ନଭେମ୍ବର ୧୩ ଯାଏଁ ବିଚାର ବିଭାଗୀୟ ହାଜତ ଗଲେ ଚିଦମ୍ବରମ୍‍

- ଜାମିନୀ ମାମଲାର କାଲି ହେବ ଶୁଣାଣି

ନୂଆଦିଲ୍ଲୀ: ଆଇ.ଏନ୍‍.ଏକ୍ସ. ମିଡ଼ିଆ ମାମଲାରେ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‍ଙ୍କୁ ଦିଲ୍ଲୀର ଏକ ଅଦାଲତ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ୍‍କୁ ପଠାଇଛନ୍ତି। ଚିଦମ୍ବରମ୍‍ଙ୍କୁ ଜେରା ପାଇଁ ଦିନକ ସକାଶେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜତରେ ରଖିବା ପାଇଁ କୋର୍ଟ ମନା କରିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ଔଷଧପତ୍ର, ପାଶ୍ଚାତ୍ୟ ପାଇଖାନା, ନିରାପତ୍ତା ଓ ସ୍ୱତନ୍ତ୍ର ସେଲ୍‍ ଯୋଗାଇ ଦେବାକୁ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ନୀତି ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ସି.ବି.ଆଇ. ଚିଦମ୍ବରମ୍‍ଙ୍କୁ ଗିରଫ କରିଥିଲା। ଚିଦାମ୍ବରମ୍‍ ଅର୍ଥମନ୍ତ୍ରୀ ଥିଲାବେଳେ ଆଇ.ଏନ୍‍.ଏକ୍ସ. ମିଡିଆ କମ୍ପାନୀ ପାଇଁ ୨୦୦୭ ମସିହାରେ ୩୦୫ କୋଟି ବିଦେଶୀ ପାଣ୍ଠି ଗ୍ରହଣ ସକାଶେ ବିଦେଶୀ ପୁଞ୍ଜି ନିବେଶ ବିକାଶ ବୋର୍ଡ଼ରୁ ଅନୁମତି ନିଆଯିବା କ୍ଷେତ୍ରରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ୨୦୧୭ ମେ ମାସ ୧୭ ତାରିଖରେ ତାଙ୍କ ବିରୋଧରେ ସି.ବି.ଆଇ. ମାମଲା ରୁଜ୍ଜୁ କରିଥିଲା।

ଅନ୍ୟ ପକ୍ଷରେ ଚିଦମ୍ବରମ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ କରିଛନ୍ତି। ବରିଷ୍ଠ ଓକିଲ କପିଲ ଶିଵଲ ବିଚାରପତି ଡ଼ି.ଏନ. ପଟେଲ ଏବଂ ବିଚାରପତି ସି. ହରିଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ ଜାମିନ ଆବେଦନର ତତ୍କାଳ ଶୁଣାଣି ପାଇଁ ଅନୁରୋଧ କରିଥିଲେ। ତେବେ ଆସନ୍ତାକାଲି ଜାମିନ ଆବେଦନର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି।

Comments are closed.