ଜାମିନ ପାଇଁ ସୁପ୍ରିମକୋର୍ଟ ଗଲେ ଚିଦାମ୍ବରମ, ତୁରନ୍ତ ଶୁଣାଣି ପାଇଁ ନିବେଦନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଜାମିନ ପାଇଁ ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିବା ପରେ ସେ ୪ ସପ୍ତାହ ହେଲା ତିହାର ଜେଲରେ ଅଛନ୍ତି। ଗୁରୁବାର ସେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିବାବେଳେ ତୁରନ୍ତ ଶୁଣାଣି ପାଇଁ ନିବେଦନ କରିଛନ୍ତି। ଚିଦାମ୍ବରମଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ଶିବଲ ବିଚାରପତି ଏନ.ଭି. ରମନାଙ୍କ ନେତୃତ୍ଵରେ ଗଠିତ ଖଣ୍ଡପୀଠଙ୍କୁ ସପ୍ତାହେ ବ୍ୟାପି ଦଶହରା ଛୁଟି ପୂର୍ବରୁ ଜାମିନ ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି। ତେବେ ଏ ସମ୍ପର୍କରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନିଷ୍ପତ୍ତି ନେବେ ବୋଲି ଖଣ୍ଡପୀଠଙ୍କ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ସୁପ୍ରିମକୋର୍ଟ ଜାମିନ ପାଇଁ ତଳ କୋର୍ଟରେ ଆବେଦନ କରିବାକୁ ଚିଦାମ୍ବରମଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ଚିଦାମ୍ବରମ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ଦିଲ୍ଲୀ ହାଇକୋର୍ଟ ତାହାକୁ ଖାରଜ କରିଦେଇଥିଲେ।

Comments are closed.