ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଦୁଇ ବର୍ଷ ବିତିଲା : ପ୍ରତିଷ୍ଠା ହୋଇ ପାରିଲାନି ଛଉ ନୃତ୍ୟ ଏକାଡେମୀ

ବାରିପଦା : କଳାସଂସ୍କୃତିର ମାଟି ମୟୂରଭଞ୍ଜ। ଏହି ଜିଲା ମଧ୍ୟ ଛଉ ନୃତ୍ୟର ପ୍ରସୂତିଶାଳା। ଦେଶ ବିଦେଶରେ ଏହି ନୃତ୍ୟର ରହିଛି ସ୍ୱତନ୍ତ୍ର ପରିଚୟ। ମାତ୍ର ଏହାର ବିକାଶ କେବଳ କାଗଜକଲମରେ ସୀମିତ। ୨୦୧୯ ଜାନୁଆରୀ ୩୦ରେ ବାରିପଦା ଛଉ ପଡିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛଉ ନୃତ୍ୟର ବିକାଶ ନିମନ୍ତେ ଅଧିକ ଗବେଷଣା ପାଇଁ ଜିଲାରେ ଏକ ଏକାଡେମୀ ପ୍ରତିଷ୍ଠା କରାଯିବ ବୋଲି ସେ ଘୋଷଣା କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ଏହି ପ୍ରତିଶ୍ରୁତି ପୂରଣ ହୋଇ ପାରି ନାହିଁ। ଐତିହାସିକଙ୍କ ମତରେ, ମୟୂରଭଞ୍ଜ ମହାରାଜା କୃଷ୍ଣ ଚନ୍ଦ୍ର ଭଞ୍ଜଦେଓ ଭଞ୍ଜ ବଂଶର ସବୁଠାରୁ ଦକ୍ଷ ବୀର ଯୋଦ୍ଧା ଥିଲେ। ସେତେବେଳେ ପାଇକମାନେ ଛାଉଣି ପକାଇ ଘରଠାରୁ ଦୂରରେ ରହୁଥିଲେ। ତେଣୁ ରାତିରେ ମନକୁ ଟିକେ ସରସ କରିବା ପାଇଁ ଛାଉଣିରେ ନାଚ କରୁଥିଲେ। ଏହାକୁ ସେତେବେଳେ ପାଇକ ନାଚ କୁହାଯାଉଥିଲା। ଏହା ଛାଉଣିରେ ଅନୁଷ୍ଠିତ ହେଉଥିବାରୁ କାଳକ୍ରମେ ଛାଉଣିରୁ ଛଉ ଶବ୍ଦର ଉତ୍ପତ୍ତି ହୋଇଥିବା କୁହାଯାଏ। ଝାଡଖଣ୍ଡର ଷଢେଇକଳା ଏବଂ ପଶ୍ଚିମ ବଙ୍ଗର ପୁରୁଳିଆରେ ମଧ୍ୟ ଛଉ ନୃତ୍ୟର ଆଦର ରହିଛି। ମାତ୍ର ସେଠାକାର ଛଉ ଶିଳ୍ପୀ ମୁହଁରେ ମୁଖା ବ୍ୟବହାର କରିଥାନ୍ତି। ମୟୂରଭଞ୍ଜ ଛଉ ନୃତ୍ୟ ଶିଳ୍ପୀମାନେ ବିନା ମୁଖାରେ ନୃତ୍ୟ କରୁଥିବାରୁ ମୁଖଭଙ୍ଗୀ ଅଧିକ ଆକର୍ଷଣୀୟ ହୋଇଥାଏ।
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏବଂ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ମଧ୍ୟ ଛଉ ନୃତ୍ୟର ବିକାଶ ପାଇଁ ଶିଳ୍ପୀମାନଙ୍କୁ ପ୍ରୋତ୍ସାହନ ଦେଉଥିଲେ। ଛଉ ନୃତ୍ୟର ଗୁରୁମାନଙ୍କୁ ରାଜ ଦରବାର ଦ୍ୱାରା ସ୍ୱତନ୍ତ୍ର ସୁବିଧାସୁଯୋଗ ଯୋଗାଇଦିଆଯାଉଥିଲା। ମୟୂରଭଞ୍ଜ ରାଜ୍ୟ ଭାରତ ସହ ମିଶିବା ପରେ ଛଉ ନୃତ୍ୟ ପ୍ରତି ପୃଷ୍ଠପୋଷକତା କାହାରି ରହିଲାନି। ବାରିପଦା ସହରର ଛଉ ନୃତ୍ୟପ୍ରେମୀ ନିଜସ୍ୱ ଉଦ୍ୟମରେ ଉତ୍ତରସାହି ଓ ଦକ୍ଷିଣସାହି ନୃତ୍ୟ ଦଳ ଦ୍ୱାରା ଚୈତ୍ରପର୍ବରେ ଛଉ ନୃତ୍ୟ ପରିବେଷଣ କରାଉଥିଲେ। ୧୯୫୦ ମସିହାଠାରୁ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଛଉ ନୃତ୍ୟ ଅନୁଷ୍ଠିତ ହୋଇଆସୁଛି।
ଏହି ନୃତ୍ୟର ବିକାଶ ପାଇଁ ସଂସ୍କୃତିପ୍ରେମୀ ଜନସାଧାରଣ ଛଉ ନୃତ୍ୟ ଏକାଡେମୀ ପ୍ରତିଷ୍ଠା ସହିତ ଶିଳ୍ପୀମାନଙ୍କୁ ମାସିକ ଭତ୍ତା ପ୍ରଦାନ ପାଇଁ ଦାବି କରିଆସୁଛନ୍ତି। ତାହା ଏଯାବତ କାର୍ଯ୍ୟକାରୀ ହୋଇପାରି ନାହିଁ। ସେହିପରି ଜିଲାର ଗ୍ରାମାଞ୍ଚଳରେ ବିଭିନ୍ନ ଛଉ ନୃତ୍ୟ ଅନୁଷ୍ଠାନ ଗଢିଉଠିଛି। ସେମାନଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ଅନୁଦାନ ମିଳୁ ନାହିଁ। ଯୁବ ପିଢ଼ି ମଧ୍ୟରେ ନୂତନ ନୃତ୍ୟ ଶିଳ୍ପୀ ସୃଷ୍ଟି ନିମନ୍ତେ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି। ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Comments are closed.