ଏୟାରସେଲ୍‍-ମାକ୍ସିସ୍‍ ମାମଲା: ଚିଦାମ୍ବରମ୍‍ଙ୍କୁ ଜେରା

0

ନୂଆଦିଲ୍ଲୀ : ଏୟାରସେଲ୍‍-ମାକ୍ସିସ୍‍ ବେଆଇନ ଅର୍ଥ କାରବାର ମାମଲାରେ ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ୍‍ଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଶୁକ୍ରବାର ଜେରା କରିଛନ୍ତି। ବେଆଇନ ଅର୍ଥ କାରବାର ନିରୋଧ ଆଇନ (ପିଏମ୍‍ଏଲ୍‍ଏ) ଅଧୀନରେ ତାଙ୍କ ବୟାନ ରେକର୍ଡ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଦୁଇ ସଂସ୍ଥା ମଧ୍ୟରେ ହୋଇଥିବା କାରବାର ସମ୍ବନ୍ଧରେ ଚିଦାମ୍ବାରମ୍‍ଙ୍କୁ କିଛି ନୂତନ ପ୍ରଶ୍ନ ପଚରାଯାଇଛି। ପୂର୍ବରୁ ଏଫ୍‍ଆଇପିବି ଅଧିକାରୀମାନଙ୍କ ବୟାନ ରେକର୍ଡ କରାଯାଇଥିଲା। ଚିଦାମ୍ବରମ୍‍ଙ୍କୁ ଏହି ବୟାନ ଶୁଣାଇ ଅଧିକ ପ୍ରଶ୍ନ କରାଯାଇପାରେ ବୋଲି ମଧ୍ୟ କୁହାଯାଉଛି। ଚିଦାମ୍ବରମ୍‍ ଅର୍ଥମନ୍ତ୍ରୀ ଥିବା ବେଳେ ଏୟାରସେଲ୍‍-ମାକ୍ସିସ୍‍କୁ ବୈଦେଶିକ ପୁଞ୍ଜି ପ୍ରୋତ୍ସାହନ ବୋର୍ଡର ଅନୁମତି କେଉଁ ପରିସ୍ଥିତି ଓ ପ୍ରକ୍ରିୟାରେ ପ୍ରଦାନ କରାଯାଇଥିଲା ସେସମ୍ବନ୍ଧରେ ମଧ୍ୟ ତାଙ୍କୁ ପ୍ରଶ୍ନ କରାଯାଇଛି। ଏହି ମାମଲାରେ ଚିଦାମ୍ବରମ୍‍ଙ୍କ ପୁତ୍ର କାର୍ତ୍ତିଙ୍କୁ ଇଡି ପୂର୍ବରୁ ଦୁଇଥର ଜେରା କରିଛନ୍ତି। ଏୟାରସେଲ୍‍-ମାକ୍ସିସ୍‍ ମାମଲା ସମେତ ୨ଜି ସ୍ପେକ୍ଟ୍ରମ୍‍ ସମ୍ବନ୍ଧୀୟ ଅନ୍ୟ ସମସ୍ତ ମାମଲାର ତଦନ୍ତ ୬ ମାସ ମଧ୍ୟରେ ଶେଷ କରିବାକୁ ସୁପ୍ରିମକୋର୍ଟ ମାର୍ଚ୍ଚ ୧୨ରେ ସିବିଆଇ ଏବଂ ଇଡିକୁ ନିର୍ଦେଶ ଦେଇଥିଲେ।

Leave A Reply