କରୋନା ନିୟନ୍ତ୍ରଣ କେନ୍ଦ୍ର ପରଖିଲେ ମୁଖ୍ୟସଚିବ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ଲକ୍ ଡାଉନ ହେବା ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ କିଭଳି ଥଇଥାନ କରାଯିବ ଏବଂ ଓଡ଼ିଶାରେ ଥିବା ଅନ୍ୟ ରାଜ୍ୟ ଶ୍ରମିକଙ୍କୁ କିଭଳି ସୁବ୍ୟବସ୍ଥିତ କରାଯିବ ସେନେଇ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ନିୟନ୍ତ୍ରଣ କେନ୍ଦ୍ର ପରଖିଛନ୍ତି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ। ରବିବାର ଅପରାହ୍ନରେ ଶ୍ରୀ ତ୍ରିପାଠୀ ନିୟନ୍ତ୍ରଣ କେନ୍ଦ୍ରର କାର୍ଯ୍ୟ ଅନୁଧ୍ୟାନ ପରେ ଗଣମାଧ୍ୟମକୁ କହିଛନ୍ତି ଯେ ଏବେ ଓଡ଼ିଶାରେ ଅନ୍ୟ ରାଜ୍ୟର ୧୫ହଜାରରୁ ଅଧିକ ଲୋକ ରହିଛନ୍ତି। ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟପେୟର ବ୍ୟବସ୍ଥା କରାଯାଉଛି। ଏହାବାଦ୍ କେଉଁ ରାଜ୍ୟର ଶ୍ରମିକଙ୍କ କଥା କିଏ ବୁଝିବେ ସେନେଇ ମଧ୍ୟ ସ୍ବତନ୍ତ୍ର ଭାବେ ଆଇଏଏସମାନଙ୍କୁ ନିଯୁକ୍ତ ଦିଆଯାଇଛି।  ଶ୍ରୀ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ କୋଭିଡ଼-୧୯ ପାଇଁ ସାରା ଦେଶରେ ହୋଇଥିବା ତାଲାବନ୍ଦ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକ ଥିବା ଶ୍ରମଜୀବୀ, ଛାତ୍ର, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ନିୟନ୍ତ୍ରଣ କକ୍ଷରେ ୨୦ଟିରୁ ଅଧିକ କଲ ସେଣ୍ଟର କାର୍ଯ୍ୟ କରୁଛି। ବିଭିନ୍ନ ରାଜ୍ୟ ପାଇଁ ୨୦ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି। ନିୟନ୍ତ୍ରଣ କକ୍ଷର ଟେଲିଫୋନ ନମ୍ବର ୦୬୭୪-୨୩୯୨୧୧୫ରେ ଆସୁଥିବା କଲଗୁଡିକର ଅନୁସରଣ କରି ତଦନୁଯାୟୀ ଓଡ଼ିଆମାନଙ୍କୁ ମୌଳିକ ଆବଶ୍ୟକତା ଯୋଗାଇବାକୁ ବ୍ୟବସ୍ଥା କରାଯିବ। ବର୍ତ୍ତମାନ ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଓ ତେଲଙ୍ଗାନାରୁ ବହୁ କଲ ଆସୁଛି। ସବୁ କଲଗୁଡିକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିଦର୍ଶନ ବେଳେ ମୁଖ୍ୟସଚିବଙ୍କ ସହିତ ଗୃହ ସଚିବ ସଞ୍ଜୀବ ଚୋପ୍ରା, କୋଭିଡ-୧୯ର ସ୍ବତନ୍ତ୍ର ସଚିବ ବିଶାଳ ଦେବ, ଅମିତାଭ ଠାକୁର ପ୍ରମୁଖ ସାମିଲ ଥିଲେ।

Comments are closed.