ବିପଦରେ ୩ ବ୍ଲକର ସମୁଦ୍ର ତଟବର୍ତ୍ତୀ ଗାଁ

ସମୁଦ୍ରରେ ଲୀନ ହେବ ଆର୍ୟ୍ୟପଲ୍ଲୀ ସାମୁଦ୍ରିକ ଥାନା !

ଛତ୍ରପୁର: ଛତ୍ରପୁର ବ୍ଲକର ଆର୍ୟ୍ୟପଲ୍ଲୀ ସାମୁଦ୍ରିକ ଥାନା ପ୍ରତି ବିପଦ ଘନେଇଛି। ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେଉଥିବାରୁ ଆଗାମୀ ଦିନରେ ସମୁଦ୍ର ଗର୍ଭରେ ଏହି ଥାନାର କୋଠା ଲୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କେବଳ ସାମୁଦ୍ରିକ ଥାନା ନୁହେଁ ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବସୀ ଏବେଠୁ ଭୟଭୀତ ହୋଇପଡିଲେଣି। ଦୈନିକ ଜଳପତ୍ତନ ବୃଦ୍ଧି ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡି ଆସୁଛି। ଜଳପତ୍ତନ ବୃଦ୍ଧି ହେବା ସହ କୂଳ ଦିନକୁ ଦିନ କ୍ଷୟ ହେବାକୁ ଗଲାଣି। ପୂର୍ବରୁ ସମୁଦ୍ରରୁ ଆର୍ୟ୍ୟପଲ୍ଲୀ ଗାଁ ୫ କିମି ଦୂରରେ ରହିଥିଲା। ଏବେ ଗାଁକୁ ସ୍ପର୍ଶ କଲାଣି ସମୁଦ୍ର। ଥାନାଠାରୁ ସମୁଦ୍ର କୂଳ ମାତ୍ର ଶହେ ମିଟର ଦୂରତାରେ ରହିଛି। କେଉଁ ମୁହୂର୍ତ୍ତରେ ଥାନା କୋଠା ସମୁଦ୍ର ଗର୍ଭରେ ଲୀନ ହେବ ତାହା କହିହେଉନି। ପ୍ରତି ମୁହୂର୍ତ୍ତରେ ସାମୁଦ୍ରିକ ଢେଉ ଥାନା କୋଠାର ପଛଭାଗକୁ ବାଢେଇ ହେଉଥିବାରୁ ବିପଦ ଜଳ ଜଳ ଦିଶିଲାଣି। କେବଳ ସେତିକି ନୁହେଁ ଗଞ୍ଜାମ ଜିଲାରେ ଚିକିଟି, ରଙ୍ଗଇଲୁଣ୍ଡା, ଛତ୍ରପୁର, ଗଞ୍ଜାମ ବ୍ଲକର କିଛି ଗ୍ରାମ ସମୁଦ୍ର ନିକଟରେ ରହିଛି। ବାରମ୍ବାର ଳଘୁଚାପଜନିତ ସାମୁଦ୍ରିକ ବାତ୍ୟା ଯୋଗୁ ସମୁଦ୍ର ଜଳରାଶି ଦିନକୁ ଦିନ ଗାଁମୁହାଁ ହେଉଛି। ଯାହାଫଲରେ ବହୁ ଗ୍ରାମ ଏବେ ବିପଦରେ ରହିବା ସହ ଆଗାମୀ ଦିନରେ ସେସବୁ ଗ୍ରାମ ସମୁଦ୍ରରେ ଲୀନ ହୋଇଯିବାର ଆଶଙ୍କା ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କିଛିବର୍ଷ ତଳେ ସମୁଦ୍ର କୂଳ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଓଡିଆରପି ଗୃହ ପ୍ରଦାନ କରାଯାଇ ସେଠାରୁ ସ୍ଥାନାନ୍ତର କରାଯାଇଥିଲା। ଆଉ କିଛି ଲୋକଙ୍କୁ ଗୃହ ମିଳିନଥିବାରୁ ସେଠାରେ ହିଁ ରହିଛନ୍ତି। କିନ୍ତୁ ଦିନକୁ ଦିନ ସମୁଦ୍ର ମାଡି ଆସୁଥିବାରୁ ସେମାନେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତୁରନ୍ତ ସେମାନଙ୍କୁ ବାସ ଯୋଗାଇ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି। ସମୁଦ୍ରକୂଳିଆ ଗାଁକୁ ସୁରକ୍ଷା ଦେଉଥିବା ଲୁଣା ଜଙ୍ଗଲ ଆଉ ନାହିଁ। ବିପର୍ୟ୍ୟୟ ମୁକାବିଲା ଲାଗି ବନବିଭାଗ ପକ୍ଷରୁ ସୃଷ୍ଟି କରାଯାଇଥିବା ଝାଉଁ ବଣ ନିଶ୍ଚିହ୍ନ ହେବାକୁ ବସିଲାଣି।

Comments are closed.