ମୁଖ୍ୟ ଶାସନ ସଚିବଙ୍କ ଅନୁଗୋଳ ଜିଲା ଗସ୍ତ: ବିଭିନ୍ନ ପ୍ରକଳ୍ପର କ୍ଷେତ୍ରାନ୍ୱୟନ ଅଗ୍ରଗତି ସମୀକ୍ଷା, ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଉପରେ ଗୁରୁତ୍ୱ

ଅନୁଗୋଳ: ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଆଜି ଅନୁଗୋଳ ଜିଲା ଗସ୍ତରେ ଆସି ବିଭନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିବା ସହ ଏହାର କ୍ଷେତ୍ର ସ୍ତରୀୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଅନୁଗୋଳ ସହରସ୍ଥିତ ହୁଲୁରୁସିଙ୍ଗାଠାରେ ନିର୍ମାଣ ହେଉଥିବା ବିଶ୍ୱସ୍ତରୀୟ ପାଠାଗାର ସହ ସମ୍ମିଳନୀ କକ୍ଷ ଏବଂ ଅତ୍ୟାଧୁନିକ ସଂଗ୍ରହାଳୟର ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ। ଦୁଇ ମହଲା ବିଶିଷ୍ଟ ଏହି ବୃହତ୍ତ ବିଦ୍ୟୁତ ସଂଯୋଗ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକୁ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ବରେ ନିର୍ମାଣ ହେଉଥିବା ଟ୍ରମା କେୟାର ସେଣ୍ଟରକୁ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ। ଏହାପୂର୍ବରୁ ସେ ବାରଗୌଣିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡୁରୁଶୁନି ଗ୍ରାମୀଣ ପର୍ଯ୍ୟଟନ ପାର୍କକୁ ବୁଲି ଦେଖିଥିଲେ। ଶଙ୍ଖପୁର ଗ୍ରାମ ପଞ୍ଚାୟତକୁ ପରିଦର୍ଶନରେ ଯାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଛତୁଆ ପ୍ରସ୍ତୁତି ୟୁନିଟକୁ ବୁଲି ଦେଖିଥିଲେ ଏବଂ ନାଲକୋର ଆଲୁମିନିୟମ ପାର୍କ ପରିଦର୍ଶନରେ ଯାଇଥିଲେ। ତୁରନ୍ତ ସେଠାରେ ପାଚେରୀ ନିର୍ମାଣ କରିବା ସହ ଅନ୍ୟାନ୍ୟ ଆନୁସଙ୍‍ଗିକ କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ।
ଖଲାରି ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ରୂପାନ୍ତରଣ କାର୍ଯ୍ୟକୁ ସମୀକ୍ଷା କରିଥିଲେ। ଏହି ରୂପାନ୍ତରଣ କାର୍ଯ୍ୟରେ ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ସାଇନ୍ସ ଲାବରେଟୋରୀ, ସ୍କୁଲ ଆମ୍ବିଆନ୍ସ, କ୍ରୀଡ଼ା ଭିତ୍ତିଭୂମି, ଟଏଲେଟ, ପାନୀୟ ଜଳ ସୁବିଧା ସମ୍ପର୍କରେ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ। ଏହାଛଡ଼ା ଖଲାରି ଉଚ୍ଚ ବିଦ୍ୟାଳୟରେ ରାଜ୍ୟର ପ୍ରଥମ ୩ଡି ଇଣ୍ଟରଆକ୍ଟିଭ ରୁମ ସମ୍ପର୍କରେ ପଚାରି ବୁଝିଥିଲେ। ଏଠାରେ ପିଲାମାନେ ଆରଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ବିଭିନ୍ନ ତଥ୍ୟ ଜାଣିପାରିବେ। ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉପସ୍ଥିତ ରହି ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦୀଲ୍ଲିପ କୁମାର ସାହୁ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ଡେପୁଟି କଲେକ୍ଟର ବଇତୁରା ଦୀପ, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.