୩.୮କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଛି: ମୁଖ୍ୟ ଶାସନ ସଚିବ

କରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କମିଟି ଗଠନ ନେଇ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଛନ୍ତି ଯେ କରୋନା ମୁକାବିଲା ପାଇଁ ଉପଦେଷ୍ଟା କମିଟି ଗଠନ ହୋଇଛି। ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡା.ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଉପଦେଷ୍ଟା କମିଟିରେ ବହୁ ବରିଷ୍ଠ ଡାକ୍ତର ଓ ବୈଜ୍ଞାନିକ ସଦସ୍ୟ ଅଛନ୍ତି। ଏହି କମିଟିରେ ଡିଏମ୍‌ଇଟି ଆବାହକ ହୋଇଥିବାବେଳେ ଡାକ୍ତର ଦେବୀ ସେଟ୍ଟୀ ଓ ଡାକ୍ତର ରମାକାନ୍ତ ପଣ୍ଡା ସଦସ୍ୟ ଅଛନ୍ତି। କମିଟିର ସଦସ୍ୟମାନେ ରାଜ୍ୟରେ କରୋନା ପରିଚାଳନା ନେଇ ପରାମର୍ଶ ଦେବେ। ସେହିପରି କରୋନା ମୁକାବିଲା ପାଇଁ ଉପଦେଷ୍ଟା କମିଟି ଟିକାକରଣ, ପରବର୍ତ୍ତୀ ଲହର ସମ୍ଭାବନା ବିଷୟରେ ପରାମର୍ଶ ଦେବେ। କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ। କମିଟି ଯେଉଁ ପରାମର୍ଶ ଦେବ ତାହା ଶୀଘ୍ର କାର୍ଯ୍ୟକାରୀ କରାଯିବ। ଟିକା ପାଇଁ ବିଶ୍ବସ୍ତରୀୟ ଟେଣ୍ଡର ସମ୍ପର୍କରେ ମଧ୍ୟ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ୩.୮କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଛି। ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇଛି। ସଫଳ ବିଡିଂ ହେଲେ ମେ’ ୨୮ ପରେ ଆମେ ଟିକା କିଣିପାରିବା।

 

