ମାସ୍କ ପରିଧାନ ଓ ନାଇଟ୍‌ କର୍ଫ୍ୟୁ ନିୟମ କଡ଼ାକଡ଼ି ପାଳନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ

ମୁଖ୍ୟ ଶାସନ ସଚିବଙ୍କ କଳାହାଣ୍ଡି ଜିଲା ଗସ୍ତ, କୋଭିଡ୍‍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା

ଭବାନୀପାଟଣା:ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଏମ୍‌ଇଟି ନିର୍ଦେଶକ ଡା.ସିବିକେ ମହାନ୍ତି, ସ୍ବାସ୍ଥ୍ୟ ନିର୍ଦେଶକ ଡା.ବିଜୟ ମହାପାତ୍ରଙ୍କ ସହ ଅନ୍ୟାନ୍ୟ ଉଚ୍ଚାଧିକାରୀ ମାନେ ଭବାନୀପାଟଣା ଗସ୍ତରେ ଆସି କାମଠଣାସ୍ଥିତ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଥିଲେ। ସେମାନେ ଜିଏନ୍ଏମ୍ ନସିଂ ସ୍କୁଲରେ କୋଭିଡ୍ ପ୍ରସ୍ତୁତି ଉପରେ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହିତ ଏକ ସମିକ୍ଷା ବୈଠକ କରିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲାରେ ସମସ୍ତେ କିଭଳି ମାସ୍କ ପରିଧାନ କରିବେ ଏବଂ ନାଇଟ୍‌ କର୍ଫ୍ୟୁ ନିୟମ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟଶାସନ ସଚିବ ନିର୍ଦେଶ ଦେଇଥିଲେ। ଏହାସହିତ କୋଭିଡ୍‌ ହସ୍‌ପିଟାଲ୍‌ରେ ରୋଗିମାନଙ୍କୁ କିପରି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି, ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା, ଔଷଧ, ଆମ୍ବୁଲାନ୍ସ ଏବଂ ଗୁରୁତର ରୋଗୀଙ୍କୁ ଶୀଘ୍ର ସ୍ଥାନାନ୍ତର ଆଦି ସୁବିଧା ସଂପର୍କରେ କୋଭିଡ୍ ହସ୍ପିଟାଲ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

ଏହାପରେ ଜିଏନ୍ଏମ୍ ନସିଂ ସ୍କୁଲରେ ଜିଲାପାଳ ଡା. ଗାଭାଲି ପରାଗ ହର୍ଷଦ ଓ ଏସ୍‌ପି ଡ. ଶ୍ରବଣ ବିବେକ ଏମ୍.ଙ୍କ ଉପସ୍ଥିତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନୂଆପଡ଼ା ଜିଲାରେ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଜିଲାରେ କୋଭିଡ୍ ସଂକ୍ରମଣକୁ କିପରି ରୋକାଯାଇ ପାରିବ, ସ୍ଥାନୀୟ ପ୍ରଶାସନର ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ରାତ୍ରୀକାଳିନ କର୍ଫ୍ୟୁ, ମାକ୍ସ ପରିଧାନ ଓ ସାମାଜିକ ଦୁରତା, କୋଭିଡ୍ କଟକଣା ଆଇନକୁ ପାଳନ କରି ପୁଲିସ ଜୋରିମାନା ଆଦାୟ ସହ କୋଭିଡ୍‌ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ସମୀକ୍ଷା କରିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲାରେ ନିଯୁକ୍ତି ପାଇଥିବା ୧୦ ଜଣ ଡାକ୍ତରଙ୍କ ବିଷୟରେ ସୂଚନା ଦେବା ସହ ଏକ ନୂତନ ଜୀବନ ରକ୍ଷାକାରୀ (ଉନ୍ନତ) ଆମ୍ବୁଲେନ୍ସ ଯୋଗାଣ ତଥା ଭିତ୍ତିଭୁମି ବିକାଶ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଥିଲେ।
ପ୍ରକାଶ ଥାଉ ଯେ, କଳାହାଣ୍ଡି ଜିଲାରେ ମୋଟ ୧ ଲକ୍ଷ ୪୦ ହଜାର ୨୪୪ ଜଣଙ୍କ ବ୍ୟକ୍ତିଙ୍କୁ କୋଭିଡ୍ ଟିକାକରଣ କରାଯାଇଛି ଏବଂ ସେଥିମଧ୍ୟରୁ ୧୪୭୪୫ ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି। ସେହିପରି ଗତ ଗୋଟିଏ ସପ୍ତାହରେ ପୁଲିସ ପକ୍ଷରୁ ୩୩୧୧ ଜଣ ଅମାନିଆ ଓ କୋଭିଡ୍ ନୀୟମ ଉଲ୍ଳଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କଠାରୁ ୬ ଲକ୍ଷ ୯୩ ହଜାର ୬୬୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ନୂଆପଡ଼ା ଜିଲାରେ କଟ୍ରାକ୍ଟ ଟ୍ରେସିଂ ଓ ଆର୍ଟିପିସିଆର୍ ଟେଷ୍ଟ ଉପରେ ଗୁରୁତ୍ୱ ଦେବା ସହିତ ନାଇଟ୍ କର୍ଫ୍ୟୁକୁ ଅଧିକ କଡାକଡି କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲା ପ୍ରଶାସନକୁ କଡା ନିର୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମେତ ଏମ୍ଇଟି ନିର୍ଦେଶକ ସି.ବି.କେ. ମହାନ୍ତି, ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର, କଳାହଣ୍ଡି ଜିଲାପାଳ ଗାଭାଲି ପରାଗ ହର୍ଷଦ, ଏସ୍‌ପି ଶ୍ରବଣ ବିବେକ ଏମ୍., ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତାପ ବେହେରା, ଏଏମ୍ଓ ନିହାରେନ୍ଦ୍ର ପଣ୍ଡା, ଡିପିଏଚ୍ଓ ରାକେଶ ସାହୁ, ଡିପିଏମ୍ ଅବନି ରଞ୍ଜନ ମହାପାତ୍ର, ଭବାନୀପାଟଣା ବିଡିଓ ପ୍ରୀତା କୁମାର, ଆର୍‌ଟିଓ ଏବଂ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ।

ଗତ ମାର୍ଚ୍ଚ ଦ୍ୱୀତିୟ ସପ୍ତାହରୁ କଳାହାଣ୍ଡି ଜିଲାରେ କରୋନା ସଂକ୍ରମଣ ଅହେତୁକ ଭାବେ ବୃଦ୍ଧି ପାଉଛି। ଜିଲାରେ କରୋନା ସଂକ୍ରମଣ କିଭଳି ରୋକାଯିବ ତାହା ଏବେ ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବିଶେଷ କରି ଭବାନୀପାଟଣା ସହରରେ ପ୍ରତିଦିନ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ଓ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ପ୍ରତିକାର ପାଇଁ ଜିଲା ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

Comments are closed.