ଛତିଶଗଡ଼: କଂଗ୍ରେସ ନେତାଙ୍କ ବିରୋଧରେ ଷ୍ଟିିଙ୍ଗ ଚଳାଇବାକୁ କହି ଅଡୁଆରେ ଅଧିକାରୀ

0

ରାୟପୁର : କଂଗ୍ରେସର କିଛି ନେତାଙ୍କ ବିରୋଧରେ ଷ୍ଟିଙ୍ଗ ଅପରେସନ ଚଳାଇବାକୁ କହି କ୍ୟାମେରା ସମ୍ମୁଖରେ ଧରାପଡିଥିବା ଛତିଶଗଡ଼ର ଜଣେ ଲୋକସମ୍ପର୍କ ଅଧିକାରୀ ଏସ୍‍. ରାଜେଶ ଟପ୍ପୋ ଏବେ ଅଡୁଆରେ ପଡିଯାଇଛନ୍ତି। ଟପ୍ପୋଙ୍କୁ ତୁରନ୍ତ ବଦଳି କରିବା ଲାଗି ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ନିର୍ବାଚନ କମିସନ (ଇସି) ଶନିବାର ନିର୍ଦେଶ ଦେଇଛନ୍ତି। ଟପ୍ପୋ ରାଜ୍ୟର ଲୋକସମ୍ପର୍କ ବିଭାଗ ସଚିବ ତଥା କମିସନର ଅଛନ୍ତି। ସୂଚନା ଅନୁସାରେ ଟପ୍ପୋ କଂଗ୍ରେସ ନେତାଙ୍କ ବିରୋଧରେ ଗୁପ୍ତ ଅଭିଯାନ କରିବା ପ୍ରତିବଦଳରେ ଅର୍ଥ ଦେବାକୁ କହିଥିଲେ। ଏଥିସହ ଟପ୍ପୋ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ ବୋଲି ଇସିଙ୍କ ମୁଖପାତ୍ର କହିଛନ୍ତି। କଂଗ୍ରେସ ବିଧାୟକ ଭୁପେଶ ଭାଗେଲ ଏବଂ ସାଂସଦ ତାମରାଦୱାଜ ସାହୁଙ୍କ ସମେତ ଦଳର କିଛି ନେତା ଦୁର୍ନୀତିଗ୍ରସ୍ତ କି ନୁହେଁ ସେ ବିଷୟରେ ତଥ୍ୟ ଆଣିବାକୁ ସ୍ଥାନୀୟ ଟେଲିଭିଜନ ଚ୍ୟାନେଲ ସନ୍‍ ଷ୍ଟାର ଟିଭିରେ ପ୍ରକାଶିତ ଭିଡିଓରେ ଟପ୍ପୋ ଜଣେ ସାମ୍ବାଦିକଙ୍କୁ କହୁଥିବା ଦେଖିବାକୁ ମିଳିଛି। ଏହାର ପ୍ରତିବଦଳରେ ଅର୍ଥ ପ୍ରଦାନ କରିବାକୁ ସେ ସମ୍ପୃକ୍ତ ସାମ୍ବାଦିକଙ୍କୁ କହିଛନ୍ତି। ଏହି ଭିଡିଓଟିକୁ ଭାଗେଲ ଶୁକ୍ରବାର ଟ୍ୱିଟରରେ ପ୍ରକାଶ କରିଥିଲେ। ଏଥିସହ ରାଜ୍ୟ ସରକାର ଗଣମାଧ୍ୟମକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଏ ନେଇ ଇସିଙ୍କ ନିକଟରେ କଂଗ୍ରେସ ଅଭିଯୋଗ କରିବା ପରେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ନଭେମ୍ବର ୨୦ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Leave A Reply