ରାଜ୍ୟରେ କରୋନା ଲଢେଇକୁ ଅଧିକ ଲକ୍ଷଭେଦୀ ଓ ଫଳପ୍ରସୂ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି  ରାଜ୍ୟବାସୀଙ୍କୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରଥମେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ଵରେ ରାଜ୍ୟରେ ଚାଲିଥିବା କୋଭିଡ ଲଢେଇରେ ପ୍ରତ୍ୟକ ଜୀବନ ମୂଲ୍ୟବାନ। ଏ ଦିଗରେ ଆଜି ରାଜ୍ୟ ସରକାର ୨ ଟି ବଡ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।
(୧) ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ କରୋନା ଟୀକା କିଣିବା ପାଇଁ ଇତି ମଧ୍ୟରେ ଗ୍ଲୋବାଲ ଟେଣ୍ଡର ଆହ୍ଵାନ କରାଯାଇଛି। ଓଡିଶା ରାଜ୍ୟ ଔଷଧ ନିଗମ ଲିଃ. ମାଧ୍ୟମରେ ପ୍ରାୟ ୩.୮ କୋଟି ଟୀକା କ୍ରୟ କରାଯିବ। ଜନସାଧାରଣଙ୍କୁ ଶୀଘ୍ର ଟୀକା ଯୋଗାଇବା ଲକ୍ଷ୍ୟ ସାଧନ ନିମନ୍ତେ ଏହି ଟେଣ୍ଡର ମାଧ୍ୟମରେ ୪ ମାସ ମଧ୍ୟରେ ଟୀକା କ୍ରୟ ପାଇଁ ଚେଷ୍ଟା କରାଯାଉଛି। ଏହି ବିଶ୍ବସ୍ତରୀୟ ଟେଣ୍ଡର ବିଶ୍ବର ଯେକୌଣସି ଦେଶର ଟିକା ଉତ୍ପାଦନକାରୀ କମ୍ପାନୀମାନେ ଭାଗ ନେଇ ପାରିବେ। ଚଳିତ ମେ ମାସ ୧୯ ତାରିଖ ଦିନ ପ୍ରି-ବିଡ ବୈଠକ ଅନୁଷ୍ଠିତ ହେବ ଏବଂ ଏହି ମାସ ୨୮ ତାରିଖ ଟେଣ୍ଡର ଗ୍ରହଣ ପାଇଁ ଶେଷ ତାରିଖ ରଖାଯାଇଛି।
(୨) କୋଭିଡ ମୁକାବିଲା ନିମନ୍ତେ ସର୍ବୋତ୍ତମ ବିଜ୍ଞାନ ଓ ତଥ୍ୟଭିତ୍ତିକ ପରାମର୍ଶ ଦେବା ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପରାମର୍ଶଦାତା କମିଟି ଗଠନ କରାଯାଇଛି। ଖ୍ୟାତିସମ୍ପନ୍ନ ଡାକ୍ତର କେ. ଶ୍ରୀନାଥ ରେଡ୍ଡୀ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟି ରାଜ୍ୟରେ ଟିକାକରଣ ଏବଂ ଭବିଷ୍ୟତରେ ସମ୍ଭାବ୍ୟ କରୋନା ଲହରକୁ ସାମନା କରିବା ପାଇଁ ଭିତ୍ତିଭୂମି, ଟେକ୍ନୋଲୋଜି ଏବଂ ଆନ୍ତର୍ଜାତୀୟ କ୍ଷେତ୍ରରେ ପ୍ରାମାଣିତ ସର୍ବୋତ୍ତମ ପଦ୍ଧଟି ବିଷୟରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ। ଡାକ୍ତର ଦେବୀ ସେଠୀ, ଡାକ୍ତର ରମାକାନ୍ତ ପଣ୍ଡାଙ୍କ ସମେତ ଖ୍ୟାତନାମା ବୈଜ୍ଞାନିକମାନଙ୍କୁ ଏହି କମିଟିରେ ସଦସ୍ୟ ଭାବେ ଗ୍ରହଣ କରାଯାଇଛି । ଓଡିଶା ଭେଷଜ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ( ଡିଏମ୍‌ଇଟି ) ଏହାର ଆବାହକ ରହିଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଆହୁରି ମଧ୍ୟ ସୂଚନା ଦେଇ କହିଥିଲେ ଯେ ରାଜ୍ୟ ସରକାର ପ୍ରତ୍ୟକ ଜିଲାର କୋଭିଡ ସ୍ଥିତି ଏବଂ ଏହାର ମୁକାବିଲା କାର୍ଯ୍ୟକ୍ରମ ଉପରେ ତୀକ୍ଷଣ ଦୃଷ୍ଟି ରଖିଛନ୍ତି ଏବଂ ପ୍ରତିଦିନ କାର୍ୟ୍ୟକୁ ଅନୁଧ୍ୟାନ କରୁଛନ୍ତି। ରାଜ୍ୟର ୧୦ ଟି ଜିଲ୍ଲା ଯଥା-ଭଦ୍ରକ, ବଲାଙ୍ଗିର, ଦେବଗଡ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ସମ୍ବଲପୁର,ସୁନ୍ଦରଗଡ ଓ ଝାରସୁଗୁଡା ଆଦି ଜିଲ୍ଲାରେ ଗତ ୨ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ହାର ପ୍ରାୟତଃ ସ୍ଥିର ରହିଛି ବା କମିବାକୁ ଆରମ୍ଭ କରିଛି। ତେବେ ବି ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ରୁ ୧୨ ହଜାର ମଧ୍ୟରେ ରହିଛି। ବର୍ତ୍ତମାନ ସାରା ରାଜ୍ୟରେ ଲକ ଡାଉନ କଟକଣା ଜାରି ରହିଛି। ଜନ ସାଧାରଣ ଏହି କଟକଣାକୁ ହାଲୁକା ଭାବେ ନନେଇ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ନିବେଦନ କରିଛନ୍ତି, ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଥିଲେ। ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରଖିବା, ଘର ଭିତରେ ରହିବା, ନିହାତି ଦରକାର ନଥିଲେ ବାହାରକୁ ନଯିବା, ବାହାରକୁ ଯିବା ସମୟରେ ଭିଡଠାରୁ ଦୂରେଇ ରହିବା ଆଦି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ଵାରୋପ କରିଥିଲେ।
କରୋନା ଲଢେଇରେ ନିୟୋଜିତ ରାଜ୍ୟର ଡାକ୍ତର,ସ୍ୱାସ୍ଥ୍ୟ ଅଧିକାରୀ , ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀମାନେ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ନିଜର ଜୀବନକୁ ବିପନ୍ନ କରି ସେମାନେ ସେବା ଯୋଗାଉଛନ୍ତି। ଏମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ମୁଖ୍ୟଶାସନ ସଚିବ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ଆମେ ସମସ୍ତେ ମିଳିମିଶି ଚେଷ୍ଟାକଲେ ଆସନ୍ତା କିଛିଦିନ ମଧ୍ୟରେ କରୋନା ସଂକ୍ରମଣକୁ ପୂର୍ଣ୍ଣମାତ୍ରାରେ ନିୟନ୍ତ୍ରଣାଧୀନ କରିପାରିବା ବୋଲି ମୁଖ୍ୟଶାସନ ସଚିବ ପ୍ରକାଶ କରିଥିଲେ।

Comments are closed.