ଭାରତୀୟ ମହିଳା ଦଳକୁ ସ୍ୱର୍ଣ୍ଣ

0

ନୂଆଦିଲ୍ଲୀ : ଭାରତୀୟ ମହିଳା ଚେସ ଦଳ ଇରାନରେ ଚାଲିଥିବା ଏସିଆ ନେସନ୍‍ସ କପ୍‍ ଚେସ୍‍ ଟୁର୍ଣ୍ଣାମେଣ୍ଟର ବ୍ଲିଜ୍‍ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ହାସଲ କରିଛି। ଏହାବ୍ୟତୀତ ଭାରତୀୟ ମହିଳା ଦଳ ର‍୍ୟାପିଡ୍‍ ବର୍ଗରେ ରୌପ୍ୟ ଓ କ୍ଲାସିକାଲ ବର୍ଗରେ ବ୍ରୋଞ୍ଜପଦକ ଜିତିବାରେ ସଫଳ ହୋଇଛି। ଜୁଲାଇ ୨୮ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବାବେଳେ ଅଗଷ୍ଟ ୩ରେ ଶେଷ ହୋଇଛି। ପଦ୍ମିନୀ ରାଉତ, ଦ୍ରୋଣାବଳୀ ହାରିକା, ଇଶା କାରାଭାଡେ, ଆର.ବୈଶାଳୀ ଓ ଆକାଂକ୍ଷା ହାଗାୱାନେଙ୍କୁ ନେଇ ଗଠିତ ଭାରତୀୟ ଦଳ ବ୍ଲିଜ୍‍ ଇଭେଣ୍ଟରେ ୨୧.୫ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଭିଏତନାମ ଦଳ ଏହି ଇଭେଣ୍ଟରେ ରୌପ୍ୟ ଓ ଚୀନ ଦଳ ବ୍ରୋଞ୍ଜପଦକ ହାସଲ କରିଛି। ର‍୍ୟାପିଡ୍‍ ବର୍ଗରେ ଭାରତୀୟ ଦଳ ୧୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଚୀନକୁ ସ୍ୱର୍ଣ୍ଣ ଓ ଇରାନକୁ ବ୍ରୋଞ୍ଜପଦକ ମିଳିଛି। କ୍ଲାସିକାଲ ବର୍ଗରେ ଚୀନକୁ ସ୍ୱର୍ଣ୍ଣ ମିଳିଥିବାବେଳେ ଭିଏତନାମକୁ ରୌପ୍ୟ ଓ ଭାରତକୁ ବ୍ରୋଞ୍ଜପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ହାରିକା ଗ୍ରାଣ୍ଡମାଷ୍ଟର ମାନ୍ୟତା ପାଇଥିବାବେଳେ ପଦ୍ମିନୀ ଓ ଈଶାଙ୍କୁ ଇଣ୍ଟରନ୍ୟାସନାଲ ମାଷ୍ଟର୍ସ, ବୈଶାଳୀ ଓ ଆକାଂକ୍ଷା ୱିମେନ୍‍ସ ଇଣ୍ଟରନ୍ୟାସନାଲ ମାଷ୍ଟର୍ସ ମାନ୍ୟତା ପାଇଛନ୍ତି।

Leave A Reply