ରାଷ୍ଟ୍ରପତିଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କର ବାଇପାସ୍‌ ଅପରେସନ୍‌ କରିଥିବା ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ପ୍ରାର୍ଥନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆର୍ଜେଣ୍ଟିନା ବିପକ୍ଷରେ ଚଳିତ ଅପ୍ରେଲ ୧୧-୧୨ ତାରିଖ ଦିନ ବୁଏନସ୍‌ ଏରିସ୍‌ଠାରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ରେ ଭାରତର ୨୨ ଜଣିଆ ଦଳରେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବଂ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ହରିୟାଣାର କର୍ଣ୍ଣାଲଠାରେ ଆୟୋଜିତ ତ୍ରୟୋଦଶ ଜାତୀୟ ହ୍ୱିଲ୍‌ଚେୟାର ଅସୀଚାଳନା ଚମ୍ପିଅନ୍‌ସିପ୍‌ରେ ୨୪ଟି ପଦକ ହାସଲ କରିଥିବାରୁ ଟିମ୍‌ ଓଡ଼ିଶାକୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତ ଖେଳାଳୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ସମଗ୍ର ରାଜ୍ୟରେ ଭୂତାଣୁ ସଂକ୍ରମଣର ନିୟନ୍ତ୍ରଣ ଏବଂ ସଚେତନତା ସୃଷ୍ଟି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଓଡ଼ିଶାର ସଂଗ୍ରାମକୁ ସେମାନଙ୍କ ତ୍ୟାଗ ଏବଂ କଠିନ ପରିଶ୍ରମ ସଶକ୍ତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ବିଶିଷ୍ଟ ସଂଗୀତ ତଥା ଚଳଚ୍ଚିତ୍ର ନିର୍ଦେଶକ ଜଲାଲ ଆଡେନୀଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି। ‘ହୀରା ମୋତି ମାଣିକ’, ‘ଅନୁତାପ’ ଆଦି ଚଳଚ୍ଚିତ୍ରରେ ସେ ଛାଡ଼ି ଯାଇଥିବା ଛାପ ସର୍ବଦା ସ୍ମରଣୀୟ ବୋଲି ଉଲ୍ଲେଖ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଅମର ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇଛନ୍ତି।

Comments are closed.