ଖାଦ୍ୟ ସୁରକ୍ଷା ଉପଲବ୍ଧିତା ବଢ଼ାଇବା ପାଇଁ ଅଧିକ ବୈଷୟିକ କୌଶଳ ପ୍ରୟୋଗ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଜାତିସଂଘର ବିଶ୍ୱ ଖାଦ୍ୟ ସୁରକ୍ଷା ରଣନୀତି-ଯୋଜନା ପାଇଁ ଆଲୋଚନାଚକ୍ର

ଭୁବନେଶ୍ୱର: ଜାତିସଘଂର ବିଶ୍ୱ ଖାଦ୍ୟ ସୁରକ୍ଷା ନିମନ୍ତେ(ଡବ୍ଲ୍ୟୁ.ଏଫ୍.ପି.)୨୦୨୩-୨୭ ରଣନିତୀ-ଯୋଜନା ପ୍ରସ୍ତୁତି ପାଇଁ ବିଭିନ୍ନ ଅଂଶୀଦାରମାନଙ୍କର ପରାମର୍ଶମୂଳକ ଆଲୋଚନାଚକ୍ର ଡିଜିଟାଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ, ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, କର୍ପୋରେଟ୍ ସଂସ୍ଥା ଓ ବିଶ୍ୱବିଦ୍ୟାଳୟ ଆଦିରୁ ପ୍ରାୟ ୮୦ ଜଣ ପ୍ରତିନିଧି ଯୋଗଦେଇ ଖାଦ୍ୟ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଆଲୋଚନାଚକ୍ର ଆରମ୍ଭରେ ବିଶ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଜାତୀୟ ନିର୍ଦ୍ଦେଶକ ବିଶୋ ପାରାଜୁଲି କହିଥିଲେ ଯେ ଆମେ ଓଡ଼ିଶା ସହ କାର୍ଯ୍ୟକରିବାରେ ଆନନ୍ଦ ଅନୁଭବ କରୁଛୁ, କାରଣ ଓଡ଼ିଶା ସରକାର ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଓଡ଼ିଶାରେ ଅନେକ ଅଭିନବ କୌଶଳର ପ୍ରୟୋଗ କରାଯାଇଛି । ସାଧାରଣ ଯୋଗାଣ ବ୍ୟବସ୍ଥାରେ ବାଇଓମେଟ୍ରିକ୍ କୌଶଳ ପ୍ରୟୋଗ, ମଧ୍ୟାହ୍ନ ଭୋଜନ ଏବଂ ଅଙ୍ଗନାବାଡ଼ିରେ ଅଧିକ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କ ପାଇଁ ପୁଷ୍ଟିଯୁକ୍ତ ଛତୁଆ ପ୍ରସ୍ତୁତି ଆଦି ଏହି ଅଭିନବ କୌଶଳର କେତେକ ଉଦାହରଣ।
ଆଲୋଚନା ଚକ୍ରକୁ ସଂବୋଧନ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଦାରିଦ୍ର୍ୟ କମାଇବା, ଖାଦ୍ୟ ସୁରକ୍ଷା ବଢ଼ାଇବା ଏବଂ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ ଦୃଢ଼ିଭୁତ କରିବା ନିମନ୍ତେ ରାଜ୍ୟ ସରକାର ଦୃଢ଼ ପରିକର। ବିଗତ ବର୍ଷମାନଙ୍କରେ ବିଶ୍ୱ ଖାଦ୍ୟ ଯୋଜନା ସଂସ୍ଥାସହ ସହଭାଗିତା ଅନେକ ଫଳଦାୟୀ ହୋଇଛି ବୋଲି ମଧ୍ୟ ଶ୍ରୀ ମହାପାତ୍ର କହିଥିଲେ। ଆଗାମୀ ବର୍ଷମାନଙ୍କରେ ଖାଦ୍ୟସୁରକ୍ଷାର ପହୁଞ୍ଚାଣକୁ ସାର୍ବଜନୀନ କରିବା ନିମନ୍ତେ ଅଧିକରୁ ଅଧିକ ବୈଷୟିକ କୌଶଳ ପ୍ରୟୋଗ କରିବା ପାଇଁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ୨୦୨୩-୨୭ ରଣନୀତିକୁ ନିରନ୍ତର ବିକାଶ ଲକ୍ଷ୍ୟ ଅଭିମୁଖୀ ଏବଂ ଅଧିକ ଫଳାଫଳ ଭିତ୍ତିକ କରିବା ପାଇଁ ସେ କହିଥିଲେ। ଏହି ରଣନୀତିକୁ ଓଡ଼ିଶା ସରକାର ବିଶ୍ୱ ଖାଦ୍ୟ ଯୋଜନା ସଂସ୍ଥାସହ ମିଳିତ ଭାବେ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟ ଶାସନ ସଚିବ ନିର୍ଭର ପ୍ରତିଶୃତି ଦେଇଥିଲେ।

