ଜୀବନ ବଞ୍ଚାଇବାରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ୟମ ପ୍ରଶଂସନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶିଶୁମାନଙ୍କ ଚିକିତ୍ସା ନିମନ୍ତେ ଡାକ୍ତରମାନଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍‌ ଦ୍ୱିତୀୟ ଲହର ସମୟରେ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ୟମର ପ୍ରଶଂସନୀୟ ବୋଲି କହିଛନ୍ତି। ପିଲାମାନଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ଉପଲବ୍ଧ ସମ୍ବଳ ବିନିଯୋଗ କରିବେ। ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପ୍ରଭାବିତ କରିବାର ଅଧିକ ସମ୍ଭାବନା ଥିବା କୋଭିଡ୍‌-୧୯ର ତୃତୀୟ ଲହରର ଆଶଙ୍କା ଉଲ୍ଲେଖ କରି ଅତ୍ୟନ୍ତ ସତର୍କ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଶିଶୁମାନଙ୍କ ଚିକିତ୍ସା ପାଇଁ ଯନ୍ତ୍ରପାତି ଏବଂ ଔଷଧ ସହିତ ଭିତ୍ତିଭୂମି ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏକ କାର୍ଯ୍ୟ ଯୋଜନା ଅନୁମୋଦିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।


ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି କର୍ତ୍ତବ୍ୟରତ ଡାକ୍ତର ଏବଂ ନର୍ସମାନଙ୍କ ପାଇଁ ଓଡ଼ିଶା ସରକାର ଏହି ତାଲିମ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଗଧାଡ଼ିର କର୍ମଚାରୀଙ୍କ ପାଇଁ କୋଭିଡ୍‌ ପ୍ରଶିକ୍ଷଣ ସାମଗ୍ରୀ, ସଚେତନତା ଭିଡ଼ିଓ ଏବଂ ପକେଟ୍‌ ବୁକ୍‌ର ମଧ୍ୟ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିନାମୂଲ୍ୟରେ ଲୋକଙ୍କୁ ଚିକିତ୍ସା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଜିଲ୍ଲାମାନଙ୍କରେ ସରକାରୀ ଏବଂ ଘରୋଇ କୋଭିଡ୍‌-୧୯ ଡାକ୍ତରଖାନା ନେଟ୍‌ୱାର୍କ ପ୍ରତିଷ୍ଠା କରିଛନ୍ତି ବୋଲି ସୂଚନା ଦେବା ସହ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍‌ ସଂକ୍ରମିତ ରୋଗୀଙ୍କୁ ଯଥାସମୟରେ ଚିକିତ୍ସା ଯୋଗାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟରେ ଦକ୍ଷତା ବୃଦ୍ଧିରେ ଉନ୍ନତି ତଥା ପ୍ରଶାସନିକ କାର୍ଯ୍ୟରେ ତତ୍ପରତା ଏବଂ ସ୍ୱଳ୍ପ ସମୟ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ, ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ଆଗଧାଡ଼ିର କାର୍ଯ୍ୟକର୍ତ୍ତାଙ୍କ ପ୍ରଶିକ୍ଷଣ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ‘ମିଶନ ଶକ୍ତି’ ଆପ୍‌ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଡିଜିଟାଲ ଦୁନିଆରେ ପାଦ ଥାପିଛନ୍ତି । ଏବେ ସୁଦ୍ଧା ୧ ଲକ୍ଷରୁ ଊର୍ଦ୍ଧ୍ୱ ସଦସ୍ୟ ଏହି ଆପ୍‌ରେ ଯୋଡ଼ି ହୋଇଥିବାବେଳେ ଏହା ଦ୍ୱାରା ଗୋଷ୍ଠୀ ମଧ୍ୟରେ ସମନ୍ୱୟ ରକ୍ଷା ସହ ହାତପାହାନ୍ତାରେ ସମସ୍ତ ସୂଚନା ପ୍ରଦାନ କରିବା ଏବେ ଆହୁରି ସହଜ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.