌ ନୋଟିସ୍‌’ ଜାରି ହୋଇଥିଲା।

Comments are closed.