 

ସଂଯୁକ୍ତ ରାଷ୍ଟ୍ର ଉନ୍ନୟନ ଯୋଜନା ସଂସ୍ଥା ସହ ନିଜ କାର୍ଯ୍ୟ ଅଭିଜ୍ଞତାକୁ ମନେପକାଇ ଉନ୍ନୟନ କମିଶନର  ପ୍ରଦୀପ କୁମାର ଜେନା ରଣନୀତିରେ ଅଞ୍ଚଳ ଏବଂ ସମୁଦାୟ ଭିତ୍ତିକ ପଦ୍ଧତି ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଖାଦ୍ୟ ସୁରକ୍ଷାର ମାନ ଅଞ୍ଚଳ ଓ ସମୁଦାୟ ଭିତ୍ତିରେ ଅଲଗା ହୋଇଥାଏ। ଉଦାହରଣ ସ୍ୱରୂପ, ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଅଧିବାସୀମାନଙ୍କର କୃଷି ଉତ୍ପାଦନ ଓ ଖାଦ୍ୟ ଆବଶ୍ୟକତା ମାଳଭୂମି ଅଞ୍ଚଳ ଅଧିବାସୀଙ୍କଠାରୁ ଭିନ୍ନ । ସରକାରୀ ଏବଂ ବେସରକାରୀ ସହଭାଗିତା ଭିତ୍ତିରେ ନିରନ୍ତର ବିକାଶ ଲକ୍ଷ-୨(କ୍ଷୁଧା ଶୂନ୍ୟତା)କୁ ତ୍ୱରାନ୍ୱିତ ଗତିରେ ହାସଲ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ।
ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସୂଚନା ଓ ଲୋକ ସଂପର୍କ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ମିଶନ ଶକ୍ତି ଶାସନ ସଚିବ ସୁଜାତା କାର୍ତ୍ତିକେୟାନ୍, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ. ମୁଥୁ କୁମାର, ମତ୍ସ୍ୟ ଓ ପଶୁସଂପଦ ବିକାଶ ଶାସନ ସଚିବ ଆର୍.ରଘୁ.ପ୍ରସାଦ ପ୍ରମୁଖ ଓଡ଼ିଶା ସରକାରଙ୍କ ତରଫରୁ ବିଭିନ୍ନ ପରାମର୍ଶମାନ ରଖିଥିଲେ।
ସେହିପରି ଡବ୍ଲ୍ୟୁ.ଏଫ୍.ପି.ର ଜାତୀୟ ଉପନିର୍ଦ୍ଦେଶକ ଏରିକ୍ କେନେଫିକ୍ ଏବଂ ଓଡ଼ିଶା ରାଜ୍ୟ ଡବ୍ଲ୍ୟୁ.ଏଫ୍.ପି. ମୁଖ୍ୟ ହିମାଂଶୁ ବଳ ରଣନୀତିର ବିଭିନ୍ନ ବିଭାଗ ଉପରେ ଆଲୋକପାତ କରିଥିଲେ। ବେସରକାରୀ ସଂସ୍ଥାର ପ୍ରତିନିଧିଭାବେ ସିୱାଇଏସ୍‌ଡିର ପ୍ରତିଷ୍ଠାତା ଜଗଦାନନ୍ଦ, ସ୍ୱାଭିମାନ (ଭିନ୍ନକ୍ଷମ ସଂପଦ କେନ୍ଦ୍ର)ର ନିର୍ଦ୍ଦେଶକ ଡ.ଶ୍ରୁତି ମହାପାତ୍ର, ଟାଟା କଂପାନୀ ସାମାଜିକ ଦାୟିତ୍ୱ ସଂପନ୍ନତା ବିଭାଗ ମୁଖ୍ୟ ଡ. ଅନୀଲ୍ କୁମାର ପ୍ରମୁଖ ଖାଦ୍ୟ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ନିରୋଧି କୃଷି ଉତ୍ପାଦନ ପଦ୍ଧତି ଆଦି ବିଷୟରେ ନିଜ ନିଜର ମତ ରଖିଥିଲେ । ଡବ୍ଲ୍ୟୁ.ଏଫ୍.ପି. ର ଜାତୀୟ ନିର୍ଦ୍ଦେଶକ ପୁରଜୁଲି କହିଥିଲେ ଯେ ଏହିସବୁ ପରାମର୍ଶକୁ ସାମିଲ୍ କରି ସରକାରଙ୍କ ସହଯୋଗିତାରେ ଖୁବ୍ ଶିଘ୍ର ଖାଦ୍ୟ ସୁରକ୍ଷା ରଣନୀତି ଖସଡ଼ା ୨୦୨୩-୨୭ ପ୍ରସ୍ତୁତ କରାଯିବ।

Comments are closed.