ଚେନ୍ନଇରେ ପାଣି ପାଇଁ ହା ହା କାର, ସ୍କୁଲ-କଲେଜ ଛୁଟି

ଚେନ୍ନଇ : ତାମିଲନାଡୁର ରାଜଧାନୀ ଚେନ୍ନଇ ଉତ୍କଟ ଜଳସଂକଟ ଦେଇ ଗତି କରୁଛି। ଏଠାରେ ବୁନ୍ଦେ ବୁନ୍ଦେ ପାଣି ପାଇଁ ଲୋକେ ଛଟପଟ ହେଉଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଆଇଟି କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କହିଛନ୍ତି। ପାଣି ଅଭାବରୁ ସ୍କୁଲ, କଲେଜଗୁଡ଼ିକୁ ୨ରୁ ୩ ଦିନ ଲେଖାଏଁ ଛୁଟି ଘୋଷଣା କରାଯାଇଛି। ଗ୍ରାମାଞ୍ଚଳରେ ଟୋକନ ମାଧ୍ୟମରେ ପାଣି ବଣ୍ଟା ଯାଉଛି। ପାଣି ଅଭାବରୁ କେତେକ ଘରୋଇ ସ୍କୁଲକୁ ବନ୍ଦ କରିଦିଆଯାଇଛି। ସହର ଉପକଣ୍ଠରେ ରହୁଥିବା ଲୋକମାନେ ନିଜ ଘର ଛାଡ଼ି ସହରରେ ଭଡ଼ା ଘର ନେଇ ରହୁଛନ୍ତି। ସହରରେ ଟ୍ୟାଙ୍କରରେ ପାଣି ଯୋଗା ଯାଉଥିବାରୁ ଲୋକମାନେ ଘର ଛାଡ଼ି ସହରରେ ଭଡ଼ା ଘର ନେଉଥିବା କୁହାଯାଉଛି।
ଜଳ ସଂକଟ ଦୂର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇନଥିବାରୁ ମାଦ୍ରାସ ହାଇକୋର୍ଟ ମଙ୍ଗଳବାର ତାମିଲନାଡୁ ସରକାରଙ୍କୁ ଭର୍ତ୍ସନା କରିଥିଲେ। ସହରରେ ଟ୍ୟାଙ୍କରରେ ପାଣି ଯୋଗା ଯାଉଥିବା ବେଳେ ଉପକଣ୍ଠରେ ଥିବା ଅଞ୍ଚଳରେ ଉତ୍କଟ ଜଳାଭାବରୁ ଲୋକେ ଦୁର୍ଦ୍ଦଶା ମଧ୍ୟରେ ରହିଛନ୍ତି। ଗୋଟିଏ ଗୋଟିଏ ଟ୍ୟାଙ୍କର ଉପରେ ଶତାଧିକ ଲୋକ ନିର୍ଭର କରି ରହୁଛନ୍ତି। ଫଳରେ ଆଗକୁ ପାଣି ଅଭାବ ଜନିତ ରୋଗ ବ୍ୟାପୀବାର ଆଶଙ୍କା ଥିବା କୁହାଯାଉଛି।

Comments are closed.