ଚେନ୍ନଇ ଅନାଥାଶ୍ରମରେ ଯୌନ ନିର୍ଯାତନା: ୪୪ ଶିଶୁ ଉଦ୍ଧାର

0

ଚେନ୍ନଇ : ତାମିଲନାଡୁ ରାଜଧାନୀ ଚେନ୍ନଇସ୍ଥିତ ଏକ ଅନାଥାଶ୍ରମର ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା କଥା ପଦାକୁ ଆସିଛି। ବିହାରର ଏକାଧିକ ଆଶ୍ରୟ କେନ୍ଦ୍ରରେ ଅନ୍ତେବାସିନୀମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା କଥା ମନରୁ ନ ଲିଭୁଣୁ ତାମିଲନାଡୁର ଏହି ନୂଆ ନର୍ଯାତନା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚେନ୍ନଇସ୍ଥିତ ଅନାଥାଶ୍ରମରେ ୪ରୁ ୧୫ ବର୍ଷ ବୟସର ୪୦ ଜଣ ଶିଶୁଙ୍କ ଯୌନ ନିର୍ଯାତନା ଦିଆଯାଇଛି। ଘଟଣା ପ୍ରଘଟ ହେବା ପରେ ପୁଲିସ୍‍ ଚଢାଉ କରି ଅନାଥାଶ୍ରମରୁ ୪୪ ଜଣ ଶିଶୁଙ୍କୁ ଉଦ୍ଧାର କରିଛି।
ସୂଚନା ଅନୁସାରେ ଦୁଇ ନଗର ମାଜିଷ୍ଟ୍ରେଟ୍‍ ଅନିତା ଅନନ୍ତ ଏବଂ ବି ସୌନ୍ଦର୍ୟା ଗତ ଗୁରୁବାର ସରସ୍ୱତୀ ନଗରସ୍ଥିତ ଇଟର୍ନାଲ ୱାର୍ଲ୍ଡ ଟ୍ରଷ୍ଟ ଅନାଥାଶ୍ରମର ଏକ ଆଇନ୍‍ ସଚେତନତା କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରେ କେତେକ ଶିଶୁ ସେମାନଙ୍କ ଆଗରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେଠାରେ ଉପସ୍ଥିତ ଥିବା ଆଭାଦି ମହିଳା ପୁଲିସ୍‍ ଷ୍ଟେସନ୍‍ ଇନ୍‍ସପେକ୍ଟର ସୋଭା ରାଣୀ ଅଭିଯୋଗ ଆଧାରରେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ସେଠାରୁ ୨୪ ଝିଅ ଏବଂ ୨୦ ପୁଅଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ନେଇ ଆଶ୍ରୟ କେନ୍ଦ୍ରରେ ରଖାଯାଇଛି। ଅନାଥାଶ୍ରମ ପରିଚାଳକ ଜ୍ୟାକୋବ୍‍ ସାମୁଏଲ (୬୪)ଙ୍କ ସମେତ ବିମଳା ଜ୍ୟାକୋବ (୫୯), ବାବୁ ସାମୁଏଲ (୫୪), ମୁଥୁ (୨୭) ଏବଂ ଭାସ୍କର (୩୯)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଶିଶୁ ଯୌନ ନିର୍ଯାତନା ନିରୋଧୀ ଆଇନ୍‍ ୨୦୧୨ର ଧାରା ୫, ୬ ଏବଂ ୭ରେ ମାମଲା ରୁଜୁ କରାଯାଇଛି।

Leave A Reply