ଛତିଶଗଡ଼ରେ ନକ୍ସଲ ଭୟ: ମତଦାନ ପରେ ଅଙ୍ଗୁଠିରେ ଲଗାଇବେନି କାଳି

0

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳ ବସ୍ତର ଅଞ୍ଚଳବାସୀ ନିର୍ବାଚନରେ ଭାଗ ନେବାକୁ ଚାହୁଁଥିଲେ ମଧ୍ୟ ଅଙ୍ଗୁଠିରେ କାଳି ଲଗାଇବାକୁ ଭୟ କରୁଛନ୍ତି। ବସ୍ତରଠାରେ ଅନୁଷ୍ଠିତ ମତଦାନ ଜାଗୃତତା ଅଭିଯାନରେ ଏଭଳି ଘଟଣା ସମ୍ପର୍କରେ ଜଣା ପଡ଼ିଛି। ବୀଜାପୁର ଓ ସୁକମାଠାରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଅଭିଯାନରେ ମତଦାତା ତାଙ୍କ ଭୟର କାରଣ ସମ୍ପର୍କରେ ପ୍ରକାଶ କରିଛନ୍ତି। ମତଦାନ କରିବା ପରେ ମତଦାତାଙ୍କ ଅଙ୍ଗୁଠିରେ କାଳି ନଲଗାଇବାକୁ ସେମାନେ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି। ଯଦି ଆଙ୍ଗୁଳିରେ କାଳି ଲାଗେ ତେବେ ନସ୍କଲମାନେ ସେମାନଙ୍କୁ ହତ୍ୟା କରିଦେବେ ବୋଲି ମତଦାତା ପ୍ରକାଶ କରିଛନ୍ତି।
ଅଭିଯାନରେ ଅଞ୍ଚଳବାସୀଙ୍କ ଏଭଳି ପରିସ୍ଥିତି ସମ୍ପର୍କରେ ସରକାରୀ ଅଧିକାରୀ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ସହ ଏହାର ସମାଧାନ ନିମନ୍ତେ ପରାମର୍ଶ ମାଗିଛନ୍ତି। ବସ୍ତରଠାରେ ପ୍ରଥମ ପର୍ଯ୍ୟାୟରେ ୧୨ଟି ଆସନ ପାଇଁ ୧୨ନଭେମ୍ବରରେ ମତଦାନ ହେବାକୁ ଯାଉଛି। ଗତ ନିର୍ବାଚନ ପରି ଚଳିତ ନିର୍ବାଚନକୁ ମଧ୍ୟ ବାତିଲ କରିବାକୁ ମାଓବାଦୀମାନେ ଫତ୍‍ୱା ଜାରି କରିଛନ୍ତି। ବିଭିନ୍ନ ସ୍ଥାନରେ ଏଥି ସଂକ୍ରାନ୍ତରେ ପୋଷ୍ଟର ମଧ୍ୟ ଲଗାଇଛନ୍ତି ମାଓବାଦୀ। ମତଦାନ ପରେ ଗାଁ ଗଣ୍ଡାରେ ମାଓବାଦୀ ପ୍ରବେଶ କରି ମତଦାତାଙ୍କ ହାତର ଅଙ୍ଗୁଠି ମାଧ୍ୟମରେ ମାଓ ନିର୍ଦେଶକୁ ସେମାନେ ପାଳନ କରିଛନ୍ତି କି’ ନାହିଁ ପରୀକ୍ଷା କରିଥାନ୍ତି। ପରେ ମତଦାତାଙ୍କୁ ହତ୍ୟା କରିବା ଏକାଧିକ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ତେଣୁ ଏହି ସବୁ ଅଞ୍ଚଳରେ ସ୍ଥାୟୀ ଗ୍ରାମବାସୀ ନିର୍ବାଚନକୁ ଏଡ଼ାଇ ଯାଉଥିବା ଲକ୍ଷ୍ୟ କରାଯାଉଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ନିର୍ବାଚନ ଅଧିକାରୀ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କଲେ ଗ୍ରାମୀଣ ଭୋଟ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଜିଲାପାଳ ତାଙ୍କ ରିପୋର୍ଟରେ ନିର୍ବାଚନ କମିଶନରଙ୍କୁ ଜଣାଇଛନ୍ତି।

Leave A Reply