ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ; ଓଡ଼ିଶା ଆସିପାରନ୍ତି ପଙ୍ଗପାଳ, ସୀମାନ୍ତ ଜିଲାକୁ ପଙ୍ଗପାଳ ଆଲର୍ଟ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯଇଛି। ପଙ୍ଗପାଳଙ୍କ ଗତିବିଧି ଉପରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତୀକ୍ଷଣ ନଜର ରଖିବା ସହିତ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ଉପରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା।  ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଆବଶ୍ୟକ ହେଲେ ଦମକଳ ଜରିଆରେ ପ୍ରଭାବିତ ଅଞ୍ଚଳରେ ଔଷଧ ସିଞ୍ଚନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପଙ୍ଗପାଳ ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ କଣ୍ଟ୍ରୋଳରୁମ ଖୋଲାଯାଇଛି। ରାଜ୍ୟର ସାଢ଼େ ଛଅ ଲକ୍ଷ ଚାଷୀଙ୍କୁ ଏ ସଂକ୍ରାନ୍ତୀୟ ହ୍ବାଟସପ୍ ମେସେଜ ଏବଂ ୮ ଲକ୍ଷ ଚାଷୀଙ୍କୁ ଭଏସ ମେସେଜ ପଠାଯିବା ସହିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଚାଷୀ ମାନଙ୍କ ସହିତ ନିୟମିତ ସଂପର୍କରେ ରହିଛି ।

ଓଡିଶାର ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡା, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ ଜିଲାରେ ପଙ୍ଗପାଳ ଉପଦ୍ରବ ଆଶଙ୍କା ସର୍ବାଧିକ ରହିଛି। ଗତକାଲି ଛତିଶଗଡ ଆସିଥିବା ପଙ୍ଗପାଳ ଦଳ ପୁଣି ମଧ୍ୟପ୍ରଦେଶକୁ ଫେରିଯାଇଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ତଥାପି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ଵତନ୍ତ୍ର ରିଲିଫ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ବତନ୍ତ୍ର ସଚିବ, କୃଷି ନିର୍ଦ୍ଦେଶକ ଏବଂ ଭାରତ ସରକାରଙ୍କ ସମନ୍ବିତ ରୋଗପୋକ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

Comments are closed.